ରାଜ୍ୟରେ ପଟାଟୋ ପ୍ଲାଣ୍ଟର ପଦ୍ଧତିରେ ଆଳୁ ଚାଷ

ଚାହିଦାର ୭୦ ପ୍ରତିଶତ ପୂରଣ ଲକ୍ଷ୍ୟ, ଆଗକୁ ୧୨ ଜିଲ୍ଲାରେ ଏହି ପଦ୍ଧତିରେ ହେବ

ବିହନରେ ସ୍ବାବଲମ୍ବୀ ହେବା ପାଇଁ ପ୍ରସ୍ତୁତି

ଭୁବନେଶ୍ବର : ସମ୍ପ୍ରତି ରାଜ୍ୟ ଉଦ୍ୟାନ ବିଭାଗ ଏବଂ ଅନ୍ତର୍ଜାତୀୟ ଆଳୁ କେନ୍ଦ୍ର ପକ୍ଷରୁ କମ୍‌ ଖର୍ଚ୍ଚରେ କୋରାପୁଟ, କଳାହାଣ୍ଡି ଓ ଫୁଲବାଣୀରେ ଆଳୁ ଚାଷ କରାଯାଉଛି। ପଟାଟୋ ପ୍ଲାଣ୍ଟର ନାମକ ପଦ୍ଧତି ଜରିଆରେ(ସ୍ବତଃ ବିହନ ପୋତିବା ଯନ୍ତ୍ର) ଏହି ଚାଷ କରାଯାଉଛି। ପୂର୍ବ ପଦ୍ଧତି ଅନୁସାରେ ହେଉଥିବା ଆଳୁ ଚାଷ ନଭେମ୍ବରରେ ହେଉଥିଲା। କିନ୍ତୁ ନୂତନ ପଦ୍ଧତି ଅନୁସାରେ ଏହା ଜୁଲାଇରେ କରାଯାଉଛି। ଆଗକୁ ଏହି ପଦ୍ଧତିକୁ ବ୍ୟବହାର କରି ଭଦ୍ରକ ଓ ବାଲେଶ୍ବର ସମେତ ୧୨ଟି ଜିଲ୍ଲାରେ ଆଳୁ ଚାଷ କରାଯିବ ବୋଲି ଆଳୁ ଗବେଷଣା କେନ୍ଦ୍ରର ସମରେନ୍ଦୁ ମହାନ୍ତି ସୂଚନା ଦେଇଛନ୍ତି। ଏହି ନୂତନ ପଦ୍ଧତି ରାଜ୍ୟ ଆଳୁ ଚାହିଦାର ୭୦ ପ୍ରତିଶତ ପୂରଣ କରିବ ଓ ଚାଷୀମାନଙ୍କୁ ସ୍ବାବଲମ୍ବୀ କରିବ ବୋଲି ସେ କହିଛନ୍ତି। ଏଥିସହିତ ଓଡ଼ିଶା ଆଳୁ ପାଇଁ ଅନ୍ୟ ରାଜ୍ୟ ଉପରେ ପୂର୍ବାପେକ୍ଷା କମ୍ ନିର୍ଭରଶୀଳ ହେବ ବୋଲି କୁହାଯାଉଛି।

Gardening Know How

ପୂର୍ବରୁ ଏକର ପ୍ରତି ଆଳୁ ଚାଷରେ ଖର୍ଚ ୬୦ ରୁ ୮୦ ହଜାର ଟଙ୍କା ହେଉଥିଲା। ଏଥିରେ କେବଳ ପଞ୍ଜାବରୁ ଆମଦାନି ହେଉଥିବା ବିହନ ବାବଦରେ ୫୦ ପ୍ରତିଶତ ଖର୍ଚ୍ଚ ହୋଇଯାଏ। ତେଣୁ ସବୁବେଳେ ଆର୍ଥିକ ସଂକଟରେ ଥିବା କ୍ଷୁଦ୍ର ଚାଷୀମାନଙ୍କ ପାଇଁ ଆଳୁ ଚାଷ କରିବା କଷ୍ଟକର ହୋଇପଡ଼ୁଥିଲା। ସେହିଭଳି ଖର୍ଚ୍ଚ ଅନୁସାରେ ଉପଯୁକ୍ତ ମୂଲ୍ୟରେ ଆଳୁ ବିକ୍ରି ହୋଇନପାରିଲେ ଚାଷୀ କ୍ଷତିଗ୍ରସ୍ତ ହେଉଥିଲେ। ପୁଣି ନଭେମ୍ବରରେ ହୋଇଥିବା ଚାଷ ମାର୍ଚ୍ଚରେ ଅମଳ ହୋଇ ବିକ୍ରି ହେବା ବେଳକୁ ବାହାର ରାଜ୍ୟରୁ ଆଳୁ ବଜାରକୁ ଆସି ଯାଇଥାଏ। ତେଣୁ ବଜାର ପ୍ରତିଯୋଗିତାରେ ଓଡ଼ିଆ ଚାଷୀଙ୍କ ଉତ୍ପାଦିତ ଆଳୁ ପଛରେ ପଡ଼ିଯାଉଥିଲା ଓ ଉପଯୁକ୍ତ ମୂଲ୍ୟ ନ ପାଇ ଓଡ଼ିଆ ଚାଷୀମାନେ କ୍ଷତି ସହୁଥିଲେ। ଏଥିଯୋଗୁଁ ଚାଷୀମାନେ ଧୀରେଧୀରେ ଆଳୁ ଚାଷରୁ ମୁହଁ ଫେରାଇ ନେଲେ। ଫଳରେ ୧୯୬୦ ମସିହା ବେଳେ ଦେଶର ଆଳୁ ଉତ୍ପାଦନ ହାର ସହ ସମାନ ଥିବା ଓଡ଼ିଶାର ଉତ୍ପାଦନ ହାର କାଳକ୍ରମେ ହ୍ରାସ ପାଇଲା। ଏମିତିକି ଆଳୁ ମିସନ ମଧ୍ୟ ବିଫଳ ହେଲା।

କିନ୍ତୁ ବର୍ତ୍ତମାନ ଅନ୍ତର୍ଜାତୀୟ ଗବେଷଣା କେନ୍ଦ୍ର ସହଯୋଗରେ ଆଳୁ ଚାଷରେ ହେଉଥିବା ଖର୍ଚ୍ଚକୁ କମ୍‌ କରିବାକୁ ଗୁରୁତ୍ବ ଦିଆଯାଇଛି। ପ୍ରଥମତଃ ଏହି ନୂତନ ପଦ୍ଧତିରେ ମେସିନ୍ ବିହନ ବୁଣୁଛି। ଏଥିପାଇଁ ଟ୍ରାକ୍ଟର ଭଳି ମେସିନ୍‌ର ପଛରେ ଖଞ୍ଜା ଯାଇଥିବା ପ୍ଲାଣ୍ଟର ବିହନ ପକାଉଛି ଓ ତାହା ସ୍ବତଃ ପୋତି ହୋଇଯାଉଛି। ଫଳରେ ଶ୍ରମିକ ଖର୍ଚ୍ଚ କମ‌୍ ହେଉଛି। ଦ୍ବିତୀୟତଃ ବିହନ ଖର୍ଚ୍ଚ କମ‌ କରିବା ପାଇଁ ରାଜ୍ୟରେ ଘରୋଇ ଭାଗୀଦାରିରେ ବିହନ ଉତ୍ପାଦନ ପାଇଁ ବି ଗୁରୁତ୍ବ ଦିଆଯାଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଏଥିପାଇଁ ଡେରାସରେ କାର୍ଯ୍ୟ ଆରମ୍ଭ ହୋଇଛି।

PotatoPro

ସୂଚନା ଅନୁଯାୟୀ, ନୂତନ ବ୍ୟବସ୍ଥାରେ କୋରାପୁଟରେ ଏକ ହଜାର, କଳାହାଣ୍ଡି ଏବଂ ଫୁଲବାଣୀରେ ୫୦ ଏକର ଲେଖାଏଁ ଆଳୁ ଚାଷ ହୋଇଛି। ବିହନ କିଣିବାରେ କ୍ଷୁଦ୍ର ଚାଷୀଙ୍କୁ ସହଯୋଗ କରିବାକୁ ରାଜ୍ୟ ସରକାରଙ୍କ ‘ଏଚିଭିଂ ସେଲ୍ଫ ସଫିସିଏନ୍ସି ପଟାଟୋ ପ୍ରୋଜେକ୍ଟ’ ଜରିଆରେ ସବୁ ଚାଷୀଙ୍କୁ ଏକଜୁଟ କରାଯାଉଛି। ଉଭୟ ସରକାର ଓ ଚାଷୀଙ୍କ ଅର୍ଥରେ ୬୦ ଟ୍ରକ୍‌ ବିହନ କିଣାଯାଇଛି। ଏଥିସହିତ ମେସିନ୍‌ ମଧ୍ୟ ଦିଆଯାଇଛି। ଏବେ କୋରାପୁଟରେ ପ୍ରାୟ ୫ ହଜାର ଚାଷୀ ମିଳିତ ଭାବରେ ୧୨ରୁ୧୫ ହଜାର ଟନ୍‌ ଆଳୁ ଉତ୍ପାଦନ କରିବେ ବୋଲି ଆଶା କରାଯାଉଛି। ଏହି ତିନି ଜିଲ୍ଲାର ଆଳୁ ଅକ୍ଟୋବର ମାସ ସୁଦ୍ଧା ଅମଳ ହେବାକୁ ଥିବାରୁ ପର୍ଯ୍ୟାପ୍ତ ବଜାର ପାଇବେ। ତେଣୁ ଆଗାମୀ ଦିନରେ ଚାହିଦାର ପ୍ରାୟ ୭୦ ରୁ ୭୫ ପ୍ରତିଶତ ପୂରଣ ହୋଇଯିବ ବୋଲି ଆଶା କରାଯାଉଛି। ତେବେ ଉତ୍ପାଦନ ବୃଦ୍ଧି ପାଇଲେ ମଧ୍ୟ ଉପଯୁକ୍ତ ବଜାର ବ୍ୟବସ୍ଥା ନହେଲେ, ଏହି ଯୋଜନା ମଧ୍ୟ ପୂର୍ବର ଆଳୁ ମିସନ ଭଳି ଦୁର୍ଦ୍ଦଶା ଭୋଗିବାର ଆଶଙ୍କା ରହିଛି। ତେଣୁ ଏଥିପ୍ରତି ମଧ୍ୟ ସରକାରଙ୍କୁ ଦୃଷ୍ଟି ଦେବାକୁ ପଡ଼ିବ।

ସମ୍ବନ୍ଧିତ ଖବର