ଆଳୁ, ପିଆଜ ଦର ବୃଦ୍ଧି ଜାତୀୟ ସମସ୍ୟା : ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର : ଆଳୁ, ପିଆଜ ଦର ବୃଦ୍ଧି ଏକ ଜାତୀୟ ସମସ୍ୟା। ସମଗ୍ର ଦେଶରେ ଏହି ଦର ବୃଦ୍ଧି ପରଲକ୍ଷିତ ହେଉଛି। କରୋନା ମହାମାରୀ ସମୟରେ ଆଳୁ, ପିଆଜ ଦଳ ବୃଦ୍ଧି ଲୋକଙ୍କୁ ନାକେଦମ୍ କରୁଥିଲା ବେଳେ ବିଧାନସଭାରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏମିତି ଉତ୍ତର ରଖିଛନ୍ତି। ରାଜ୍ୟରେ ଦରବୃଦ୍ଧି ନେଇ ମନ୍ତ୍ରୀ ଆଉ ଏକ ଅସହାୟତା ବି ପ୍ରକାଶ କରିଛନ୍ତି। ଆଳୁ ଓ ପିଆଜରେ ଓଡ଼ିଶା ଏକ ନିଅଣ୍ଟିଆ ରାଜ୍ୟ। ଆଳୁ ପାଇଁ ପଶ୍ଚିମବଙ୍ଗ ଏବଂ ପିଆଜ ପାଇଁ ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ଉପରେ ଓଡ଼ିଶା ବହୁଳ ଭାବେ ନିର୍ଭର କରିଥାଏ। ତେଣୁ ଯୋଗାଣ ପେଣ୍ଠରେ ଆଳୁ ଓ ପିଆଜର ହ୍ରାସ ଓ ବୃଦ୍ଧିର ପ୍ରଭାବ ଘରୋଇ ବଜାରରେ ଅନୁଭୂତ ହୁଏ ବୋଲି ମନ୍ତ୍ରୀ ଦର୍ଶାଇଛନ୍ତି।

ବିଧାୟକ ପ୍ରଫୁଲ୍ଲ ସାମଲ ଓ ପ୍ରଶାନ୍ତ ବେହେରାଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଜଣାଇଛନ୍ତି ଯେ ଆନ୍ଧ୍ରପ୍ରଦେଶ ତଥା କର୍ଣ୍ଣାଟକରେ ଅନିୟମିତ ତଥା ପ୍ରବଳ ବର୍ଷା ଯୋଗୁ ଅଗଷ୍ଟ ମାସରେ ଉତ୍ପାଦିତ ହେବାକୁ ଥିବା ପ୍ରଥମ ଖରିଫ ପିଆଜ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି। ସେଥି ପାଇଁ ମହାରାଷ୍ଟ୍ରରୁ ଆମଦାନୀ କରାଯାଉଥିବା ପିଆଜର ଚାହିଦାରେ ବୃଦ୍ଧି ଘଟିବାରୁ ଯୋଗାଣ ପେଣ୍ଠଗୁଡ଼ିକରେ ଏହାର ମୂଲ୍ୟ ବୃଦ୍ଧି ‌ଘଟିଛି ଏବଂ ସ୍ଥାନୀୟ ବଜ‌ାରରେ ଏହାର ପ୍ରଭାବ ପରିଲକ୍ଷିତ ହୋଇଅଛି। ସେହିପରି ପଶ୍ଚିମବଙ୍ଗରୁ ଆସୁଥିବା ଆଳୁର ଉତ୍ପାଦନ ଗତ ବର୍ଷ ଅପେକ୍ଷା କମ୍ ଥିବାରୁ ଏବଂ ବର୍ତ୍ତମାନ ଏହା ବିହାର ତଥା ଆସାମ ଆଦି ବନ୍ୟା ପ୍ଳାବିତ ଅଞ୍ଚଳକୁ ପଠାଯାଉଥିବାରୁ ଯୋଗାଣ ପେଣ୍ଠରେ ଏହାର ମୂଲ୍ୟ ବଢ଼ିଛି। ଏହାର ପ୍ରଭାବ ସ୍ଥାନୀୟ ବଜାର ଉପରେ ପଡ଼ି ଆଳୁର ମୂଲ୍ୟରେ ବୃଦ୍ଧି ହୋଇଛି। ତେବେ ରାଜ୍ୟ ସରକାର ଦର ନିୟନ୍ତ୍ରଣ ପାଇଁ ଆବଶ୍ୟକ ପଦକ୍ଷେପ ନେଉଛନ୍ତି।

ସମ୍ବନ୍ଧିତ ଖବର