ପିଆଜ ପରେ ଆଳୁ ପାଳି, କିଲୋ ୨୫ ଛୁଇଁଲା

ଭୁବନେଶ୍ବର: ପିଆଜ ପରେ ଏବେ ଆଳୁ ପାଳି। ଆଳୁ ଦରବୃଦ୍ଧି ଖାଉଟିଙ୍କୁ କନ୍ଦେଇବା ଆଶଙ୍କା ଜଳଜଳ ଦେଖାଗଲାଣି। ଗତକାଲିଠାରୁ ହଠାତ୍ ଆଳୁ ଦର ବୃଦ୍ଧି ଘଟିବା କାରଣରୁ ଖାଉଟି ମହଲରେ ଚିନ୍ତା ବଢ଼ାଇଛି। ଦୁଇ ଦିନ ପୂର୍ବେ ଖୁଚୁରା ବଜାରରେ କିଲୋ ପିଛା ୧୭/୧୮ ଟଙ୍କା ପଡ଼ୁଥିବା ଆଳୁ ଏବେ ୨୪/୨୫ ଟଙ୍କାରେ ବିକ୍ରି ହେଉଛି। କିଲୋ ପିଛା ପାଖାପାଖି ୭ ଟଙ୍କା ବୃଦ୍ଧି ଗରିବ ଖାଉଟିଙ୍କ ହାଣ୍ଡିଶାଳରେ ଚଡ଼କ ପକାଇଛି। ପୂର୍ବରୁ ପରିବା ଓ ପିଆଜ ଦରକୁ ନେଇ ଖାଉଟି ହନ୍ତସନ୍ତ ଅବସ୍ଥାରେ ଥିବାବେଳେ ଏବେ ଆଳୁ ଦର ଗରିବ ଖାଉଟିଙ୍କ ପାଇଁ ଘୋର ସମସ୍ୟା ସୃଷ୍ଟି କରିଛି।

ଦୁଇ ଦିନ ପୂର୍ବେ କୁବେରପୁରୀରେ ଆଳୁର ପାଇକାରୀ ଦର କିଲୋ ପିଛା ୧୨ ଟଙ୍କାରୁ ୧୪ ଟଙ୍କା ଥିଲା। ତେଣୁ ଖୁଚୁରା ବଜାରରେ କିଲୋ ପିଛା ୧୭/୧୮ ଟଙ୍କା ପଡ଼ୁଥିଲା। ମାତ୍ର ଆଜି ହଠାତ୍ ପାଇକାରୀ ଦର ବୃଦ୍ଧି ଘଟିଛି। ପାଇକାରୀ ଦର କିଲୋ ପିଛା ୧୮ ଟଙ୍କା ହୋଇଥିବା ଜଣାପଡ଼ିଛି। ଭଲମାନର ଆଳୁ ୨୦ ଟଙ୍କା ହୋଇଛି। ତେଣୁ ଖୁଚୁରା ବଜାରରେ ଆଜି ଆଳୁ କିଲୋ ୨୪/୨୫ ଟଙ୍କା ଦରରେ ବିକ୍ରି ହେଉଛି। ଆଳୁର ଏହି ଦରବୃଦ୍ଧି ପାଇଁ ପଶ୍ଚିମବଙ୍ଗ ଦଙ୍ଗାକୁ ବ୍ୟବସାୟୀମାନେ ଦାୟୀ କରିଛନ୍ତି ଓ ଏହା ଏକ ସାମୟିକ ଦରବୃଦ୍ଧି ବୋଲି କହିଛନ୍ତି। ଦୁଇ ଚାରି ଦିନ ଭିତରେ ଆଳୁ ଦର ପୁଣି ସ୍ବାଭାବିକ ହୋଇଯିବ ବୋଲି ସେମାନେ ଆଶା ପ୍ରକଟ କରିଛନ୍ତି। କୁବେରପୁରୀ ବ୍ୟବସାୟୀ ସଂଘର ସମ୍ପାଦକ ତଥା ଆଇନଜୀବୀ ଶକ୍ତିଶଙ୍କର ମିଶ୍ରଙ୍କ ସୂଚନାନୁସାରେ ଏହି ଦରବୃଦ୍ଧି ଅମଳ ଜନିତ ନୁହେଁ। ଏହା ପରିବହନ ସମସ୍ୟା ଜନିତ। ତେଣୁ ଆଶଙ୍କା କରିବାର କିଛି ନାହିଁ। ନାଗରିକ ବିଲ୍‌କୁ ନେଇ ପଶ୍ଚିମବଙ୍ଗରେ ଘଟିଥିବା ଗଣ୍ଡଗୋଳ ପାଇଁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଫଳରେ ଆଳୁ ପରିବହନ ମଧ୍ୟ ବାଧାପ୍ର‌ାପ୍ତ ହୋଇଛି। ଫଳରେ ୫ ଶହ ଟନ୍‌ ସ୍ଥାନରେ ମାତ୍ର ୨ ଶହ ଟନ୍‌ ଆଳୁ ଆମଦାନି ହୋଇପାରିଛି। ଗଣ୍ଡଗୋଳିଆ ପରିସ୍ଥିତିରେ ସୁଧାର ଆସିଲାଣି ଓ ଏହା ପରେ ଯାନବାହାନ ଚଳାଚଳ ସ୍ବାଭାବିକ ହୋଇଯିବ। ତେଣୁ ଆଉ ଦୁଇ ଚାରି ଦିନ ପରେ ଆପେ ଆପେ ସ୍ବାଭାବିକ ଦର ହୋଇଯିବ ବୋଲି ସେ କହିଛନ୍ତି। ତେବେ ସମ୍ପ୍ରତି ସବୁ ଖାଉଟି ଜିନିଷର ଦରଦାମ୍‌ ଯେଉଁଭଳି ହୁ ହୁ ହୋଇ ବଢ଼ି ଚାଲିଛି ଓ ଥରେ ବଢ଼ିଲେ କମିବା ନାଁ ଧରୁନାହିଁ, ସେଥିରେ ଆଳୁ ଦରବୃଦ୍ଧି ନିଆଁରେ ଘିଅ ଢାଳିବା ସଦୃଶ ହୋଇଛି। ସବୁଜ ପରିବା ଦର ହାରାହାରି ୫୦ ଟଙ୍କା ଥିବାରୁ ଲୋକେ ଆଳୁ ଉପରେ ନିର୍ଭର କରି ବଞ୍ଚି ଯାଉଥିଲେ। ବଡ଼ ସମସ୍ୟା ହେଉଛି ଏହି ମଉକାରେ ଖାଉଟିଙ୍କୁ ଶୋଷୁଛନ୍ତି ଖୁଚୁରା ବେପାରୀ। ନିମ୍ନମାନର ଆଳୁକୁ ମଧ୍ୟ କିଲୋ ୨୫ ଟଙ୍କାରେ ବିକୁଛନ୍ତି। ରାଜ୍ୟ ଯୋଗାଣ ବିଭାଗର ନିଷ୍କ୍ରିୟତା ପାଇଁ ‌ଗ୍ରାମୀଣ ବଜାରରେ ଏଭଳି ଘଟୁଛି ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର