ଭୁବନେଶ୍ବର: ରାଜ୍ୟରେ ଆଳୁ ୭-୮ଦିନ ପାଇଁ ମହଜୁଦ ଅଛି। ତେଣୁ ୩୨ଟଙ୍କାରୁ ଅଧିକ ଦରରେ ଦୋକାନୀମାନେ ଆଳୁ ବିକ୍ରି ନ କରିବାକୁ ଗତକାଲି ତାଗିଦ୍ କରିଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀଙ୍କ ତାଗିଦ୍ର ୨୪ଘଣ୍ଟା ପରେ ବି ଓଡ଼ିଶାରେ ଆଳୁ ଦର ଖସୁନାହିଁ। ରାଜ୍ୟବ୍ୟାପୀ ୪୫-୫୦ ଟଙ୍କାରେ ବିକ୍ରି ହେଉଛି। ଦୋକାନୀମାନେ ଚଢ଼ା ଦରରେ ଆଳୁ ବିକ୍ରି କରୁଥିଲେ ହେଁ ଯୋଗାଣ ବିଭାଗ ପକ୍ଷରୁ ବଡ଼ ଧରଣର ଚଢ଼ାଉ ହୋଇନାହିଁ କି କାର୍ଯ୍ୟାନୁଷ୍ଠାନ ବି ନିଆଯାଇନି। ମନ୍ତ୍ରୀଙ୍କ ତାଗିଦ୍କୁ ଯୋଗାଣ ବିଭାଗର ଅଧିକାରୀ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛନ୍ତି। ଗତ ୫ଦିନ ହେବ ଓଡ଼ିଶା ଆଳୁ ବଜାରରେ ନିଆଁ ଲାଗିଛି। ପଶ୍ଚିମବଙ୍ଗ ସରକାର ଆଳୁ ଟ୍ରକ୍ଗୁଡ଼ିକୁ ଓଡ଼ିଶା ଆସିବା ଲାଗି ଅନୁମତି ଦେଉ ନ ଥିବାରୁ ରାଜ୍ୟରେ ଦର ଖସୁନାହିଁ। ଏହାର ସୁଯୋଗ ନେଇ ଅସାଧୁ ବ୍ୟବସାୟୀମାନେ ମନଇଚ୍ଛା ଦରରେ ଆଳୁ ବିକ୍ରି କରୁଛନ୍ତି। ଖାଇବା ପ୍ଲେଟ୍ରୁ ଆଳୁ କମି ଗଲାଣି। ଆଜି ପଶ୍ଚିମବଙ୍ଗରୁ ଲୁଚାଛପାରେ କିଛି ଆଳୁ ଟ୍ରକ୍ ଓଡ଼ିଶାରେ ପହଞ୍ଚିଛି। କୁବେରପୁରୀ ଆଳୁ ଗୋଦାମରେ ପର୍ଯ୍ୟାପ୍ତ ଆଳୁ ରହିଛି। ଏଠାରେ ହୋଲସେଲ୍ରେ କ୍ବିଣ୍ଟାଲ ପିଛା ୩୨ଶହ ଟଙ୍କାରେ ବିକ୍ରି ହେଉଛି। ମାତ୍ର ଖୁଚୁରା ବଜାରରେ ଆଳୁ ଦର ନିୟନ୍ତ୍ରିତ ହୋଇପାରୁନାହିଁ।
ମମତା-ମୋହନ ଆଲୋଚନା, ଆଳୁ ଆସିବା ପ୍ରକ୍ରିୟା ସ୍ବାଭାବିକ ହୋଇଥିବା ନେଇ ‘ଏକ୍ସ’ରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ
ଦୋକାନୀମାନଙ୍କ କହିବା କଥା ଆଳୁ ପ୍ୟାକେଟ୍ ୧୬ଶହ ଟଙ୍କା ପଡ଼ୁଛି। ୪୫ କେଜିଆ ବସ୍ତାରେ ୨-୩ କେଜି ନଷ୍ଟ ଥିବାରୁ କିଣା ଦର ୩୮ଟଙ୍କାରୁ ଅଧିକ। ତେଣୁ ସରକାର ଯେଉଁ ଦରରେ ବିକ୍ରି କରିବା କଥା କହୁଛନ୍ତି ସେଥିରେ ବିକ୍ରି କରିବା ସମ୍ଭବ ନୁହେଁ। ତେଣୁ ଅଧିକ ଦାମ୍ରେ ଆଳୁ ବିକ୍ରି କରିବା ଲାଗି ବାଧ୍ୟ ହେଉଛୁ। ଅପରପକ୍ଷରେ ପରିବା ଦର ଉଚ୍ଚା ରହିଥିବା ବେଳେ ଆଳୁ ଦର ବଢ଼ିଯିବା ଖାଉଟିଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ସରକାର ତୁରନ୍ତ ଏ ଦିଗରେ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରନ୍ତୁ ବୋଲି ଲୋକମାନେ ଦାବି କରିଛନ୍ତି। ଯୋଗାଣ ମନ୍ତ୍ରୀଙ୍କ ତାଗିଦ୍ ପରେ ଆଜି ଭୁବନେଶ୍ବରର ବଡ଼ ପରିବା ବଜାର ୟୁନିଟ୍-୧ରେ ଦୋକାନୀମାନେ ଲଟ୍କାରେ ଆଳୁ ଦର ୩୫ ଟଙ୍କା ବୋଲି ଉଲ୍ଲେଖ କରିଥିଲେ। ମାତ୍ର ଗରାଖ ଆଳୁ କିଣିଲା ବେଳକୁ ଦର ୪୫ ଟଙ୍କାରୁ କମ୍ ନାହିଁ। ୩୨ଟଙ୍କାରେ ବିକ୍ରି କରିବା ଲାଗି ମନ୍ତ୍ରୀ କହିଥିବା କଥା ଉଲ୍ଲେଖ କଲେ ଦୋକାନୀଙ୍କ ସହ ଗରାଖଙ୍କ ଯୁକ୍ତିତର୍କ ଲାଗୁଛି। ଦୋକାନୀ ମାନୁ ନ ଥିବାରୁ ବାଧ୍ୟ ହୋଇ ଚଢ଼ା ଦରରେ ଆଳୁ କିଣିବା ଲାଗି ଲୋକମାନେ ବାଧ୍ୟ ହେଉଛନ୍ତି। ଏ ସ୍ଥିତି କେବଳ ଭୁବନେଶ୍ବର ନୁହେଁ ରାଜ୍ୟର ସବୁ ସ୍ଥାନରେ। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ପଶ୍ଚିମବଙ୍ଗରୁ ଆଳୁ ଆସିବା ବନ୍ଦ ଥିବାରୁ ଦର ବଢ଼ିଥିଲା। ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା ପରେ ଏବେ ଆଳୁ ଆସିବା ଆରମ୍ଭ ହୋଇଛି। ବଜାର ଦର ଧୀରେ ଧୀରେ ସ୍ବାଭାବିକ ହେଉଛି। ବଜାରରେ ଆଳୁ ୩୨-୩୪ ଟଙ୍କା ହେଲାଣି ବୋଲି ଶ୍ରୀ ପାତ୍ର କହିଛନ୍ତି।