ଭୁବନେଶ୍ବର: ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ଗାଡ଼ି ଆସିବା ବନ୍ଦ ହେବାକୁ ୨ଦିନ ହେଲାଣି। ଏହାଭିତରେ ବଜାରରେ ଆଳୁ ଦର ବଢ଼ିଗଲାଣି। ଲୋକମାନେ କେଉଁଠି ଆଳୁ କେଜି ୪୦ ଟଙ୍କା ତ ଆଉ କେଉଁଠି ୪୫ ଟଙ୍କାରେ କିଣୁଛନ୍ତି। ହେଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରାଜ୍ୟରେ ଆଳୁ ଦର ବଢ଼ିଥିବା ମାନିବାକୁ ନାରାଜ। ମନ୍ତ୍ରୀ ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ସେ ୩୦ ଟଙ୍କାରେ ଆଳୁ କିଣୁଛନ୍ତି। ରାଜ୍ୟରେ ଆଳୁ ଯୋଗାଣ କିଭଳି ସ୍ବାଭାବିକ ହେବ ଓ ଲୋକମାନେ ସୁଲଭ ଦରରେ ଆଳୁ ପାଇବେ ତାହାକୁ ସୁନିଶ୍ଚିତ କରିବା ବଦଳରେ ମନ୍ତ୍ରୀ ଗଣମାଧ୍ୟମରେ ବୟାନବାଜିରେ ମାତିବା ଗ୍ରାହକଙ୍କୁ ଚିନ୍ତାରେ ପକାଇଛି। ୩ମାସ ତଳେ ଓଡ଼ିଶାରେ ଏଭଳି ଆଳୁ ସଂକଟ ଦେଖା ଦେଇଥିଲା। ଆଳୁ ଦର ୫୦ରୁ ୬୦ ଟଙ୍କା ଛୁଇଁଥିଲା। ବେଶ୍ କିଛିଦିନ ଧରି ଲୋକମାନେ ଆଳୁକୁ ନେଇ ହନ୍ତସନ୍ତ ହୋଇଥିଲେ। ଏଥିରେ ସୁଧାର ଆସିବାର କିଛିଦିନ ପରେ ପୂର୍ବସ୍ଥିତି ଫେରିଛି। ପଶ୍ଚିମବଙ୍ଗ ସରକାର ଅନ୍ୟ ରାଜ୍ୟକୁ ଆଳୁ ପଠାଇବାକୁ ମନା କରିବାରୁ ଓଡ଼ିଶାରେ ଆଳୁ ସଂକଟ ବଢ଼ିଯାଇଛି। ଗୋଦାମରୁ ଆଳୁ ଷ୍ଟକ୍ ସରିଗଲାଣି। ଭୁବନେଶ୍ବର ଆଇଗିଣିଆ, କଟକ ଛତ୍ରବଜାର ଆଳୁ ଗଦିକୁ ପର୍ଯ୍ୟାପ୍ତ ଆଳୁ ଆସୁନାହିଁ। ଲୁଚାଛପାରେ ଯେଉଁ ଗାଡ଼ି ଆସୁଛି ତାହା ଯଥେଷ୍ଟ ନୁହେଁ। ଯେ ପର୍ଯ୍ୟନ୍ତ ଆଳୁ ଯୋଗାଣ ସ୍ବାଭାବିକ ହୋଇନାହିଁ ସେ ପର୍ଯ୍ୟନ୍ତ ଦର କ’ଣ ହେବ ତାହା କହିହେବ ନାହିଁ ବୋଲି ବ୍ୟବସାୟୀମାନେ କହିଲେଣି।
କୁବେରପୁରୀ ବ୍ୟବସାୟୀ ମହାସଂଘ ସଂପାଦକ ଆଇନଜୀବୀ ଶକ୍ତିଶଙ୍କର ମିଶ୍ର କହିଛନ୍ତି, ଆଳୁ ଯୋଗାଣ ବନ୍ଦ ହୋଇଥିବାରୁ ହୋଲସେଲ୍ ଦର ୩୮ ଟଙ୍କା ହେଲାଣି। ଆଳୁ ବିବାଦର ସମାଧାନ କରିବାରେ ରାଜ୍ୟ ସରକାରଙ୍କ ବିଶେଷ ସହଯୋଗ ମିଳୁନାହିଁ। ନିକଟରେ ଯୋଗାଣମନ୍ତ୍ରୀଙ୍କ ସହ ଆଲୋଚନା ସମୟରେ ଉତ୍ତରପ୍ରଦେଶରୁ ଆଳୁ ଆଣିବା ପାଇଁ ଜଣେ ନୋଡାଲ ଅଧିକାରୀଙ୍କୁ ଦାୟିତ୍ବ ଦେବା ଲାଗି ଅନୁରୋଧ କରାଯାଇଥିଲା। ହେଲେ ଏହା ଉପରେ କୌଣସି ପଦକ୍ଷେପ ନିଆଗଲା ନାହିଁ। ସମାନ ଢଙ୍ଗରେ ୩ବର୍ଷ ତଳେ ଆଳୁକୁ ନେଇ ସମସ୍ୟା ସୃଷ୍ଟି ହେବାରୁ ଉତ୍ତରପ୍ରଦେଶ ବ୍ୟବସାୟୀଙ୍କ ସହ ଭୁବନେଶ୍ବରରେ ଏକ ବୈଠକ ହୋଇଥିଲା। ପରବର୍ତ୍ତୀ ସମୟରେ ସେଠାରୁ ଓଡ଼ିଶାକୁ ଆଳୁ ଆସିବା ସହଜ ହୋଇଥିଲା। ତେଣୁ ରାଜ୍ୟ ସରକାର ଆଗ୍ରହ ପ୍ରକାଶ କଲେ ଆଳୁ ବିବାଦର ସମାଧାନ ହୋଇପାରିବ। ଏବେ ବ୍ୟବସାୟୀମାନେ ନିଜ ଉଦ୍ୟମରେ ବାହାରୁ ଆଳୁ ଆଣୁଛନ୍ତି। ଦିନକୁ ୩ରୁ ୪ଟି ଗାଡ଼ି ଆସୁଛି। ମାତ୍ର ଉତ୍ତରପ୍ରଦେଶରୁ ଆଳୁ ଆସିଲେ କମ୍ ଦାମ୍ରେ ଓଡ଼ିଶାର ଲୋକମାନେ ଆଳୁ ପାଇପାରିବେ ବୋଲି ଶ୍ରୀ ମିଶ୍ର କହିଛନ୍ତି।
ଆମେ ମାଗିଖିଆ ନୁହଁ, ପଶ୍ଚିମବଙ୍ଗକୁ ମାଗିବୁନି: ଯୋଗାଣ ମନ୍ତ୍ରୀ
ଅପରପକ୍ଷରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଆଳୁକୁ ନେଇ ପଶ୍ଚିମବଙ୍ଗ ସରକାର ରାଜନୀତି କରୁଛନ୍ତି। ତାଙ୍କ ଇଚ୍ଛା ଅନୁଯାୟୀ କେତେବେଳେ ଆଳୁ ଛାଡ଼ୁଛନ୍ତି ତ ଆଉ କେତେବେଳେ ମନା କରୁଛନ୍ତି। ଏମିତି କରିବା ଠିକ୍ ନୁହେଁ। ପଶ୍ଚିମବଙ୍ଗରୁ ଆଉ ଆଳୁ ମଗାଯିବ ନାହିଁ। ଆମେ ମାଗିଖିଆ ନୁହେଁ। ପଶ୍ଚିମବଙ୍ଗ ସରକାର ତ ପୁଣି ଅନ୍ୟ ରାଜ୍ୟରୁ ମାଛ ଅଣ୍ଡା ଓଡ଼ିଶା ବାଟ ଦେଇ ନିଜ ରାଜ୍ୟକୁ ନେଉଛନ୍ତି। ରାଜ୍ୟ ସରକାର ଚାହିଁଲେ ୨ ମିନିଟ୍ରେ ବନ୍ଦ କରିଦେବେ। ଏବେ ଉତ୍ତରପ୍ରଦେଶରୁ ଆଳୁ ଆସିବା ଆରମ୍ଭ ହୋଇଛି। ରାଜ୍ୟରେ ଆଳୁ ଦର ୪୦ ଟଙ୍କା ଛୁଇଁନାହିଁ। ବ୍ୟବସାୟୀ ଚଢ଼ା ଦରରେ ବିକ୍ରି କଲେ ଚଢ଼ାଉ କରାଯିବ। କ’ଣ ପାଇଁ ଆଳୁ ଦର ଅଧିକ ରହୁଛି ତାହାର ଅନୁଧ୍ୟାନ କରାଯିବ। ଆଳୁରେ ଆତ୍ମନିର୍ଭର ହେବା ଲାଗି ବ୍ୟାପକ ଯୋଜନା ହୋଇଛି। ୩ ବିଭାଗକୁ ନେଇ ଖୁବ୍ଶୀଘ୍ର ବୈଠକ ବସିବ। ଆସନ୍ତା ବର୍ଷେ କିମ୍ବା ଦେଢ଼ ବର୍ଷ ଭିତରେ ଓଡ଼ିଶା ଏଥିରେ ଆତ୍ମନିର୍ଭର ହେବ ଏବଂ ବାହାର ରାଜ୍ୟରୁ ଆଳୁ ଆଣିବା ଆବଶ୍ୟକତା ପଡ଼ିବ ନାହିଁ ବୋଲି ଶ୍ରୀ ପାତ୍ର କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାକୁ ପ୍ରତିଦିନ ୪୫ଶହ ଟନ୍ ଓ ବାର୍ଷିକ ପ୍ରାୟ ୧୪ଲକ୍ଷ ଟନ୍ ଆଳୁର ଆବଶ୍ୟକତା ରହିଛି। ୨୦୨୩-୨୪(ଅଗ୍ରୀମ ଆକଳନ) ଅନୁଯାୟୀ ରାଜ୍ୟରେ ୪.୨୭ଲକ୍ଷ ମେଟ୍ରିକ୍ ଟନ୍ ଆଳୁ ଓ ୪.୧୯ଲକ୍ଷ ମେଟ୍ରିକ୍ ଟନ୍ ପିଆଜ ଉତ୍ପାଦିତ ହେବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି।