ଭୁବନେଶ୍ୱର : ପିଆଜ ପଛେ ପଛେ ଆଳୁର କ୍ରମାଗତ ଦର ବୃଦ୍ଧି ଖାଉଟିଙ୍କୁ କନ୍ଦାଇବା ଆରମ୍ଭ କରିଛି। ଆଖିରୁ ପିଆଜ ଲୁହ ନ ମରୁଣୁ ଆଳୁ ଦର ବୃଦ୍ଧି ଖାଉଟିଙ୍କ ମୁଣ୍ଡରେ ଚଡ଼କ ପକାଇଛି। ଆଜି ଖୁଚୁରା ବଜାରରେ ହଠାତ୍ ଆଳୁ ଦର ୪୨ଟଙ୍କାକୁ ଛୁଇଁଛି। ରାଜଧାନୀର କିଛି ଛୋଟ ଛୋଟ ହାଟରେ ଆଜି ଖୁଚୁରା ବେପାରୀମାନେ କିଲୋ ପିଛା ୪୫ ଟଙ୍କାକୁ ବଢ଼ାଇ ଦେଇଥିବା ଜଣାପଡ଼ିଛି। ପାଇକାରୀ ଦର ମାତ୍ର ୪ ଟଙ୍କା ବୃଦ୍ଧି ପାଇଥିବାବେଳେ ଖୁଚୁରା ବେପାରୀମାନେ କିଲୋ ପିଛା ୭ ଟଙ୍କା ବଢ଼ାଇ ଖାଉଟିଙ୍କୁ ଶୋଷଣ କରୁଛନ୍ତି। ସେହିଭଳି ଗତ ସପ୍ତାହେ ହେଲା ପିଆଜ ଦର କିଛିଟା ହ୍ରାସ ପାଇଥିଲେ ହେଁ ଆଜି ପୁଣି ପିଆଜ ବଜାରରେ ଦର ବୃଦ୍ଧିର ତାତି ସୃଷ୍ଟି ହୋଇଛି। ପାଇକାରୀ ଦର ୫ ଟଙ୍କା ବଢ଼ିଥିବାବେଳେ ଖୁଚୁରା ବଜାରରେ କିଲୋ ପିଛା ୧୦ ଟଙ୍କା ବଢ଼ିଥିବା ଜଣାପଡ଼ିଛି। ଆଜି ପିଆଜର ଖୁଚୁରା ବଜାର ୭୫ ଟଙ୍କାକୁ ଛୁଇଁଛି।
/sambad/media/post_attachments/wp-content/uploads/2020/11/patato-1-300x170.jpg)
ଚଳିତ ସପ୍ତାହରେ ଆଳୁର ପାଇକାରୀ ଦର କ୍ବିଣ୍ଟାଲ ପିଛା ୨୮ ଶହ ଟଙ୍କା ଥିଲା। ତେଣୁ ଖୁଚୁରା ବଜାରରେ କିଲୋ ପିଛା ୩୫ ଟଙ୍କା ଦରରେ ଆଳୁ ବିକ୍ରି ହେଉଥିଲା। କିନ୍ତୁ ଆଜି ସକାଳେ ହଠାତ୍ ପାଇକାରୀ ବଜାରରେ ଆଳୁ କ୍ବିଣ୍ଟାଲ ୩୨ରୁ ୩୩ ଟଙ୍କାକୁ ବୃଦ୍ଧି ପାଇଥିଲା। ଅର୍ଥାତ୍ ପାଇକାରୀ ବଜାର ଦର ହିସାବରେ କିଲୋ ପିଛା ସର୍ବାଧିକ ୫ ଟଙ୍କା ବଢ଼ିଥିଲା। ତେଣୁ ନିୟମାନୁସାରେ ଖୁଚୁରା ବଜାରରେ ଆଳୁ କିଲୋ ଅତିବେଶିରେ ୪୦ ଟଙ୍କା ହେବା କଥା। କିନ୍ତୁ ରାଜଧାନୀର ବିଭିନ୍ନ ହାଟରେ ଆଜି ଆଳୁ ୪୨ ଟଙ୍କାରେ ବିକ୍ରି ହୋଇଛି।
ଏମିତିକି ରବି ଟକିଜ୍, ସୁନ୍ଦରପଦା, ନୂଆପଲ୍ଲୀ ଓ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଆଳୁ କିଲୋ ୪୫ ଟଙ୍କା ହୋଇଯାଇଛି। ଅର୍ଥାତ୍ ଖୁଚୁରା ବେପାରୀମାନେ କିଲୋ ପ୍ରତି ପାଖାପାଖି ୧୦ ଟଙ୍କା ମୁନାଫା ରଖି ବିକୁଛନ୍ତି ଓ ଦରବୃଦ୍ଧି ବାହାନା କରି ଖାଉଟିଙ୍କୁ ଶୋଷଣ କରୁଛନ୍ତି। ଯୋଗାଣ ବିଭାଗର ନିଷ୍କ୍ରିୟତାର ସୁଯୋଗ ନେଇ ଖୁଚୁରା ବେପାରୀମାନେ ସୁଯୋଗ ପାଇବା ମାତ୍ରେ ଖାଉଟିଙ୍କୁ ଶୋଷି ପକାଉଥିବା ଅଭିଯୋଗ ହେଉଛି। କୁବେରପୁରୀର ବ୍ୟବସାୟୀ ସଂଘର ସମ୍ପାଦକ ତଥା ଆଇନଜୀବୀ ଶକ୍ତିଶଙ୍କର ମିଶ୍ରଙ୍କ ସୂଚନାନୁସାରେ ଏବେ ନୂଆ ଆଳୁ ଅମଳ ପାଇଁ କିଛି ଦିନ ବାକି ଅଛି। ଏହି ସମୟରେ ସାଧାରଣତଃ ଶୀତଳଭଣ୍ଡାରରେ ସାଇତିଥିବା ଚାଷୀମାନଙ୍କ ଆଳୁ ସରି ଯାଇଥାଏ। ତେବେ ଚଳିତ ବର୍ଷ ଚିତ୍ର ବଦଳିଯାଇଛି। ବଡ଼ ବଡ଼ ବେପାରୀମାନେ ଆଗୁଆ ଚାଷୀମାନଙ୍କଠାରୁ ଆଳୁ କିଣି ନେବା ପରେ ଶୀତଳଭଣ୍ଡାରରୁ ବଜାରକୁ ଛାଡ଼ୁନାହାନ୍ତି। ସେମାନେ ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରିବା ଲକ୍ଷ୍ୟରେ ଶୀତଳଭଣ୍ଡାରରୁ ଚାପିଚୁପି ମାଲ୍ ବାହାର କରୁଛନ୍ତି। ତେଣୁ ଏବେ ପଶ୍ଚିମବଙ୍ଗରେ ବି ଆଳୁ ଦର ବୃଦ୍ଧି ପାଇଛି। ନୂଆ ଆଳୁ ଅମଳ ହେବାକୁ ଆହୁରି ପାଖାପାଖି ଗୋଟିଏ ମାସରୁ ଅଧିକ ସମୟ ଥିବାରୁ ଆଗକୁ ଆଳୁ ଦର ପୁଣି ବଢ଼ିବ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି।
/sambad/media/post_attachments/wp-content/uploads/2020/11/POTATO_200106-300x229.jpg)
ତେବେ ଏଭଳି ସ୍ଥିତିରେ କେବଳ ଖୁଚୁରା ବଜାରକୁ ନିୟନ୍ତ୍ରଣ କରି ଖାଉଟିଙ୍କୁ ସୁରକ୍ଷା ଦେଇ ହେବ ବୋଲି ଶ୍ରୀ ମିଶ୍ର କହିଛନ୍ତି। ଯୋଗାଣ ବିଭାଗ ସକ୍ରିୟ ନ ରହିଲେ ଖାଉଟିଙ୍କ ଦୁର୍ଦ୍ଦଶା ବଢ଼ିବ ବୋଲି ସେ ଓ ଅନ୍ୟ ପାଇକାରୀ ବ୍ୟବସାୟୀମାନେ କହିଛନ୍ତି। ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ଆଣିଥିବା ପରିବର୍ତ୍ତନ(ମହଜୁଦ୍ ସୀମା ପ୍ରତ୍ୟାହାର) ପାଇଁ ଆଗକୁ ଏମିତି ପରିସ୍ଥିତି ସୃଷ୍ଟି ହେବ ବୋଲି କିଛି ବ୍ୟବସାୟୀ କହିଛନ୍ତି। ଏ ନେଇ ଖୋର୍ଦ୍ଧା ଯୋଗାଣ ବିଭାଗ ଅଧିକାରୀ(ସିଏସ୍ଓ)ଙ୍କ ଯୋଗାଯୋଗ ସମ୍ଭବ ହୋଇନଥିଲେ ମଧ୍ୟ ଅନ୍ୟ ଜଣେ ଅଧିକାରୀଙ୍କ କହିବା କଥା ଆଳୁ ପିଆଜ ଦର ବୃଦ୍ଧି ଅଚାନକ ଓ ଅନିୟମିତଭାବେ ବଢ଼ୁଥିବାରୁ ପୂର୍ବରୁ ସୂଚନା ମିଳିବା ସମ୍ଭବ ହେଉନାହିଁ। ତେଣୁ ଖୁଚୁରା ବେପାରୀମାନେ ଏହି ମଉକାରେ ଖାଉଟିଙ୍କୁ ଶୋଷଣ କରୁଛନ୍ତି। ତେବେ ଆସନ୍ତାକାଲିଠାରୁ ଏମ୍ଆଇମାନଙ୍କୁ ଏହି ଦର ବୃଦ୍ଧି ବାବଦରେ ତଥ୍ୟ ସଂଗ୍ରହ ପାଇଁ ନିର୍ଦ୍ଦେଶ ଦିଆଯିବ ବୋଲି ସେ କହିଛନ୍ତି।