ଅମ୍ଫାନ୍‌ ପ୍ରଭାବ : ଓଡ଼ିଶାରେ ଆଳୁ ୩୦ ଛୁଇଁଲା

ପଶ୍ଚିମବଂଗରୁ ପର୍ଯ୍ୟାପ୍ତ ଆଳୁ ଆସୁନି, ଆହୁରି ବଢ଼ିପାରେ ଦର

ଭୁବନେଶ୍ବର : ମହାମାରୀ କୋଭିଡ୍‌-୧୯ ପାଇଁ ବିଭିନ୍ନ କ୍ଷେତ୍ରରେ କଟକଣା ଲାଗି ରହିଥିବାରୁ ଗରିବ ଲୋକେ ସମ୍ପୂର୍ଣ୍ଣ ରୋଜଗାରକ୍ଷମ ହୋଇ ପାରିନାହାନ୍ତି। ଏଭଳି ସ୍ଥିତିରେ ଖାଉଟି ବଜାରରେ ଆଳୁ ଦର ବୃଦ୍ଧି ପାଇଛି। ଗତ ସପ୍ତାହରେ ଖୁଚୁରା ବଜାରରେ କିଲୋ ୨୦/୨୨ଟଙ୍କାରେ ବିକ୍ରି ହେଉଥିବା ଆଳୁ ଆଜି ୩୦ ଟଙ୍କାକୁ ଛୁଇଁଛି। ପଶ୍ଚିମବଙ୍ଗରେ ଆଳୁ ଦର ବୃଦ୍ଧି ଘଟିଥିବାବେଳେ ଓଡ଼ିଶାକୁ ଆମଦାନି ହ୍ରାସ ପାଇଥିବାରୁ ଏଭଳି ଘଟିଛି ବୋଲି ବ୍ୟବସାୟୀମାନେ କହିଛନ୍ତି। ସାମୁଦ୍ରିକ ବାତ୍ୟା ଅମ୍ଫାନ୍‌ ପାଇଁ ପଶ୍ଚିମବଙ୍ଗରେ ଜନଜୀବନ ସ୍ବାଭାବିକ ହୋଇନଥିବାରୁ ଆଳୁ ଆମଦାନି ପ୍ରଭାବିତ ହୋଇଛି ବୋଲି କୁହାଯାଉଛି। ସେହିଭଳି ବିଭିନ୍ନ କାରଣରୁ ଆଳୁ ରପ୍ତାନିକାରୀ ବ୍ୟବସାୟୀମାନେ ମଧ୍ୟ ଆଳୁ ଦର ବଢ଼ାଇଥିବାରୁ ଓଡ଼ିଶାରେ ଆଳୁ ଦର ଅସ୍ବାଭାବିକ ଭାବେ ବୃଦ୍ଧି ପାଇଛି। କିନ୍ତୁ ରାଜ୍ୟ ସରକାର ଖୁଚୁରା ବେପାରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନେଉନଥିବାରୁ ଖାଉଟିମାନେ ଅଧିକ ମାତ୍ରାରେ ଶୋଷଣର ଶିକାର ହେଉଛନ୍ତି ବୋଲି ବିଭିନ୍ନ ମହଲରୁ ଅଭିଯୋଗ ହୋଇଛି।

Live Science

ଗତ ସପ୍ତାହରେ ଆଳୁର ପାଇକାରୀ ଦର ୧୬/୧୭ ଶହ ଟଙ୍କା ଥିଲା। ତେଣୁ ଖୁଚୁରା ବଜାରରେ କିଲୋ ପିଛା ୨୦/୨୨ ଟଙ୍କାରେ ଆଳୁ ବିକ୍ରି ହେଉଥିଲା। ଗତକାଲି ହଠାତ୍ ପାଇକାରୀ ଦର ବୃଦ୍ଧି ପାଇଲା। କ୍ବିଣ୍ଟାଲ୍‌ ପିଛା ୪ ଶହ ଟଙ୍କା ବଢ଼ିଗଲା। କୁବେରପୁରୀରୁ ମିଳିଥିବା ସୂଚନାନୁସାରେ ଆଜି ପାଇକାରୀ ବଜାରରେ ଆଳୁ କ୍ବିଣ୍ଟାଲ୍‌ ୨ ହଜାରରୁ ୨ ହଜାର ୫୦ ଟଙ୍କା ରହିଛି। କିନ୍ତୁ ବହୁ ସ୍ଥାନରେ ଖୁଚୁରା ବେପାରୀମାନେ କିଲୋ ପିଛା ୨୮ ଟଙ୍କାରୁ ୩୦ ଟଙ୍କା ମଧ୍ୟରେ ବିକ୍ରି କରୁଛନ୍ତି। ନିୟମାନୁସାରେ ଖୁଚୁରା ବେପାରୀମାନେ ପାଇକାରୀ ଦରଠାରୁ କିଲୋ ପିଛା ୪ ଟଙ୍କା ଅଧିକ ଦରରେ ବିକିବା କଥା। ସେମିତି ହେଲେ ଖୁଚୁରା ବଜାରରେ ଆଳୁ କିଲୋ ଅତିବେଶିରେ ୨୫ ଟଙ୍କା ହେବା କଥା। କିନ୍ତୁ ଯୋଗାଣ ବିଭାଗର ନିଷ୍କ୍ରିୟତା ପାଇଁ ଖୁଚୁରା ବେପାରୀମାନେ ମନଇଚ୍ଛା ଦର ସ୍ଥିର କରୁଛନ୍ତି। ସେମାନେ କିଲୋ ପିଛା ୮ ଟଙ୍କା ଲାଭ ରଖି ବେପାର କରୁଛନ୍ତି। ଏହାଦ୍ବାରା ବିଚରା ଖାଉଟିମା‌େନ‌ ଶୋଷଣର ଶିକାର ହେଉଛନ୍ତି। କୁବେରପୁରୀ ସୂଚନା ଅନୁସାରେ ରାଜଧାନୀକୁ ଦୈନିକ ୨୫୦ ଟନ୍‌ ଆଳୁର ଆବଶ୍ୟକତା ରହିଛି। କିନ୍ତୁ ବହୁ ସମୟରେ ୩ ଶହରୁ ଅଧିକ ଆଳୁ ଆମଦାନି ହୋଇଥାଏ। ବାତ୍ୟା ଅମ୍ଫାନ୍ ପରେ ଏବେ ୧୫୦ରୁ ୨୦୦ ଟନ୍‌ ଆଳୁ ପଶ୍ଚିମବଙ୍ଗରୁ ଆସୁଛି। ସେଠାରେ ମଧ୍ୟ ଆଳୁ ଦର କ୍ବିଣ୍ଟାଲ ପିଛା ୨୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ସେଠାରେ ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ରିଲିଫ୍‌ କାର୍ଯ୍ୟକ୍ରମ ଚାଲିଥିବାରୁ ଆଳୁ ଦର ବଢ଼ିଛି ବୋଲି କୁହାଯାଉଛି। ତେବେ ଏହି ଦର ବୃଦ୍ଧିକୁ ନେଇ ଏବେଠାରୁ କିଛି ଆକଳନ କରିବା ମୁସ୍କିଲ୍‌ ବୋଲି କିଛି ବ୍ୟବସାୟୀ ଆଶଙ୍କା କରିଛନ୍ତି। ଏବେ ଆଳୁ, ଡାଲି, ପିଆଜ ଭଳି ଅନେକ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ୍‌ ଉପରୁ କେନ୍ଦ୍ର ସରକାର କଟକଣା ହଟାଇ ନେଇଥିବାରୁ ଭବିଷ୍ୟତରେ ଏହାର କୁପ୍ରଭାବ ଖାଉଟିମାନଙ୍କ ଉପରେ ପଡ଼ିବ ବୋଲି ସେମା‌ନେ ଆଶଙ୍କା ପ୍ରକାଶ କରିଛନ୍ତି। ତେଣୁ ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କ ପଦ‌କ୍ଷେପକୁ ସମସ୍ତେ ଅପେକ୍ଷା କରିଛନ୍ତି।

ସମ୍ବନ୍ଧିତ ଖବର