ଜଳେଶ୍ୱର: ଓଡ଼ିଶାକୁ ଆଳୁ ପଠାଇବା ନେଇ ଏବେ ବି ପଶ୍ଚିମବଙ୍ଗ ସରକାରଙ୍କ ଅଘୋଷିତ କଟକଣା ଏବେ ବି ଜାରି ରହିଛି। ଏଥିପାଇଁ ଆଜି ପଶ୍ଚିମବଙ୍ଗ ଦାନ୍ତୁନ ଥାନା ସୁନାକଣିଆଠାରେ ଜାତୀୟ ରାଜପଥରେ ଥିବା ଆନ୍ତଃରାଜ୍ୟ ନାକା ଚେକ୍ପୋଷ୍ଟ୍ ନିକଟରେ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରିଛନ୍ତି। ଦାନ୍ତୁନ ପୁଲିସ ଓଡ଼ିଶା ମଧ୍ୟକୁ ଆସୁଥିବା ସମସ୍ତ ଗାଡ଼ିକୁ ତନ୍ନତନ୍ନ କରି ଯାଞ୍ଚ କରୁଛି। ଯାଞ୍ଚ ବେଳେ ଧରାପଡ଼ିଥିବା ଆଳୁଗାଡ଼ିକୁ ପୁଲିସ ଅଟକ ରଖିଥିବା ଜଣାପଡ଼ିଛି। ରାଜ୍ୟ ସରକାରଙ୍କ ଅନୁରୋଧ ଓ ପଦକ୍ଷେପ ସତ୍ତ୍ବେ ବି ପଶ୍ଚିମବଙ୍ଗ ସରକାର ଯେ ନିଜର ଆଭିମୁଖ୍ୟରେ ପରିବର୍ତ୍ତନ ଆଣିନାହିଁ, ଏହି ଘଟଣାରୁ ତାହା ସ୍ପଷ୍ଟ ହୋଇଛି। ତେବେ, ବଙ୍ଗ ବେପାରୀ ଓଡ଼ିଶା ପ୍ରତି କୋହଳ ମନୋଭାବ ପୋଷଣ କରିହେଉ କିମ୍ବା ବ୍ୟାବସାୟିକ ସ୍ବାର୍ଥ ପାଇଁ ହେଉ ରାତି ଅଧରେ ଗଳାବାଟ ଦେଇ ଓଡ଼ିଶାକୁ ଆଳୁ ପଠାଉଛନ୍ତି। ଆଳୁ ଦର ହ୍ରାସ ପାଇବା ପଛରେ ଏହା ପ୍ରମୁଖ କାରଣ ବୋଲି କୁହାଯାଉଛି।
ଗତ ୨୬ ତାରିଖରେ ବଙ୍ଗ ପୁଲିସ ୨୦୦ରୁ ଊର୍ଦ୍ଧ୍ବ ଆଳୁ ଗାଡ଼ିକୁ ନାକା ପଏଣ୍ଟ୍ରୁ ଜୋର୍ଜବରଦସ୍ତ ଫେରାଇ ନେଇଥିଲା। ଫଳରେ ବଙ୍ଗଳାର ଆଳୁ ବ୍ୟବସାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିହୋଇଥିଲା। ତେବେ, ସରକାରୀ କଟକଣାକୁ ଭ୍ରୂକ୍ଷେପ ନକରି ବଙ୍ଗର କେତେକ ବ୍ୟବସାୟୀ ଏବେ ବି ଓଡ଼ିଶାକୁ ଆଳୁ ପଠାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ତଦନୁଯାୟୀ ଆଜି ସୁନାକଣିଆ ନାକା ଚେକ୍ପୋଷ୍ଟ୍ ନିକଟରେ ୩୦ରୁ ଊର୍ଦ୍ଧ୍ବ ଆଳୁ ଗାଡ଼ି ଓଡ଼ିଶା ଭିତରକୁ ଆସିବା ପାଇଁ ଲମ୍ବାଧାଡ଼ିରେ ଛିଡ଼ା ହୋଇଥିଲା ଏବଂ ସେଠାକାର ପୁଲିସ ମଧ୍ୟ ସେଗୁଡ଼ିକୁ ଜଗିରହିଛି। ହସ୍ତଗତ ସୂଚନା ଅନୁସାରେ, ପୁଲିସ ତନ୍ନତନ୍ନ କରି ଯାଞ୍ଚ କରିବାପରେ ଏହିସବୁ ଆଳୁଗାଡ଼ିକୁ ଧରିଛି। ଅନ୍ୟପଟେ ଗତକାଲି କେତେକ ଆଳୁ ଗାଡ଼ିକୁ ଦଲାଲ ଓ ନାକା ପଏଣ୍ଟ୍ରେ ଥିବା ବଙ୍ଗ ପୁଲିସଙ୍କ ସଲାସୁତୁରାରେ ଓଡ଼ିଶା ଭିତରକୁ ପ୍ରବେଶ କରାଇଛନ୍ତି। ଏଥିପାଇଁ ଗୋଟିଏ ଗୋଟିଏ ଟ୍ରକ୍ରୁ ୨୫ରୁ ୨୦ ହଜାର ଓ ପିକଅପ୍ରୁ ୧୦ ରୁ ୫ ହଜାର ଯାଏଁ ଟଙ୍କା ଆଦାୟ କରାଯାଇଥିବା ଅଭିଯୋଗ ହୋଇଛି।
ସେହିପରି, ଆଉ କେତେକ ଗଳାବାଟ ଦେଇ ମଧ୍ୟ ଓଡ଼ିଶାକୁ ଆଳୁ ଆସିବାରେ ଲାଗିଛି। ଚୋରାରେ ଓଡ଼ିଶା ଭିତରକୁ ଆଳୁ ଆସୁଥିବାରୁ ଗତ କିଛିଦିନ ହେଲା ଜଳେଶ୍ୱର ସମେତ ଏହାର ଆଖପାଖ ଅଞ୍ଚଳରେ ଖାଲି ପଡ଼ିଥିବା ଆଳୁ ଗୋଦାମଗୁଡ଼ିକ ଚଳଚଞ୍ଚଳ ହୋଇଉଠିଛି। ଫଳରେ ଏହି ଅଞ୍ଚଳ ତଥା ବାଲେଶ୍ବର ଜିଲ୍ଲାରେ ଗତ ୨୫ ତାରିଖରେ ୫୫ରୁ ୬୦ ଟଙ୍କା ଦରରେ ବିକ୍ରି ହେଉଥିବା ଆଳୁର ଦର ଗତକାଲି ଅପରାହ୍ନରୁ ହ୍ରାସ ପାଇବାରେ ଲାଗିଛି। ଆଜି ଉକ୍ତ ଅଞ୍ଚଳରେ ଆଳୁ ୩୫ରୁ ୪୦ ଟଙ୍କା ଦରରେ ବିକ୍ରି ହେଉଛି। ଫଳରେ ଖାଉଟିମାନେ ଟିକେ ଆଶ୍ବସ୍ତି ଅନୁଭବ କରିଛନ୍ତି। ଏନେଇ ବାଲେଶ୍ବର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ନିରୋଦ ରଞ୍ଜନ ଦାସଙ୍କୁ ପଚାରିବାରୁ ସେ କହିଥିଲେ, ଏବେ ଜିଲ୍ଲାକୁ ଚୋରାରେ ଆଳୁ ଆସିବାରେ ଲାଗିଛି। ଆଜି କେବଳ ବାଲେଶ୍ୱରକୁ ୪ଟି ଟ୍ରକ୍ରେ ୯୦୦ କ୍ବିଣ୍ଟାଲ ଆଳୁ ଆସିଛି। ଜିଲ୍ଲାର ସବୁ ଗୋଦାମର ସ୍ଥିତିକୁ ମିଶାଇଲେ ଏହା ଢେର ଅଧିକ ହେବ ବୋଲି ଶ୍ରୀ ଦାସ ସୂଚନା ଦେଇଥିଲେ।