ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ହଟିଲା ଆଳୁ, ପିଆଜ, ଡାଲି

୬୫ବର୍ଷ ପରେ ସଂଶୋଧନ ହେଲା ଆଇନ, ସଂସଦର ଅନୁମୋଦନ

ଭୁବନେଶ୍ବର: ଆଳୁ, ପିଆଜ, ଡାଲି, ଖାଇବା ତେଲ ଆଦିକୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍ ଦେବା ଲାଗି ରାସ୍ତା ପରିଷ୍କାର ହୋଇଯାଇଛି। ଏସବୁ ସାମଗ୍ରୀ ନିୟନ୍ତ୍ରଣ କ୍ଷମତା ବା ଦର ନିର୍ଧାରଣ କ୍ଷମତା ସରକାର ହରାଇ ବସିଛନ୍ତି। ଗତ ୧୫ ତାରିଖରେ ଲୋକସଭା ଓ ଆଜି (ମଙ୍ଗଳବାର) ରାଜ୍ୟସଭାରେ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ ପାରିତ ହେବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଦୀର୍ଘ ୬୫ବର୍ଷ ପରେ ଆଇନରେ ହୋଇଥିବା ସଂଶୋଧନ ଅନୁଯାୟୀ, କେବଳ ଯୁଦ୍ଧ, ଦୁର୍ଭିକ୍ଷ, ଅସାଧାରଣ ମୂଲ୍ୟ ବୃଦ୍ଧି ଏବଂ ପ୍ରାକୃତିକ ବିପର୍ଯ୍ୟୟ ପରି ପରିସ୍ଥିତିରେ କୃଷି ଖାଦ୍ୟ ସାମଗ୍ରୀ ନିୟନ୍ତ୍ରିତ ହୋଇପାରିବ। କେନ୍ଦ୍ର ସରକାର ଏହି ଅବସରରେ କହିଛନ୍ତି ଯେ ବେସରକାରୀ ନିବେଶକଙ୍କ ବ୍ୟବସାୟ କାର୍ଯ୍ୟରେ ଅତ୍ୟଧିକ ନିୟାମକ ହସ୍ତକ୍ଷେପର ଭୟ ଦୂର କରିବାକୁ ଏଭଳି ପଦକ୍ଷେପ ନିଆଯାଇଛି। ଏହା କୃଷି କ୍ଷେତ୍ରରେ ଘରୋଇ ଓ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବ ଏବଂ ଉଭୟ କୃଷକ ଓ ଗ୍ରାହକଙ୍କ ସପକ୍ଷରେ ରହିବ। ଏହା ଦେଶକୁ ଆତ୍ମନିର୍ଭରଶୀଳ କରିବାରେ ସହାୟକ ହେବ।

ଓଡ଼ିଶାର ଗ୍ରାହକଙ୍କ ପାଇଁ ବିପଦ ବଢ଼ିଲା, ଚାଷୀ ବି ଲାଭବାନ ହେବେନି
ଭିତ୍ତିଭୂମି ନାହିଁ କି ଆତ୍ମନିର୍ଭରଶୀଳ ନୁହେଁ ରାଜ୍ୟ, ଇ-ବଜାର ଫେଲ୍ ମାରିବ

କେନ୍ଦ୍ର ସରକାରଙ୍କ ଏଭଳି ପଦକ୍ଷେପ ପରେ ଏବେ ଓଡ଼ିଶାର ଖାଉଟି ଲାଭରେ ରହିବେ ନା କ୍ଷତିରେ ପଡ଼ିବେ ତାକୁ ନେଇ ଆଶଙ୍କା ବଢିଗଲାଣି। ଉଭୟ ବିଶେଷଜ୍ଞ ଏବଂ ବ୍ୟବସାୟୀ ଓଡ଼ିଶା ଭଳି ରାଜ୍ୟରେ କେନ୍ଦ୍ର ସରକାରଙ୍କ ଏହି ଆଇନର ଏକ ଭଲ ପ୍ରଭାବ ପଡ଼ିବ ବୋଲି ବିଚାର କରିପାରୁନାହାନ୍ତି। ବରଂ ଓଡ଼ିଶାର ଗ୍ରାହକମାନେ ସବୁଠାରୁ ଅଧିକ କ୍ଷତି ସହିବେ ବୋଲି ମତ ରଖିଲେଣି। ଏହି ସଂଶୋଧନ ଏକ ମହତ୍‌ ଉଦ୍ଦେଶ୍ୟରେ କରାଯାଇଥିବା କୁହାଯାଉଥିଲେ ହେଁ, ଏହାର କାର୍ଯ୍ୟାନ୍ବୟନ କ୍ଷେତ୍ରରେ କୌଣସି ପ୍ରସ୍ତୁତି ନାହିଁ। କେବଳ ଧାନ ବା ଚାଉଳକୁ ଛାଡ଼ିଦେଲେ, ଅନ୍ୟ ସବୁ କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ। କାଳିଆ, ବଳରାମ ଭଳି ଅନେକ କାର୍ଯ୍ୟକ୍ରମ ମାଧ୍ୟମରେ ଶହ ଶହ କୋଟି ଟଙ୍କା ବିନିଯୋଗ କରିବା ପରେ ବି ଇତିମଧ୍ୟରେ ଓଡ଼ିଶାର କୃଷକଙ୍କ ମଧ୍ୟରେ କୌଣିସି କ୍ଷେତ୍ରରେ ଆତ୍ମବିଶ୍ବାସ ସୃଷ୍ଟି ହୋଇନାହିଁ। ଚାଷ ବା ଚାଷୀ ପାଇଁ ନା ଆବଶ୍ୟକ ଭିତ୍ତିଭୂମି ସୃଷ୍ଟି କରାଯାଇପାରିଛି ନା ଏକ ଭଲ ବଜାର ପାଇଁ ସରକାର ନିଜକୁ ପ୍ରସ୍ତୁତ କରିପାରିଛନ୍ତି।

କୌତୂହଳର କଥା ହେଉଛି, ରାଜ୍ୟରେ ଆଳୁ ମିସନ ଫେଲ୍ ମାରିଛି ଓ କାଗଜପତ୍ରରେ
ରହିଯାଇଛି ପିଆଜ ମିସନ। ନା କୃଷି ବିଭାଗ ଏଯାଏ କ୍ଲଷ୍ଟର ଉପାୟରେ ପରିବା ଚାଷ ଦିଗରେ ମନୋନିବେଶ କରିଛନ୍ତି ନା ପ୍ରୋସେସିଂ ପ୍ଲାଣ୍ଟ ଅଥବା ଶୀତଳଭଣ୍ଡାର ପ୍ରସ୍ତୁତ କରି ବଜାରରେ ସ୍ଥିରତା ଆଣିବା ଲାଗି ସରକାରୀ କିମ୍ବା ଘରୋଇ କ୍ଷେତ୍ରରେ କିଛି ବ୍ୟବସ୍ଥା ହୋଇପାରିଛି। ଏସବୁ କ୍ଷେତ୍ରରେ ଭିତ୍ତିଭୂମି ନିର୍ମାଣ ଲାଗି କେନ୍ଦ୍ର ସରକାରଙ୍କର ଏକ ବଡ଼ ଯୋଗଦାନ ଅପେକ୍ଷା କରୁଛି। ସେହିଭଳି ଇ-ବଜାର ସୃଷ୍ଟି ପାଇଁ କେନ୍ଦ୍ର ସରକାର ବାଟ ଖୋଲିଛନ୍ତି। ଏହାଦ୍ବାରା ଦୁଆରେ ବସି ଚାଷୀ ନିଜ ସାମଗ୍ରୀକୁ ଦେଶର କୌଣସି ସ୍ଥାନରେ ବି ବିକ୍ରି କରିପାରନ୍ତା। ହେଲେ ଓଡ଼ିଶାର ଟେଲି ଯୋଗାଯୋଗ ସୁବିଧା ଏତେ ଦୁର୍ବଳ ଯେ ରାଜ୍ୟର ଅଧା ବ୍ଲକରେ ଲୋକେ ଏ ସେବା ଅଦ୍ୟାବଧି ପାଇପାରିନାହାନ୍ତି। ବୈଷୟିକ ଜ୍ଞାନକୌଶଳ ଦେବା ଲାଗି କୌଣସି ସ୍ବତନ୍ତ୍ର ବ୍ୟବସ୍ଥା ଏଯାଏ କରାଯାଇପାରିନାହିଁ। ଏଣୁ ଇ-ବଜାର କେବଳ କାନକୁ ଭଲ ଶୁଭୁଥିଲେ ହେଁ, ଓଡ଼ିଶାର ଅର୍ଧାଧିକ ଜିଲ୍ଲା ଏଥିରୁ ବଞ୍ଚିତ ରହିବେ। ବେଶି ଦୂରକୁ ନ ଯାଇ ବର୍ତମାନ ସମୟ ଅର୍ଥାତ୍ ପ୍ରତି ବର୍ଷ ସେପ୍ଟେମ୍ବରରୁ ନଭେମ୍ବର ଶେଷ ଏହି ତିନିମାସ ବଜାର ଉଦାହରଣ ନେଲେ, ଗ୍ରାହକ ଓ ଚାଷ ବା ଚାଷୀ ପ୍ରତି ସରକାରଙ୍କ ଗୁରୁତ୍ବ କେତେ ରହିଛି, ତାହା ଯେ କେହି ବୁଝିପାରିବ। ପ୍ରତିବର୍ଷ ଏହି ସମୟରେ ବଜାର ଦର ଅସ୍ବାଭାବିକ ଭାବେ ବୃଦ୍ଧି ପାଉଛି। ଏକଥା ସମସ୍ତେ ଜାଣନ୍ତି। ହେଲେ ଏଥିରେ ବଜାରରେ ସ୍ଥିରତା ଆଣିବା ଲାଗି କୌଣସି ପଦକ୍ଷେପ ନିଆଯାଇନାହିଁ। ଘରୋଇ କ୍ଷେତ୍ରକୁ ମଧ୍ୟ ସେହି ସ୍ତର ପର୍ଯ୍ୟନ୍ତ ଆଣିବା ଲାଗି ସମସ୍ତ କୌଶଳ ଫେଲ୍ ମାରିଛି, ଯାହା ଉପରେ ନା ରାଜ୍ୟ ସରକାରଙ୍କ କୃଷି ବିଭାଗ ନା ଖାଦ୍ୟ ଯୋଗାଣ ବିଭାଗ ସମୀକ୍ଷା କରିଛନ୍ତି। ଅର୍ଥାତ୍ ଯେଉଁ ସମୟରେ ବଜାରରେ ପ୍ରଚୁର ପରିବା ଉତ୍ପନ୍ନ ହେଉଛି, ସେତେବେଳେ ଗ୍ରାହକକୁ ଶାଗ ମାଛ ଦରରେ ଚାଷୀ ବିକ୍ରି କରିବାକୁ ବାଧ୍ୟ ହେଉଛି। ଆଉ ଉତ୍ପାଦନ ସମୟ ସରିଗଲା ପରେ ବଜାର ଏତେ ଉଚ୍ଚା ରହୁଛି ଯେ ଗ୍ରାହକ ସର୍ବାଧିକ ଶୋଷଣର ଶିକାର ହେଉଛି। ଚାଷୀ ପରିବର୍ତେ ଦଲାଲ ମାଲାମାଲ ହେଉଛନ୍ତି। ତେବେ ସବୁଠାରୁ ଆଶ୍ବସ୍ତର କଥା ହେଲା, ନିୟନ୍ତ୍ରିତ ବଜାର କମିଟି ଯାହା ଦୁର୍ନୀତିର ଏକ ବଡ଼ କ୍ଷେତ୍ର ପାଲଟିଥିଲା, ସେଥିରେ ଏବେ ପୂର୍ଣ୍ଣଛେଦ ପଡିବ। ସରକାରଙ୍କ ରାଜକୋଷକୁ ଅର୍ଥ ଯାଉନଥିଲା ବରଂ ରାଜନେତା-ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ କୋଟି କୋଟି ଟଙ୍କା ପ୍ରତିବର୍ଷ ହରିଲୁଟ୍ ହେଉଥିଲା।

ଅତ୍ୟାବଶ୍ୟକ ଆଇନ ସଂଶୋଧନ ସଂପର୍କରେ ବ୍ୟବସାୟୀ ମହାସଂଘ ପକ୍ଷରୁ ସୁଧାକର ପଣ୍ଡାଙ୍କର କହିବା କଥା ହେଉଛି, ଯଦି କେନ୍ଦ୍ର ସରକାରଙ୍କ ଆଇନ ପରିବର୍ତ୍ତନର ଲାଭାଂଶ ପୁଞ୍ଜିପତିଙ୍କ ହାତକୁ ଚାଲିଯାଏ, ଯାହାର ଭୟ ଅଧିକ ରହିଛି, ତେବେ ଉଭୟ ଚାଷୀ ଓ ଗ୍ରାହକ ସାଂଘାତିକ କ୍ଷତିଗ୍ରସ୍ତ ହେବେ। ଅନ୍ୟଥା ଯଦି ଆବଶ୍ୟକ ଭିତ୍ତିଭୂମି ଏବଂ ଯୋଜନା ବଦ୍ଧ ଚାଷ ସୃଷ୍ଟି କରାଯାଇପାରିଲା, ତେବେ ଉଭୟ ବର୍ଗ ଲାଭ ପାଇବାର ସମ୍ଭାବନା ଅଧିକ। ଓଡ଼ିଶା କ୍ଷେତ୍ରରେ ବର୍ତମାନ ଉଦାହରଣ ନେଲେ, ଏକଥା ଯେ କେହି ବି କହିବ ଯେ ଲାଭ କମ୍, ଗ୍ରାହକ ଅଧିକ ଦୁର୍ଦଶା ଭିତରକୁ ଠେଲି ହୋଇଯିବାର ଭୟ ରହିଛି। କାରଣ ସରକାର ଏ ଯାଏ ଏହି କ୍ଷେତ୍ର ସହିତ ଜଡିତ କୌଣସି ବର୍ଗକୁ ବିଶ୍ବାସକୁ ନେଇନାହାନ୍ତି। ନା ବ୍ୟବସାୟୀଙ୍କ ସହିତ ଆଲୋଚନା କରି ବଜାରରେ ସ୍ଥିରତା ପାଇଁ ଉଦ୍ୟମ ହୋଇଛି ନା ଚାଷୀଙ୍କ ମଧ୍ୟରେ କ୍ଲଷ୍ଟର ଭିତ୍ତିରେ ଚାଷ, ବଜାର, ପ୍ରକ୍ରିୟାକରଣ ଆଦି କ୍ଷେତ୍ରରେ ହସ୍ତକ୍ଷେପ ହୋଇଛି। ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ମଧ୍ୟ ଆକଳନ କରୁଛନ୍ତି ଯେ ଓଡ଼ିଶାର ଚାଷୀ ବା ଗ୍ରାହକ ଏ କ୍ଷେତ୍ରରେ ବିଶେଷ କୌଣସି ଲାଭ ପାଇବାର ସମ୍ଭାବନା ନାହିଁ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ବିଭିନ୍ନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ରହୁଥିଲା ଏବଂ ଦାମ ଅହେତୁକ ଭାବେ ବୃଦ୍ଧି ପାଉଥିଲା ସେ ସମୟରେ ସରକାର ହସ୍ତକ୍ଷେପ କରୁଥିଲେ। କେତେବେଳେ ବଜାରରେ ଚଢଉ କରି ବେଆଇନ ମହଜୁଦକୁ ରୋକାଯାଉଥିଲା। କେବେ କେବେ ସରକାର ନିଜେ ଆଳୁ, ପିଆଜ ବିକ୍ରି କରୁଥିଲେ। ଗତ କିଛି ବର୍ଷ ତଳେ ଅନ୍ୟ ରାଜ୍ୟରୁ ପିଆଜ, ଆଳୁ ଆଣି ବଜାରରେ କିଛି ସମୟ ପାଇଁ ସ୍ଥିରତା ଆଣିବା ଲାଗି ଉଦ୍ୟମ ହୋଇଥିଲା। କଳାବଜାରୀକୁ ରୋକିବା ଦିଗରେ ମଧ୍ୟ ଏହା ସହାୟକ ହେଉଥିଲା। ଏବେ କିନ୍ତୁ ଆଳୁ, ପିଆଜ, ଡାଲି, ତୈଳବୀଜ ଆଦି କୌଣସି କ୍ଷେତ୍ରରେ ଓଡ଼ିଶା ଆତ୍ମନିର୍ଭରଶୀଳ ହୋଇନଥିବା କାରଣରୁ, ବଜାର ନିୟନ୍ତ୍ରଣକୁ ଆସିବା ବା ସ୍ଥିରତା ରହିବା କଷ୍ଟସାଧ୍ୟ ହୋଇପଡିବ। ଏବଂ ଆଇନ ସଂଶୋଧନ ହୋଇଥିବା କାରଣରୁ ସରକାର ନିଜ ମୁଣ୍ଡରୁ ଦାୟିତ୍ବ ଝାଡ଼ି ବସିଯିବାର ଭୟ ରହିଛି, ଯାହା ଖାଉଟିକୁ ଦୁର୍ଦିନକୁ ଠେଲିଦେଇପାରେ।

ସମ୍ବନ୍ଧିତ ଖବର