ବରଗଡ଼: ଆଳୁ କିଲୋ ପ୍ରତି ଚାଷୀ ବିକୁଛି ୯ରୁ ୧୦ ଟଙ୍କା। ନିଜ ଶ୍ରମର ବି ପାଉଣା ମିଳୁନି। ଶୀତଳଭଣ୍ଡାର ନଥିବାରୁ ଚାଷୀମାନେ ଘୋର କ୍ଷତି ସହୁଛନ୍ତି। ବରଗଡ଼ ଜିଲ୍ଲାରେ ଆଳୁ ଚାଷ ଭଲ ହୋଇଥିଲେ ମଧ୍ୟ ଅଭାବୀ ବିକ୍ରିର ଶିକାର ହେଲେଣି ଚାଷୀ। ଚାଷ ପରିମାଣ ବଢୁଛି, କିନ୍ତୁ ଚାଷୀଙ୍କ ଆୟ କମିଚାଲିଛି।
ମିଳିଥିବା ସୂଚନା ଅନୁସାରେ, ବରଗଡ଼ ଜିଲ୍ଲାରେ ଚଳିତ ବର୍ଷ ପ୍ରାୟ ୬୦୦ ହେକ୍ଟର୍ ଜମିରେ ଆଳୁ ଚାଷ କରାଯାଇଛି। ସେଥିମଧ୍ୟରୁ ୩୪୦ ହେକ୍ଟର୍ ଜମିରେ ହୋଇଥିବା ଚାଷରେ ଉଦ୍ୟାନ ବିଭାଗ ପକ୍ଷରୁ ସରକାରୀ ସହାୟତା ତଥା ବିହନରେ ରିହାତି ଦିଆଯାଇଛି। ବିହନ ହିମାଚଳପ୍ରଦେଶ କୁଫରୀ, ପଞ୍ଜାବର ଜଳନ୍ଧରରୁ ଆସୁଛି। କିଲୋ ପ୍ରତି ଅଧା ଦରରେ ତାହା ଚାଷୀଙ୍କୁ ଯୋଗାଇ ଦିଆଯାଉଛି। ନିଜ ହିସାବରେ ଅନ୍ୟ ଚାଷୀମାନେ ଚାଷ କରିଛନ୍ତି। ଏଥର ଭଲ ଚାଷ ହୋଇଥିଲେ ମଧ୍ୟ ଚାଷୀମାନେ ଯେଉଁ ଦରରେ ବଜାରରେ ବିକ୍ରି କରିବା କଥା ତାହା କରିପାରୁନାହାନ୍ତି। ବର୍ତ୍ତମାନ ଆଳୁର ବଜାର ଦର କିଲୋ ପ୍ରତି ୨୦ ଟଙ୍କା ରହିଛି। ଏଣୁ ବେପାରୀ ଆସି ଚାଷୀଙ୍କଠାରୁ ୯ରୁ ୧୦ ଟଙ୍କା ଦରରେ ଆଳୁ ନେଉଛନ୍ତି। ଏପଟେ ଆଳୁ ରଖିବାକୁ ଶୀତଳଭଣ୍ଡାର ନଥିବାରୁ ଚାଷୀମାନେ ବାଧ୍ୟ ହୋଇ କମ୍ ଦରରେ ବେପାରୀଙ୍କ ହାତକୁ ଟେକି ଦେଉଛନ୍ତି। ଜମୁର୍ଡା, ତିଲପାଲି, ସର୍ଲା ଆଦି ଗ୍ରାମର ଆଳୁ ଚାଷୀଙ୍କ କହିବା କଥା ହେଲା, ଯେତିକି ଖର୍ଚ୍ଚ ଚାଷରେ ହୋଇଛି, ସେତିକି ମିଳିପାରୁନି। ସରକାରୀ ସହାୟତା କିଛି ମିଳୁନଥିବା କହିବା ସହ ଶୀତଳଭଣ୍ଡାର ଥିଲେ କିଛି ଲାଭବାନ ହୋଇପାରିବେ ବୋଲି କହିଛନ୍ତି। ଚାଷୀ କରୁଣାକର ଭୋଇ କହିଛନ୍ତି, ନିଜେ ଅଢ଼େଇ ଏକର ଜମିରେ ଚାଷ କରିଥିଲେ। ଏବେ କମ୍ ଦରରେ ବେପାରୀଙ୍କୁ ଆଳୁ ଦେଉଛନ୍ତି। ଶ୍ରମିକ ଖର୍ଚ୍ଚ ମଧ୍ୟ ଠିକରେ ବାହାରୁନି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଜିଲ୍ଲାର ଭଟଲି ଓ ଅମ୍ବାଭୋନା ବ୍ଲକ୍ରେ ସର୍ବାଧିକ ଆଳୁ ଚାଷ ହେଉଛି। କିନ୍ତୁ ଆବଶ୍ୟକ ସୁବିଧା ନଥିବାରୁ ଚାଷୀମାନେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ଏପରିକି ବରଗଡ଼ ଜିଲ୍ଲା କୃଷିଭିତ୍ତିକ ହୋଇଥିଲେ ସୁଦ୍ଧା ଏଯାଏଁ ଗୋଟିଏ ମଧ୍ୟ ସରକାରୀ ଶୀତଳଭଣ୍ଡାର ନାହିଁ। ଏକ ଘରୋଇ ଶୀତଳଭଣ୍ଡାର କେବଳ ରହିଛି। ଆଗକୁ ଆଉ ଦୁଇଟି ଶୀତଳଭଣ୍ଡାର ହେବାକୁ ପ୍ରସ୍ତାବ ଥିଲେ ମଧ୍ୟ ତାହା ସରକାରୀ ନ ହୋଇ ଘରୋଇ ହେବ ବୋଲି ସୂଚନା ମିଳିଛି। ଜିଲ୍ଲାରେ ବହୁ ବର୍ଷ ପୂର୍ବରୁ ଏକ ସମବାୟ ସଂସ୍ଥା ଦ୍ୱାରା ପରିଚାଳିତ ଶୀତଳଭଣ୍ଡାର ଥିଲା। ଯାହାକି ୧୯୯୨-୯୩ ମସିହାରୁ ବନ୍ଦ ହୋଇଯାଇଛି। ଏପଟେ ଚାଷୀମାନେ ହନ୍ତସନ୍ତ ହେଉଛନ୍ତି। ଏ ନେଇ ସହକାରୀ ଉଦ୍ୟାନକୃଷି ନିର୍ଦ୍ଦେଶକ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କୁ ପଚରାଯିବାରୁ କହିଛନ୍ତି, ଆଳୁ ଚାଷ ବିଗତ ବର୍ଷ ତୁଳନାରେ ବଢ଼ିଛି। ପୂର୍ବରୁ ଠିକ୍ ଦର ଚାଷୀମାନେ ପାଉଥିଲେ। ଏବେ କମ୍ ଦରରେ ବିକୁଥିବା ନଜରକୁ ଆସିଛି। ଖୁବ୍ଶୀଘ୍ର ଜିଲ୍ଲାରେ ଆଉ ଦୁଇଟି ଶୀତଳଭଣ୍ଡାର ହେବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/18/r58qMFyxzDeo9In1r6xm.jpg)