ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବର୍ଷା ବିତ୍ପାତ। ଲଗାଣ ବର୍ଷା ଯୋଗୁଁ ଆନ୍ଧ୍ର ଓ ତେଲେଙ୍ଗାନାକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଆଜି ସକାଳେ ସ୍ଥିତି ସୁଧୁରୁଥିବା ବେଳେ ପୁଣି ଅପରାହ୍ନରେ ପ୍ରବଳ ବର୍ଷା ଯୋଗୁଁ କାଙ୍ଗରୁକୋଣ୍ଡା, ଏମଭି-୯୦ ବ୍ରିଜ ଉପରେ ପାଣି ପ୍ରବାହିତ ହେଉଛି।ସେହିପରି ପୋଟେରୁ ବ୍ରିଜ ଉପରେ ବୋହୁଥିବା ପାଣି କମିଥିଲେ ମଧ୍ୟ ପୁଣି ଅପରାହ୍ନରେ ପାଣି ବ୍ରିଜ ଉପରେ ପ୍ରବାହିତ ହେଉଛି।
ତେବେ ବ୍ରିଜର ଗୋଟିଏ ପାଖ ଧସିଯାଇଥିଲା। ତୁରନ୍ତ ଜିଲ୍ଲାପାଳଙ୍କ ନିର୍ଦେଶ ପରେ ଜାତୀୟ ରାଜପଥ ବିଭାଗର ଯନ୍ତ୍ରୀ ଓ ଅନ୍ୟ କର୍ମଚାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ଆରମ୍ଭ କରିଥିଲେ। ମରାମତି କରାଯାଇଛି କିନ୍ତି ଆଗକୁ ବିପଦ ଟଳିନଥିବା ସ୍ଥାନୀୟ ଲୋକେ କହିଛନ୍ତି। କୌଣସି ମୁହର୍ତ୍ତରେ ବ୍ରିଜ ଧସିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ବୋଲି କୁହାଯାଇଛି। ତେବେ ଗତ ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲା ନୂତନ ବ୍ରିଜ ନିର୍ମାଣ ହେଉଥିଲେ ମଧ୍ୟ କେବେ ସରିବ ତାକୁ ଲୋକେ ଅନେଇ ବସିଛନ୍ତି। ପୋଟେରୁ ନଦୀ ଜଳ ଗାଁ ଭିତରେ ପଶୁଥିବାରୁ ଲୋକେ ଏବେ ଆତଙ୍କିତ ହୋଇପଡିଛନ୍ତି।
ଜିଲ୍ଲାପାଳଙ୍କୁ କିନ୍ତୁ ସମସ୍ତ ସ୍ଥିତିକୁ ଅନୁଧ୍ୟାନ କରୁଥିବା କହିଛନ୍ତି। ତୁରନ୍ତ ଲୋକଙ୍କର ସମସ୍ୟାର ସମାଧାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।ବ୍ଲକ ଓ ଜିଲ୍ଲା ପ୍ରଶାସନ ତରଫରୁ ଫୋନ ନମ୍ବର ଦିଆଯାଇଥିବା ବେଳେ ତୁରନ୍ତ ସହଯୋଗ ପହଞ୍ଚିବ ବୋଲି ସେ କହିଛନ୍ତି। ବର୍ଷା ଲାଗି ରହିଥିବାରୁ ବିପଦ ଟଳିନଥିବା କୁହାଯାଉଛି। ବର୍ଷାରେ ବହୁ ଘର ଭାଙ୍ଗିଥିବା ବେଳେ ଏହାର ଏବେ କୌଣସି ହିସାବ କରାଯାଇନଥିବା କୁହାଯାଇଛି। ବର୍ଷା ଛାଡିବା ପରେ ହିଁ ଜିଲ୍ଲାରେ କେତେ ଘର ଭାଙ୍ଗିଛି ତାହାର ତଦନ୍ତ କରାଯାଇ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଜଣାପଡିଛି।