ପୁରୀ : ବାୟାଚକଡ଼ା ପୋଥି ବର୍ଣ୍ଣିତ ବାଙ୍ଗୁରିଲଟା ଜଙ୍ଗଲ ଠାବ ହୋଇଛି। ଏହି ଜଙ୍ଗଲ ଓ କୋଣାର୍କର ସୂର୍ଯ୍ୟ ବିଗ୍ରହଙ୍କ ଅଭିଷେକ ପଛରେ ଘନିଷ୍ଠ ସମ୍ପର୍କ ରହିଥିବାରୁ ଏହା ଇତିହାସରେ ଗୁରୁତ୍ବ ବହନ କରୁଛି। ବାଙ୍ଗୁରିଲଟା ଜଙ୍ଗଲ ସମ୍ପର୍କରେ କେବଳ ପୋଥିରେ ଉଲ୍ଲେଖ ଥିବା ବେଳେ ଏବେ ଏହାର ଅବସ୍ଥିତିକୁ ଚିହ୍ନଟ କରିଛନ୍ତି ଗବେଷକ ଦଳ। କୋଣାର୍କ ସୂର୍ଯ୍ୟମନ୍ଦିର ତଥା ଶ୍ରୀପଦ୍ମକେଶର ମନ୍ଦିରରେ ସୂର୍ଯ୍ୟ ବିଗ୍ରହଙ୍କ ଅଭିଷେକ ଅବସରରେ ଏହି ଗୋଲରାଗଡ଼ର ସାଆନ୍ତ ବିଦ୍ୟା ଜେନା ବାଙ୍ଗୁରିଲଟା ଜଙ୍ଗଲରୁ ୭୦୦ କାଠ ଖୁଣ୍ଟ ଓ ୧୦ ହଜାର ବାଉଁଶ ଯୋଗାଇ ଦେଇଥିଲେ। ଏହି ଜଙ୍ଗଲ କୁଶଭଦ୍ରା ନଦୀର ପୂର୍ବ ପାର୍ଶ୍ବରେ ରହିଥିବା ଚିହ୍ନଟ ହୋଇଛି। ଅତୀତରେ କୁଶଭଦ୍ରା ନଦୀର ପୂର୍ବ କୂଳରୁ କେଳୁଣି ମୁହାଣ ପର୍ଯ୍ୟନ୍ତ ଗୋଲରାଗଡ଼ ସଆନ୍ତଙ୍କର ରାଜୁତି ରହିଥିଲା।
ନଦୀର ପଶ୍ଚିମ ପାର୍ଶ୍ବରେ ଗଡ଼ବାଙ୍ଗର ଓ ପଶ୍ଚିମ ପାର୍ଶ୍ବରେ ଘଞ୍ଚ ଅରଣ୍ୟ ବାଙ୍ଗୁରିଲଟା ରହିଥିଲା। ଏହି ଅରଣ୍ୟର ଆରାଧ୍ୟ ଥିଲେ ଲଟା ଜାଗୁଳେଇ ଦେବୀ। ଏବେ ପ୍ରାଚୀନ ବଟ ବୃକ୍ଷ ଓ ଏକାଧିକ କୋଚିଲାଖାଇ ଗଛ ମଝିରେ ଦେବୀ ବିଜେ କରିଛନ୍ତି। ଏଠାରେ କାଳକ୍ରମେ ଜନବସତି ମଧ୍ୟ ଗଢ଼ି ଉଠିଥିଲା। ତେବେ ବାଘ ଆକ୍ରମଣ କରିବାରୁ ପ୍ରାୟ ୨୦୦ ବର୍ଷ ପୂର୍ବେ ଜନବସତି ପୂର୍ବ ଦିଗକୁ ସ୍ଥାନାନ୍ତର ହୋଇଥିଲା। ଏହି ଜନବସତି କାଳକ୍ରମେ ବରପଦା-ବାଙ୍ଗର ଭାବେ ପରିଚିତ ହୋଇଥିଲା ବୋଲି କହିଛନ୍ତି ଐତିହ୍ୟ ବିଶାରଦ ଡ.ସୁରେନ୍ଦ୍ର କୁମାର ମିଶ୍ର। ସଂପ୍ରତି ଏହି ଜନବସତି ବରପଦା-ବାଙ୍ଗର ମଉଜା ଭାବେ ପରିଚିତ ହେଉଅଛି ବୋଲି ସେ କହିଛନ୍ତି।
ଡ.ମିଶ୍ରଙ୍କ କହିବା ମୁତାବକ, ପୋଥି ବର୍ଣ୍ଣିତ ତଥ୍ୟର ଅନୁସନ୍ଧାନ ପାଇ ଶ୍ରୀନାରାୟଣ ଟ୍ରଷ୍ଟବୋର୍ଡର ସହାୟତାରେ ଏକ ୧୮ ଜଣିଆ ଦଳ ସହିତ ସେ ଏହି ଜଙ୍ଗଲରେ ପହଞ୍ଚିଥିଲେ। ନଦୀବନ୍ଧ ହେବା ପରେ ଅନେକ ଗଛ ଏଠାରୁ କଟା ଯାଇଥିଲେ ମଧ୍ୟ ସଂପ୍ରତି ଏହା ଲଟାମୟ କଣ୍ଟା ବାଉଁଶ ଜଙ୍ଗଲରେ ଆଚ୍ଛାଦିତ ହୋଇ ରହିଛି। ସେଠାରେ ଜାଗୁଳେଇ ପୂଜା ପାଉଥିବା ବେଳେ ଜାଗୁଳେଇ ହେଉଛନ୍ତି ‘ଜାଗ୍ରତ ଗୌରୀ’ ନାମର ଅପଭ୍ରଂଶ ବୋଲି ସେ କହିଛନ୍ତି। ଷୋଳ ଶାସନ ବତିଶ କରବାଡ଼ରେ ଜାଗୁଳେଇ ପଞ୍ଚମୀରେ ବାରିକ ସେବକମାନେ ମାଟିରେ ମୂର୍ତ୍ତି ତିଆରି କରି ବେତାରେ ନେଇ ଦୁଆରୀ ଭୋଗ କରିବାର ପରମ୍ପରା ଆଜି ମଧ୍ୟ ରହିଛି। ଏହାବ୍ୟତୀତ ତରକର, ସମଗରା, ବେଳଦଳ, ରାମେଶ୍ବର ପାଟଣା, ଗୋପାଳପୁର, ବେଲେଶ୍ବର ପାଟଣାରେ ମଧ୍ୟ ଜାଗୁଳେଇ ଉପାସନା ପ୍ରଚଳିତ ରହିଛି। ବାଙ୍ଗୁରିଲଟା ଜଙ୍ଗଲରେ ୧୭ ଘର ବାରିକ ସେବକଙ୍କ ଦ୍ବାରା ଦେବୀ ଉପାସିତ ହେଉଛନ୍ତି। ସେମାନେ ରାଜଖଞ୍ଜା ଜାଗିରି ପାଇଛନ୍ତି।
ଦେବୀଙ୍କ ବିଜେସ୍ଥଳୀ ୧ ଏକର ଥିବା ବେଳେ ରାଜପ୍ରଦତ୍ତ ଜମିରେ ମାର୍ଫତଦାରରେ ମଧ୍ୟ ଦେବୀଙ୍କ ନାମ ରହିଛି। ଏହି ଅନୁସନ୍ଧାନ କାଳରେ ଶ୍ରୀମନ୍ଦିର କୋଠସୁଆଁସିଆ ସେବକ ଲକ୍ଷ୍ମୀଧର ଗୋଚ୍ଛାୟତଙ୍କ ସହ ୧୨ ଜଣ ସେବକ ମଧ୍ୟ ସହଯୋଗ କରିଥିଲେ। ଏହାବ୍ୟତୀତ ଟ୍ରଷ୍ଟର ସଭାପତି ଛବିନ୍ଦ୍ର ପ୍ରଧାନ, ସମ୍ପାଦକ ସନ୍ତୋଷ କୁମାର ସ୍ବାଇଁ, ବିଶ୍ବଭୂଷଣ ପ୍ରଧାନ, ବେଲଦଳର ପ୍ରଭାତ ପ୍ରଧାନ, ଭବେଶ ପ୍ରଧାନ, ପ୍ରଦେଶ ମାଳ, ବାସୁଦେବ ସ୍ବାଇଁ, ହାଡ଼ିବନ୍ଧୁ ପ୍ରଧାନ, ମନୋଜ ଖଟେଇ ଓ ଗଙ୍ଗାଧର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।