ପାତ୍ରବସାକୁ ରାଜସ୍ୱ ଗ୍ରାମ ମାନ୍ୟତା: ଖୁସିରେ ନାଚିଲେ, ଅତିଥିଙ୍କୁ ବି ଖଟିଆରେ ବୋହି ନଚାଇଲେ

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ତହସିଲ ଅଧୀନ ଆମପାଣି ପଞ୍ଚାୟତର ପାତ୍ରବସା ଗ୍ରାମକୁ ବହୁ ବର୍ଷ ଦାବି ପରେ ରାଜସ୍ବ ଗ୍ରାମର ମାନ୍ୟତା ମିଳିଛି। ଗୁରୁବାର ପାତ୍ରବସା ଗ୍ରାମବାସୀଙ୍କ ପକ୍ଷରୁ ଏହି ଅବସରରେ ଗ୍ରାମରେ ଏକ ସଭା ଆୟୋଜନ କରାଯାଇଥିଲା। ଏଥିରେ ଅତିଥି ଭାବେ କୋକସରା ତହସିଲଦାର ଦେବବ୍ରତ କରାଟି, ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ଆମପାଣି ସରପଞ୍ଚ ରୁକ୍ମିଣୀ ବାଣୁଆ, ସମିତିସଭ୍ୟା ନର୍ତ୍ତକୀ ଦଣ୍ଡସେନା ଯୋଗ ଦେଇଥିଲେ।

ରାଜସ୍ବ ଗାଁ ମାନ୍ୟତା ମିଳିଥିବା ନେଇ ଗ୍ରାମବାସୀ ଜାଣିବା ପରେ ଉତ୍ସାହିତ ହୋଇପଡ଼ିଥିଲେ। ଗାଁର ଯୁବକ ଯୁବତୀମାନେ ନାଚଗୀତ ପରିବେଷଣ କରି ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ପରେ ନାଚଗୀତରେ ଗ୍ରାମବାସୀ ମସ୍‌ଗୁଲ ହୋଇଥିବା ବେଳେ ଅଧିକାରୀ ଓ ଜନପ୍ରତିନିଧିଙ୍କୁ ସାମିଲ କରି ଖଟିଆରେ ବୋହି ନଚାଇଥିଲେ। ପାତ୍ରବସା ଯୁବକ ସଙ୍ଘ ସଭାପତି ଭୋଳାନାଥ ମାଝୀ, ଏକାଙ୍ଗ ଦୁର୍ଗା, ହେମନ୍ତ ସୁନା, କୀଚକ ଚଳାନ, ସୋନୁ ଅଗ୍ରୱାଲ, ନିତ୍ୟାନନ୍ଦ ମାଝୀ, ନିକୁଞ୍ଜ ସାହୁ, ରାଜେନ୍ଦ୍ର ବାଗ, ଯୁଗଳ କିଶୋର ନାଏକ, ତ୍ରିଲୋଚନ ବାଗ, ଦୁଷ୍ମନ୍ତ ବାଗ, ବେଲାଲ ନାଏକ, ଦେବାଶିଷ ନାଏକ, ନବୀନ ରାଉତ, ସଦାଶିବ ଗହୀର ପ୍ରମୁଖ ଗ୍ରାମବାସୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର