କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର ଭୂତକୋଠି ପାଲଟିଛି

ଚିକେନ୍, ଅଣ୍ଡା ଚାହିଦା ମେଣ୍ଟାଉଛି ଆନ୍ଧ୍ର
ପିପିପି ମୋଡରେ ଚଲାଇବାକୁ ମିଳୁନି ଅନୁମତି
ରାୟଗଡ଼ା, ଗୁଣପୁରରେ ଖତ ଖାଉଛି ମେସିନ୍

ରାୟଗଡ଼ା : କୁକୁଡ଼ା ଚାଷୀଙ୍କୁ ସ୍ବାବଲମ୍ବୀ କରିବାକୁ ପ୍ରତିଷ୍ଠା ହେଲା ଚିଆଁ ଉତ୍ପାଦନ କେନ୍ଦ୍ର। ରାୟଗଡ଼ା ଓ ଗୁଣପୁରରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଲାଗିଲା ମେସିନ୍। ହେଲେ ପରିଚାଳନାଗତ ତ୍ରୁଟି କାରଣରୁ ଆରମ୍ଭରୁ ହିଁ ଅଚଳ ହୋଇଗଲା ମେସିନ୍। ୪ ବର୍ଷ ହେଲା ମେସିନ୍ ଅଚଳ ଅବସ୍ଥାରେ ପଡ଼ିଥିବାରୁ ରାୟଗଡ଼ା ଜିଲ୍ଲା ଚାଷୀଙ୍କୁ ଆବଶ୍ୟକ କୁକୁଡ଼ା ଚିଆଁ ସମେତ ଖାଉଟିଙ୍କୁ ଚିକେନ୍ ଓ ଅଣ୍ଡା ଯୋଗାଉଛି ଆନ୍ଧ୍ର।

୨୦୧୬ ମାର୍ଚ୍ଚ ୩୦ ତାରିଖରେ ସ୍ବର୍ଣ୍ଣ ଜୟନ୍ତୀ ଗ୍ରାମ୍ୟ ସ୍ବରୋଜଗାର ଯୋଜନାରେ ପ୍ରତିଷ୍ଠା ହୋଇଥିଲା କୁକୁଡ଼ା ଚିଆଁ ଉତ୍ପାଦନ କେନ୍ଦ୍ର। ମାସିକ ୧୬ ହଜାର ଚିଆଁ ଉତ୍ପାଦନ କ୍ଷମତା ରଖିଥିବା ଦୁଇଟି ମେସିନ୍ ରାୟଗଡ଼ା ଓ ଗୁଣପୁରରେ କାର୍ଯ୍ୟକ୍ଷମ ହେବା ପରେ ପରିଚାଳନା ଦାୟିତ୍ବ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ଆନ୍ଧ୍ର ଓ ବେସରକାରୀ ଫାର୍ମରୁ ଆସୁଥିବା ଚିଆଁ ଅପେକ୍ଷା ରାୟଗଡ଼ାରେ ମିଳୁଥିବା ଚିଆଁ ଦର କମ ଥିବାରୁ ଧୀରେ ଧୀରେ ଚାହିଦା ବଢ଼ିଥିଲା। ୩ଟି ପର୍ଯ୍ୟାୟରେ କୁକୁଡ଼ା ଚିଆଁ ବାହାରିବା ପରେ ମେସିନରେ ତ୍ରୁଟି ଯୋଗୁ ୨୦୧୬ ଜୁଲାଇ ମାସରେ ଉତ୍ପାଦନ ବନ୍ଦ ହୋଇ ଯାଇଥିଲା। ଯାନ୍ତ୍ରିକ ତ୍ରୁଟି ସଜାଡ଼ିବାକୁ ବିଭାଗୀୟ କର୍ତ୍ତୃପକ୍ଷ ଉଚ୍ଚ ଅଧିକାରୀଙ୍କୁ ଚିଠି ଲେଖିଥିଲେ। କିନ୍ତୁ ନା ମିଳିଲା ଚିଠିର ଉତ୍ତର ନା କିଏ ଆସିଲେ ସଜାଡ଼ିବାକୁ। ଫଳରେ ଚିଆଁ ଉତ୍ପାଦନ ଠପ୍ ହୋଇ ପଡ଼ିଲା। ପିପିପି ମୋଡ଼ରେ ଉତ୍ପାଦନ କେନ୍ଦ୍ରକୁ ଚଲାଇବା ପାଇଁ କିଛି ବେସରକାରୀ ଫାର୍ମ ହାଉସ୍ ଇଚ୍ଛା ପ୍ରକାଶ କରିବା ପରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଚିଠି ନଂ-୧୩୧ରେ ବିଭାଗୀୟ ନିର୍ଦେଶକଙ୍କୁ ୨୦୨୦ ଜାନୁଆରି ୧୦ ତାରିଖରେ ଅବଗତ କରାଯାଇଥିଲା। ଏହାପରେ ଜୁଲାଇ ମାସରେ ଚିଠି ନଂ-୧୭୭୨/ତା:୬.୭.୨୦୨୦ ରେ ପୁଣି ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଆଉ ଏକ ଚିଠି ନିର୍ଦେଶକଙ୍କୁ ପଠାଇଛନ୍ତି। ଯାହାର କୌଣସି ଉତ୍ତର ଏଯାବତ୍ ଆସିନାହିଁ। ଅଚଳ ମେସିନ ମରାମତି ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରୁନଥିବା ବେଳେ ପିପିପି ମୋଡରେ ଚଲାଇବାକୁ ମଧ୍ୟ ଆଗ୍ରହ ଦେଖାଉ ନାହାନ୍ତି। ଫଳରେ ବର୍ଷ ବର୍ଷ ଧରି ଅଚଳ ଅବସ୍ଥାରେ ପଡ଼ିଥିବା ଲକ୍ଷାଧିକ ଟଙ୍କାର ମେସିନ୍ ଖତ ଖାଇବା ସହ ଉତ୍ପାଦନ କେନ୍ଦ୍ର ଭୂତକୋଠିରେ ପରିଣତ ହେଲାଣି।

Facebook

ଉତ୍ପାଦନ କେନ୍ଦ୍ର ଚଳାଇବା ପାଇଁ ୨ ଜଣ ଶ୍ରମିକ, ଜଣେ ଟେକ୍ନିକାଲ୍ ଆସିଷ୍ଟାଣ୍ଟ୍, ଜଣେ ଅଫିସରଙ୍କ ଆବଶ୍ୟକତା ରହିଛି। ଆଜି ସୁଦ୍ଧା କାହାକୁ ନିଯୁକ୍ତ କରାଯାଇନି। ଅତିରିକ୍ତ ଦାୟିତ୍ବ ଭାବେ ପ୍ରାଣୀ ଚିକିତ୍ସାଧିକାରୀଙ୍କୁ ଦାୟିତ୍ବ ହସ୍ତାନ୍ତର ଯୋଗୁ ଚାଷୀଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଦେଖିଥିବା ସ୍ବପ୍ନ ଅଧୁରା ରହିଛି।

ରାୟଗଡ଼ା ଜିଲ୍ଲାର ସମସ୍ତ ବ୍ଲକ୍‌ରେ ବେସରକାରୀ ଫାର୍ମରେ କୁକୁଡ଼ା ଚାଷ ହେଉଛି। ୫ ଶହରୁ ଆରମ୍ଭ କରି ମାସିକ ୧୦ ହଜାର କୁକୁଡ଼ା ଉତ୍ପାଦନ ହେବା ଭଳି ବହୁ ଫାର୍ମ ହାଉସ୍ ରହିଛି। ୨୧ରୁ ୩୩ ଦିନ ମଧ୍ୟରେ ବ୍ୟବସାୟୀମାନେ କୁକୁଡ଼ା ନେଇଯିବା ପରେ ପୁଣି ଚିଆଁର ଆବଶ୍ୟକ ପଡ଼ୁଛି। ଯାହାକୁ ଫାର୍ମ ହାଉସ୍ ମାଲିକ ଆନ୍ଧ୍ର କିମ୍ବା ବେସରକାରୀ ଫାର୍ମ ହାଉସରୁ ଆଣୁଛନ୍ତି। ସରକାରୀ ଦର ଭାବେ ପ୍ରତି ଚିଆଁ ୨୨ରୁ ୨୭ ଟଙ୍କାରେ ବିକ୍ରି ହେଉଥିବା ବେଳେ ବେସରକାରୀ ଫାର୍ମ ହାଉସ୍ ଓ ଆନ୍ଧ୍ରରୁ ଆସୁଥିବା ଚିଆଁ ୧୦ରୁ ୧୫ ଟଙ୍କା ଅଧିକ ଦରରେ ଚାଷୀଙ୍କୁ କିଣିବାକୁ ପଡ଼ୁଛି। ଫଳରେ ଚିକେନ୍ ଦର ମଧ୍ୟ ଅହେତୁକ ଭାବେ ବଢ଼ି ଚାଲିଛି। ଲକଡାଉନ୍ ଯୋଗୁ ରାୟଗଡ଼ା ବଜାରରେ ଚିକେନ୍ ଦର କେଜି ପିଛା ୨୮୦ ଟଙ୍କା ଛୁଇଁଥିବା ବେଳେ ଅଣ୍ଡା ଗୋଟିଏ ୫ରୁ ୬ ଟଙ୍କାରେ ବିକ୍ରି ହେଉଛି। ଲକଡାଉନ୍ ପୂର୍ବରୁ ଚିକେନ୍ ଦର ୨୦୦ ଟଙ୍କା ଭିତରେ ସୀମିତ ଥିଲା। ଉତ୍ପାଦନ ବାଧାପ୍ରାପ୍ତ ପରେ ଚାହିଦା ଅନୁଯାୟୀ ଚିକେନ୍ ମିଳୁନଥିବାରୁ ବ୍ୟବସାୟୀ ଦରଦାମ ବଢ଼ାଇ ଦେଇଛନ୍ତି। ଦୈନିକ ଆନ୍ଧ୍ରରୁ ୫୦ରୁ ଶହେ କୁଇଣ୍ଟାଲ୍ ଚିକେନ୍ ରାୟଗଡ଼ା ବଜାରକୁ ଆସୁଛି। ଯାହାଫଳରେ ଆନ୍ଧ୍ର ବଜାର ଦର ଅନୁଯାୟୀ ରାୟଗଡ଼ାରେ ଚିକେନ୍ ବିକ୍ରି ହେଉଛି।

ସମ୍ବନ୍ଧିତ ଖବର