କରୋନା ଗୁଜବ ‌ଯୋଗୁ କୋଟି କୋଟି ଟଙ୍କା କ୍ଷତି ସହୁଛନ୍ତି କୁକୁଡ଼ା ଚାଷୀ, କୁକୁଡ଼ା ଚାଷୀଙ୍କୁ ସୁରକ୍ଷା ଦିଅ : ବିଜେପି

ଯୁଦ୍ଧକାଳୀନ ଭିତ୍ତିରେ କୁକୁଡ଼ା ଚାଷୀଙ୍କୁ କ୍ଷତିପୂରଣ ମିଳୁ

ଭୁବନେଶ୍ବର : କୁକୁଡ଼ା ମାଂସ ଖାଇଲେ କରୋନା ହେବ ବୋଲି ଗୁଜବ ‌ଯୋଗୁ କୁକୁଡ଼ା ଚାଷୀଙ୍କର କୋଟି କୋଟି ଟଙ୍କା କ୍ଷତି ‌ହେଉଛି। ଗୁଜବ ପ୍ରଚାର ହେଲା ବେଳେ ସରକାର ଏହାକୁ ମିଥ୍ୟା ବୋଲି ଯେପରି କହିବା କଥା କହିଲେ ନାହିଁ। ଫଳରେ ଗୁଜବ ବଢ଼ି ଚାଲିଲା। ଏହାର ସିଧାସଳଖ ମାଡ଼ ଚାଷୀଙ୍କ ଉପରେ ପଡ଼ିଛି। ସେମାନେ କୁକୁଡ଼ା ବିକ୍ରି କରିପାରୁ ନାହାନ୍ତି। କୁକୁଡ଼ାଙ୍କ ଦାନା ଖର୍ଚ୍ଚ ବି ଉଠୁ ନାହିଁ। ସରକାର ତୁରନ୍ତ କୁକୁଡ଼ା ଚାଷୀଙ୍କୁ ସୁରକ୍ଷା ଦେବାକୁ ବିଜେପି ଦାବି କରିଛି।

ବିଜେପି କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁରଥ ବିଶ୍ବାଳ ଏକ ସାମ୍ବାଦିକ ସମ୍ମିଳନୀରେ କହିଲେ, ପୂର୍ବରୁ କୁକୁଡ଼ା ମାଂସ ପାଇଁ ପଡ଼ୋଶୀ ରାଜ୍ୟ ଉପରେ ଆମେ ନିର୍ଭରଶୀଳ ଥିଲୁ। କିନ୍ତୁ ଏବେ ଆମେ କୁକୁଡ଼ା ମାଂସରେ ଆତ୍ମନିର୍ଭରଶୀଳ ହୋଇପାରିଛେ। ଏଥି ପାଇଁ ଶ୍ରେୟ ଯାଉଛି କୁକୁଡ଼ା ଚାଷୀମାନଙ୍କୁ। କିନ୍ତୁ କରୋନା ଗୁଜବ ପ୍ରଭାବରେ ବର୍ତ୍ତମାନ କୁକୁଡ଼ା ଚାଷୀମାନଙ୍କ ସ୍ଥିତି ପୂରା ଦୟନୀୟ ହୋଇପଡ଼ିଛି। ବଜାରରୁ କୁକୁଡ଼ା କେହି କିଣୁ ନାହାନ୍ତି। କିନ୍ତୁ ରାଜ୍ୟ ସରକାର ଏ ସମ୍ପର୍କରେ ପର୍ଯ୍ୟାପ୍ତ ସଚେତନତା ସୃଷ୍ଟି କଲେ ନାହିଁ। ରାଜ୍ୟରେ ୩୦ ଲକ୍ଷ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କୁକୁଡ଼ା ଚାଷ ଉପରେ ନିର୍ଭରଶୀଳ। ଫନି ପରେ ବ୍ୟାପକ ଭାବେ କୁକୁଡ଼ା ଚାଷ କ୍ଷତିଗ୍ରସ୍ତ ହୋଇଥିଲା। ରାଜ୍ୟ ସରକାର ୧ ଲକ୍ଷରୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବେ ବୋଲି ଘୋଷଣା କରିଥିଲେ। କିନ୍ତୁ କାହାକୁ ବି ଆଜି ଯାଏ ସମ୍ପୂର୍ଣ୍ଣ କ୍ଷତିପୂରଣ ମିଳି ନାହିଁ। ବର୍ତ୍ତମାନ ଫନି ଠାରୁ କୋରନା ବଳିଗଲାଣି। କୁକୁଡ଼ା ଚାଷୀମାନେ ଏବେ ନିଜକୁ ଅସହାୟ ମନେ କରୁଛନ୍ତି। ରାଜ୍ୟ ସରକାର ବର୍ତ୍ତମାନ ଯୁଦ୍ଧକାଳୀନ ଭିତ୍ତିରେ କୁକୁଡ଼ା ଚାଷୀଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିବା ସହ ଅପପ୍ରଚାର କରାଯାଉଥିବା ଗୁଜବ ବିଷୟରେ ଲୋକଙ୍କୁ ସଚେତନ କରାନ୍ତୁ ବୋଲି ଶ୍ରୀ ବିଶ୍ବାଳ ଦାବି କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ କୃଷକ ମୋର୍ଚ୍ଚା ଉପସଭାପତି ଶ୍ରୀରଞ୍ଜନ ମଙ୍ଗରା‌ଜ ଓ ଲକ୍ଷ୍ମୀକାନ୍ତ ମିଶ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର