ଭୁବନେଶ୍ବର/ କଟକ : କିଛି ଖଳ ପ୍ରକୃତିର ଲୋକ ଅନେକ ସ୍ଥାନରେ କୁକୁଡ଼ା ଚିଆଁ ଚାଷୀମାନଙ୍କ ଫାର୍ମରେ ପୂରାଇ ଦେଉନାହାନ୍ତି। ଇଣ୍ଟ୍ରିଗ୍ରେସନ୍ କମ୍ପାନିମାନେ ମଧ୍ୟ ଅସାଧୁ ବ୍ୟକ୍ତିଙ୍କ ଚକ୍ରାନ୍ତ ଯୋଗୁଁ ନିଜ ବ୍ୟବସାୟ ବନ୍ଦ କରିବାକୁ ବସିଲେଣି। ଯଦି ପରିସ୍ଥିତିରେ ସୁଧାର ନ ଆସେ ତେବେ କୁକୁଡ଼ା ମାଂସ ଦର ଆକାଶଛୁଆଁ ହେବ ଏବଂ ପ୍ରକୃତ ଚାଷୀ ନିଜର ଉପାର୍ଜନ ମାଧ୍ୟମ ହରାଇବା ଆଶଙ୍କା ସୃଷ୍ଟି ହୋଇଛି। ଇଣ୍ଟିଗ୍ରେସନ୍ କମ୍ପାନିମାନେ ଆଉ କୁକୁଡ଼ା ଛୁଆ ଓ ଦାନା ଦେବେ ନାହିଁ। ଓଡ଼ିଶାରେ କୁକୁଡ଼ା ଚାଷକୁ ସ୍ବାବଲମ୍ବୀ କରିଥିବା ଇଣ୍ଟିଗ୍ରେସନ୍ କମ୍ପାନିମାନଙ୍କୁ ସୁରକ୍ଷା ଓ ପ୍ରଶାସନିକ ସ୍ତରରେ ସହଯୋଗ ନଦେବାରୁ ଓଡ଼ିଶା ପଲୁଟାରି ଇଣ୍ଟିଗ୍ରେସନ୍ ଫୋରମ୍ ଆସନ୍ତାକାଲିଠାରୁ କୁକୁଡ଼ା ଛୁଆ, ଅଣ୍ଡା, କୁକୁଡ଼ା ଏବଂ ଦାନା ଯୋଗାଇବା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ଏହା ଫଳରେ ଓଡ଼ିଶାର ମାତ୍ର ୩୦ ଦିନ ପରେ କୁକୁଡ଼ା ଚାଷ ଓ କୁକୁଡ଼ା ମାଂସର ଘୋର ଅଭାବ ସୃଷ୍ଟି ହେବ। କୁକୁଡ଼ା ମାଂସ କେଜି ପିଛା ୫୦୦ ଟଙ୍କାରୁ ଅଧିକ ରହିବ। ଏହି ପଲୁଟାରି ଇଣ୍ଟିଗ୍ରେସନ୍ ଫୋରମ୍ କୁକୁଡ଼ା ଛୁଆ, ଅଣ୍ଡା ଓ ଦାନା ପଡ଼ୋଶୀ ରାଜ୍ୟକୁ ପଠାଇବା ପାଇଁ ନିଷ୍ପତ୍ତି ନେଇଛି।
ସୂଚନା ଅନୁଯାୟୀ, ମାତ୍ର ୩୦ ଦିନ ପରେ ୧୦ ବର୍ଷ ପୂର୍ବରୁ ଯେଉଁଭଳି ଅନ୍ୟ ରାଜ୍ୟରୁ କୁକୁଡ଼ା ଓ ଅଣ୍ଡା ଆସୁଥିଲା ପୁଣି ସେହିଭଳି ଆମଦାନୀ ହେବ। ଏହାଫଳରେ ନିଶ୍ଚିତ ମୂଲ୍ୟ ବୃଦ୍ଧି ଘଟିବ ବୋଲି ଆଶଙ୍କା କରାଯାଉଛି। ଗଲା କିଛିଦିନ ଧରି ଦୁର୍ବୃତ୍ତମାନେ ଏହି ଇଣ୍ଟିଗ୍ରେସନ୍ ଫାର୍ମର କର୍ମଚାରୀଙ୍କୁ ମାଡ଼ ମାରିବା ସହିତ ଦାନା ଓ କୁକୁଡ଼ା ଗାଡ଼ିକୁ ବିରୋଧ କରିବା ଯୋଗୁ କମ୍ପାନିଗୁଡ଼ିକର ଲକ୍ଷାଧିକ ଟଙ୍କା କ୍ଷତି ହୋଇଛି। ଏହି କମ୍ପାନିଗୁଡ଼ିକ ପୁଲିସ ଡିଜିଙ୍କ ସମେତ ଭେଟେରିନାରି ନିର୍ଦ୍ଦେଶକଙ୍କୁ ବାରମ୍ବାର ଭେଟି ଅଭିଯୋଗ କରିଥିଲେ ସୁଦ୍ଧା ଦୁର୍ବୃତ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉ ନାହିଁ। ତେଣୁ ରାଜ୍ୟ ବାହାରକୁ କୁକୁଡ଼ା ଓ ଅଣ୍ଡା ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ବାରା ଓଡ଼ିଶାରେ କ୍ଷୁଦ୍ର ଚାଷୀ ଜୀବିକା ହରାଇବା ସହିତ ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟ ମକା, ଚାଉଳ ମଧ୍ୟ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଥିବା ସୂଚନା ମିଳିଛି।
/sambad/media/post_attachments/wp-content/uploads/2022/07/hen-750x430.jpg)
ଇଣ୍ଟିଗ୍ରେସନ କମ୍ପାନିମାନେ ନିଜ ସମସ୍ୟା ବିଷୟରେ ସରକାରଙ୍କୁ ଜଣାଇବାରୁ ସରକାରଙ୍କ ପକ୍ଷରୁ ଗତ ୧୩ ତାରିଖରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଏସ୍ପିଙ୍କୁ ଗାଡ଼ି ଓ ଅନ୍ୟାନ୍ୟ କୁକୁଡ଼ା ପାଳନ ବ୍ୟବସ୍ଥାରେ ସୂଚାର ରୂପେ ଚାଲିବା ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲେ। ଏହା ସତ୍ତ୍ବେ ମଧ୍ୟ କିଛି ଅସାମାଜିକ ବ୍ୟକ୍ତି କୁକୁଡ଼ା ଚିଆଁ ତଥା ଦାନା ଯୋଗାଉଥିବା ଗାଡ଼ି ଅଟକାଇ ଡ୍ରାଇଭର, ହେଲପ୍ର ତଥା ରୁଟ୍ ସୁପରଭାଇଜରମାନଙ୍କୁ ଦୁର୍ବ୍ୟବହାର କରୁଛନ୍ତି।
ରାଜ୍ୟରେ ପ୍ରତି ସପ୍ତାହରେ ୩୫ଲକ୍ଷ କୁକୁଡ଼ା ଚାଷ କରାଯାଉଥିବାବେଳେ ବର୍ତ୍ତମାନ ଚାଷୀଙ୍କ ସଂଖ୍ୟା ୯ରୁ ୧୦ ହଜାର ରହିଛି। ଏହି କ୍ଷେତ୍ରରେ ୫୦ହଜାର ଲୋକ ନିଯୁକ୍ତି ପାଇଛନ୍ତି। ଏହାସହ ଏହି ଚାଷ ଯୋଗୁଁ ଅନ୍ୟ ୨ ଲକ୍ଷ ଲୋକଙ୍କୁ ରୋଜଗାର ମାଧ୍ୟମ ମିଳିଛି। ବାର୍ଷିକ ୪୦୦୦ କୋଟି ଟଙ୍କାର କାରବାର ହେଉଥିବାବେଳେ ସରକାର ଏଥିରୁ ପାଖାପଖି ୨ଶହ କୋଟି ଟଙ୍କା ରାଜସ୍ବ ପାଉଛନ୍ତି। ଆଜିର ଆୟୋଜନ କରାଯାଇଥିବା ସମ୍ବାଦିକ ସମ୍ମିଳନୀରେ ସୁଲଗ୍ନା ଫୁଡ଼୍, ପ୍ରିମିୟମ୍ ଚିକ୍ସ ଆଣ୍ଡ ଫିଡ୍ସ, ଭିଏଚ୍ ଗ୍ରୁପ୍ ଭେଙ୍କଟେଶ୍ବର ହାଚେରୀସ୍, ପଶୁପତି ଆଗ୍ରାଭେଟ୍, ଆବିସ୍ ଏକ୍ସପର୍ଟ ଇଣ୍ଡିଆ, ଉତ୍କଳ ଫିଡ୍ସ, ଗୁରୁକୃପା ଚିକ୍ସ ଟୁ ଚିକେନ୍, ପଲ୍ୟୁଟେକ୍ ଆଗ୍ରୋଫୁଡ୍, ସୌରୀ ଫୁଡ଼୍ ଆଣ୍ଡ ଫୁଡ଼୍, ପ୍ରାଇଭେଟ୍ ଲିମିଟେଡ଼, ସାରାସ୍ ପଲ୍ୟୁଟ୍ରି, ସାହୁ ପଲ୍ୟୁଟ୍ରି ଏବଂ ଅନ୍ୟ ସାଧାରଣ ବ୍ୟବସାୟୀମାନେ ଉପସ୍ଥିତ ଥିଲେ।