ଅନିଶ୍ଚିତତାରେ ଓଡ଼ିଶାରେ କୁକୁଡ଼ା ଚାଷୀ

ଚାଷୀଙ୍କୁ ବିଭ୍ରାନ୍ତ କରୁଛନ୍ତି ଅସାଧୁ ବ୍ୟକ୍ତି, ସରକାର ପଦକ୍ଷେପ ନେବାକୁ ଦାବି

କଟକ : ଓଡ଼ିଶାରେ ବେକାର ଯୁବକମାନଙ୍କୁ ନିଯୁକ୍ତି ଦେଇ କୁକୁଡ଼ା ଚାଷର ଉନ୍ନତି ପାଇଁ ବିଭିନ୍ନ କମ୍ପାନିମାନେ କିଛିବର୍ଷ ଧରି ଉଦ୍ୟମ କରି ଆସୁଛନ୍ତି। ଏହି ଇଣ୍ଟିଗ୍ରେଟେଡ କୁକୁଡା ଚାଷ ପ୍ରଣାଳୀରେ ଓଡ଼ିଶା ଆଜି ସ୍ୱାବଲମ୍ବୀ ହେବାସହିତ ଆଉ ଅନ୍ୟ ରାଜ୍ୟରୁ କୁକୁଡ଼ା ଓ ଅଣ୍ଡା ଇତ୍ୟାଦି ଆମଦାନୀ ନ କରି ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଏବଂ ଅନ୍ୟାନ୍ୟ ରାଜ୍ୟକୁ ମଧ୍ୟ ଯୋଗାଇବାକୁ ସକ୍ଷମ ହୋଇପାରିଛି। ଏହି ଇଣ୍ଟିଗ୍ରେଟେଡ୍‌ ଚାଷ ମାଧ୍ୟମରେ ଚାଷୀମାନଙ୍କୁ କୁକୁଡା ଛୁଆ, ଦାନା, ମେଡିସିନ୍ ଆଧୁନିକ ପ୍ରଣାଳୀରେ ଚାଷ, ଡାକ୍ତରୀ ପରାମର୍ଶ ଇତ୍ୟାଦି ଯୋଗାଇ ଦେବାସହିତ ସୁଲଭ ମୂଲ୍ୟରେ ଉତ୍ପାଦିତ କୁକୁଡା କିଣିନେଇ ଚାଷୀମାନଙ୍କୁ ଆର୍ଥିକ ସାହାଯ୍ୟ ମଧ୍ୟ କରିଆସୁଛନ୍ତି। ଏହାଫଳରେ, ରାଜ୍ୟରେ ଲକ୍ଷାଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି। ମାତ୍ର, ଇଣ୍ଟିଗ୍ରେଟେଡ୍ ଚାଷ ସୁବିଧାରୁ ବଞ୍ଚିତ ହୋଇଥିବା କିଛି ଅସାଧୁ ବ୍ୟକ୍ତି ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ମିଥ୍ୟା ସମ୍ବାଦ ପ୍ରସାରିତ କରୁଛନ୍ତି। କମ୍ପାନି ମାନଙ୍କର ପ୍ରତିନିଧି ମାନଙ୍କୁ ଧମକାଇବା, ବାଡେଇବା ସହ ବିଭିନ୍ନ ଫାର୍ମକୁ କୁକୁଡା ଓ ଦାନା ଗାଡିକୁ ନ ଛାଡିବା ସହ ବିରୋଧ କରୁଛନ୍ତି। ଏଥିପାଇଁ ବିଭିନ୍ନ ସ୍ଥାନରେ ଜନଅସନ୍ତୋଷ ମଧ୍ୟ ବୃଦ୍ଧି ପାଇଛି।

chickenpoultry.net

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସରକାରଙ୍କ ଦ୍ବାରା ପଞ୍ଜିକୃତ କୌଣସି କୁକୁଡା ଚାଷ ସଂଘ ନାହିଁ। କିଛି ଅସାମାଜିକ ବ୍ୟକ୍ତି ଆତ୍ମଘୋଷିତ ସଭାପତି ଓ ସମ୍ପାଦକ ଭାବେ ପ୍ରକୃତ ଚାଷୀମାନଙ୍କୁ ବିଭ୍ରାନ୍ତ କରୁଛନ୍ତି। କୌଣସି ଯୁବକମାନଙ୍କୁ ଜୋର୍‌ଜବରଦସ୍ତି ଭାବେ ଇଣ୍ଟିଗ୍ରେଟେଡ୍ କୁକୁଡା ଚାଷ କରିବା ପାଇଁ କୌଣସି କମ୍ପାନି ପକ୍ଷରୁ ବାଧ୍ୟ କରାଯାଏନାହିଁ। ସ୍ୱଇଚ୍ଛାରେ ବେକାର ଯୁବକମାନେ ଏହି ମାଧ୍ୟମରେ କୁକୁଡା ଚାଷ କରି ଲାଭ କରିବା ସହ ସ୍ୱାବଲମ୍ବୀ ହୋଇ ନିଜର ପରିବାର ପୋଷଣ ମଧ୍ୟ କରୁଛନ୍ତି। ଭଦ୍ରକ, ଢେଙ୍କାନାଳ ଇତ୍ୟାଦି ସ୍ଥାନରେ ଏହି ଅସାମାଜିକ ଯୁବକମାନଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ ମଧ୍ୟ କରାଯାଇଛି। ପ୍ରଶାସନ ଏବଂ ପୁଲିସ ମଧ୍ୟ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ସରକାର ପଦକ୍ଷେପ ନେଇ ଏହି ଅସାମାଜିକ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବା ପାଇଁ କମ୍ପାନିମାନଙ୍କ ପକ୍ଷରୁ ନିବେଦନ କରାଯାଇଛି। ଶୀଘ୍ର ପଦକ୍ଷେପ ନ ନେଲେ ଓଡ଼ିଶାର କୁକୁଡା ଚାଷ ଗଭୀରଭାବେ କ୍ଷତିଗ୍ରସ୍ତ ହେବ ଏବଂ ବର୍ତ୍ତମାନର ପ୍ରକୃତ ଚାଷୀମାନଙ୍କ ସହିତ ଖାଉଟିମାନେ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେବେ। ଏଥିସହିତ, କୁକୁଡାର ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ ବୋଲି କମ୍ପାନିମାନେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର