ନୟାଗଡ଼ : ମହିଷାମର୍ଦ୍ଦିନୀ ଦେବୀ ଦୁର୍ଗାଙ୍କୁ ଧରାପୃଷ୍ଠରେ ବର୍ତ୍ତମାନ ଆବାହନ କରାଯାଉଥିବା ସମୟରେ ନୟାଗଡ଼ରେ ଜଣେ ନାବାଳିକଙ୍କ ଉପରେ ବର୍ବରୋଚିତ କାଣ୍ଡ ଘଟିଛି। ଗରମ ତେଲ କିମ୍ବା ସେଇ ଭଳି କୌଣସି ପଦାର୍ଥ ତାଙ୍କ ଉପରେ ଢାଳି ଦିଆଯାଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉଦ୍ବେଗ ପ୍ରକାଶ ପାଇଛି। ଏଥିନେଇ ନାବାଳିକାଙ୍କ ପରିବାର ପକ୍ଷରୁ ନୟାଗଡ଼ ସଦର ଥାନାରେ ଅଭିଯୋଗ କରାଯାଇଛି।
/sambad/media/post_attachments/wp-content/uploads/2020/10/nayagarh-girl-300x185.jpg)
ମିଳିଥିବା ସୂଚନା ଅନୁଯାୟୀ, କାଳିକାପ୍ରସାଦ ଗ୍ରାମପଞ୍ଚାୟତ ଅଧୀନ ମାନପୁର ଗ୍ରାମରେ ଦୁଇ ପରିବାର ମଧ୍ୟରେ ଜମିବାଡ଼ି ବିବାଦ କାରଣରୁ ଦୀର୍ଘବର୍ଷ ଧରି ବିବାଦ ଲାଗିରହିଥିଲା। ଗତକାଲି ଦିନ ପ୍ରାୟ ୧୨ଟା ୩୦ ମିନିଟ୍ ସମୟରେ ଦୁଇ ପରିବାର ମଧ୍ୟରେ ପୁଣିଥରେ ଗଣ୍ଡଗୋଳ ହୋଇଥିଲା। ଏହି ସମୟରେ ଗୋଟିଏ ପରିବାରର ଲୋକ ଅପରପକ୍ଷର ଜଣେ ନାବାଳିକା ଝିଅ ଉପରେ ଗରମ ତେଲ ଭଳି କୌଣସି ପଦାର୍ଥ ଫିଙ୍ଗି ଦେଇଥିଲେ। ଏଥିରେ ନାବାଳିକା ଜଣକ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କ ମୁହଁ ସଂପୂର୍ଣ୍ଣ ଭାବେ ପୋଡ଼ି ଯାଇଥିବା ବେଳେ, ଆଖିରେ ପ୍ରବଳ ଆଘାତ ଲାଗିଛି। ଦୃଷ୍ଟିଶକ୍ତି ରହିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।
ଘଟଣାସ୍ଥଳରୁ ନାବାଳିକାଙ୍କ ଚିତ୍କାର ଶୁଣି ତାଙ୍କ ମା’ ପହଞ୍ଚିଥିଲେ। ଝିଅକୁ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ଆକ୍ରମଣରୁ ବର୍ତ୍ତି ନଥିଲେ। ଉଭୟଙ୍କୁ ପ୍ରଥମେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରୁ ନାବାଳିକାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି। ଏ ନେଇ ସଦର ଥାନାରେ ଅଭିଯୋଗ ହୋଇଛି। ତେବେ ଏ ନେଇ ସଦର ଥାନା ପକ୍ଷରୁ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ତାହା ଜଣାପଡ଼ିନାହିଁ। କିମ୍ବା, ଥାନା କର୍ତ୍ତୃପକ୍ଷ ବି ଏ ସମ୍ପର୍କରେ ମୁହଁ ଖୋଲିନାହାନ୍ତି। ଅନ୍ୟପକ୍ଷରେ, ଏହି ଘଟଣାରେ ନାବାଳିକା ଓ ତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବାକୁ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/acid-attack.jpg)