ଦାନଗଦୀ : କଳିଙ୍ଗନଗର ଶିଳ୍ପାଞ୍ଚଳରେ ଦାରିଦ୍ର୍ୟର କଷଣ ଉତ୍କଟ ହେବାରେ ଲାଗିଛି। ଗତ କିଛିମାସ ତଳେ ଦାନଗଦୀ ବ୍ଲକ୍ ରଣାଗୁଣ୍ତି ପଞ୍ଚାୟତର ଘାଟିସାହିରେ ଅପପୁଷ୍ଟିରେ ଜଣେ ବାଳକର ମୃତ୍ୟୁ ହୋଇଥିବା ବେଳେ ୩ ବର୍ଷର ଝିଅ ବିଛଣାଲଗା ହୋଇପଡ଼ିଥିଲା। ପୁଣି ଏକ ଘଟଣା ଏହି ବ୍ଲକ୍ ଧୂଳିଗଡ଼ ପଞ୍ଚାୟତ ମୁଣ୍ଡାସାହିର ୭ ନମ୍ବର ୱାର୍ଡରେ ଦେଖିବାକୁ ମିଳିଛି। ମୁଣ୍ଡାସାହିର ଦିବ୍ୟାଙ୍ଗ ମହିଳା ଶାନ୍ତି ମୁଣ୍ଡା(୨୪)ଙ୍କର ଗତକାଲି ମୃତ୍ୟୁ ହୋଇଛି। ଦାରିଦ୍ର୍ୟ ମଧ୍ୟରେ ଛଟପଟ ହେଉଥିବା ଶାନ୍ତି ବିଭିନ୍ନ ରୋଗରେ ପୀଡ଼ିତ ଥିଲେ। ଚିକିତ୍ସା ସେବା ନମିଳିବାରୁ ତାଙ୍କର ଅକାଳ ମୃତ୍ୟୁ ହୋଇଛି। ଏପରିକି ତାଙ୍କ ୨ ବର୍ଷର ପୁଅ ମ୍ୟାଙ୍ଗୁନ ମୁଣ୍ଡା ବି ଅପପୁଷ୍ଟିର ଶିକାର ହୋଇଛି।
ଧୂଳିଗଡ଼ ପଞ୍ଚାୟତ ମୁଣ୍ତାସାହିର ଦିବ୍ୟାଙ୍ଗ ମହିଳା ଶାନ୍ତି ମୁଣ୍ତା ବହୁଦିନ ହେଲା ଧବଳଗିରିସ୍ଥିତ ସ୍ବଧାର ଗୃହରେ ରହୁଥିଲେ। ତାଙ୍କ ଭିଣୋଇ ମୁଣ୍ତା ସାହିର ପାଣ୍ତୁ ମୁଣ୍ଡା କିଛିଦିନ ତଳେ ତାଙ୍କୁ ସେଠାରୁ ଘରକୁ ନେଇଯାଇଥିଲେ। ହେଲେ ସେ ବହୁଦିନ ହେଲା ଅସୁସ୍ଥ ଥିଲେ। ୱାର୍ଡର ଅଙ୍ଗନବାଡ଼ି କର୍ମୀ କିମ୍ବା ଆଶା କର୍ମୀ ତାଙ୍କ ପ୍ରତି ଦୃଷ୍ଟି ଦେଇନଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ତାଙ୍କ ଦୁଇ ବର୍ଷର ପୁଅ ମ୍ୟାଙ୍ଗୁନ୍ ଅପପୁଷ୍ଟିର ଶିକାର ହୋଇଥିଲେ ବି ଅଙ୍ଗନବାଡ଼ି କେନ୍ଦ୍ର ପକ୍ଷରୁ କୌଣସି ସୁବିଧା ଦିଆଯାଇନାହିଁ। ତାଙ୍କ ପରିବାରର ୬ ଜଣଙ୍କ ନାମରେ ରାସନ୍ କାର୍ଡ ରହିଛି। ଗତ ୮ ଦିନ ତଳେ ଏହି କାର୍ଡରେ ୩ ମାସର ରାସନ ସାମଗ୍ରୀ ୯୦ କେ.ଜି. ଚାଉଳ ଉଠାଯାଇଛି। ଭିନ୍ନକ୍ଷମ ଶାନ୍ତିଙ୍କୁ ୭୦୦ ଟଙ୍କା ଲେଖାଏଁ ମାସିକ ଭତ୍ତା ମଧ୍ୟ ମିଳୁଥିଲା। ହେଲେ ସେ ଗତ ମାସେହେଲା ଭତ୍ତାଟଙ୍କା ଆଣିବାକୁ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇପାରିନଥିଲେ। ଫଳରେ ଗତକାଲି ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଅପପୁଷ୍ଟିର ଶିକାର ତାଙ୍କ ପୁଅ ଅସହାୟ ହୋଇପଡ଼ିଛି।
ପ୍ରକାଶ ଯେ, କଳିଙ୍ଗନଗର ଶିଳ୍ପାଞ୍ଚଳରେ ହଜାରହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି। ହେଲେ ଏହାର ପାର୍ଶ୍ବବର୍ତ୍ତୀ ଗାଁ ଗୁଡ଼ିକରେ ଜୀବନ ଧାରଣର ମାନବୃଦ୍ଧି ପାଇଁ କୌଣସି କାର୍ଯ୍ୟକ୍ରମ କରାଯାଉନାହିଁ। ଫଳରେ ରୋଗ ଯନ୍ତ୍ରଣାରେ ଲୋକମାନେ କଲବଲ ହେଉଛନ୍ତି। ରୋଗ ଓ ଅନ୍ୟାନ୍ୟ ସମସ୍ୟାରେ ସ୍ଥାନୀୟ ଭୂମିପୁତ୍ର ଛଟପଟ ହେଉଥିବା ବେଳେ ପ୍ରଶାସନର ଏଥିପ୍ରତି ନଜର ନାହିଁ ବୋଲି ଅଭିଯୋଗ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/dead-1.jpg)