ଭୁବନେଶ୍ବର : ଦାରିଦ୍ର୍ୟ ଆକଳନ ପାଇଁ ତେନ୍ଦୁଲକର ପଦ୍ଧତି ଓ ଏମ୍ପିଆଇ(ମଲ୍ଟି ଡାଇମେନ୍ସନାଲ ପଭର୍ଟି ଇଣ୍ଡେକ୍ସ) ପଦ୍ଧତିକୁ ନେଇ ଦାରିଦ୍ର୍ୟର ସଜ୍ଞାକୁ ନିରୂପଣ କରାଯାଉଛି। ଏମ୍ପିଆଇରେ ମୁଖ୍ୟତଃ ସ୍ବାସ୍ଥ୍ୟ, ଶିକ୍ଷା ଓ ଜୀବନ ଧାରଣର ମାନ ପରିମାପକୁ ନିଆଯାଇଥାଏ। ଏହି ସୂଚକାଙ୍କ ଅଧୀନ ମୁଣ୍ଡ ଗଣନା ଅନୁପାତ ଅନୁଯାୟୀ ରାଜ୍ୟର ଜନସଂଖ୍ୟାର ୨୯.୩୫ ପ୍ରତିଶତ ଦରିଦ୍ର ବୋଲି ଆକଳନ କରାଯାଇଛି। ଏହି ସୂଚକାଙ୍କରେ ଓଡ଼ିଶାରେ ଦାରିଦ୍ର୍ୟର ତୀବ୍ରତା ୪୬.୪୨ ପ୍ରତିଶତ ରହିଛି। ଯାହାକି ଜାତୀୟ ହାର ୪୭.୧୩ ପ୍ରତିଶତଠାରୁ କମ୍ ବୋଲି ସୂଚନା ଦେଇଛନ୍ତି ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ।
ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ଢୋଲକିଆ କହିଛନ୍ତି ଯେ ଯୋଜନା ଆୟୋଗ ଦ୍ବାରା ତେନ୍ଦୁଲକର ପଦ୍ଧତି ଅନୁଯାୟୀ ଆକଳନ ହୋଇଥିବା ରାଜ୍ୟର ଦାରିଦ୍ର୍ୟ ହାର ୨୦୦୪/୦୫ବର୍ଷରେ ୫୭.୨ ପ୍ରତିଶତ ଥିବା ବେଳେ ୨୦୧୧/୧୨ ବର୍ଷରେ ତାହା ୩୨.୬ ପ୍ରତିଶତକୁ ହ୍ରାସ ପାଇଥିଲା। ଏହି ବର୍ଷରେ ରାଜ୍ୟରେ ଦାରିଦ୍ର୍ୟ ହାର ୨୪.୬ ପ୍ରତିଶତ ହ୍ରାସ ପାଇଛି। ଦାରିଦ୍ର୍ୟ ଦୂରୀକରଣ ପାଇଁ ରାଜ୍ୟରେ ବିଭିନ୍ନ ଯୋଜନା ଚାଲୁ ରହିଛି। ଓଡ଼ିଶା ଜୀବିକା ମିସନ, କାଳିଆ, ମମତା ଯୋଜନାରେ ଆର୍ଥିକ ସହାୟତା, ବିଜୁ ପକ୍କା ଘର ଦିଆଯାଉଛି। ରିହାତି ଦିରରେ ଖାଦ୍ୟଶସ୍ୟ ଯୋଗାଣ, ଦକ୍ଷତା ଓ ମିସନ୍ ଶକ୍ତି ମାଧ୍ୟମରେ ମହିଳାଙ୍କୁ ଅର୍ଥନୈତିକ ସଶକ୍ତିକରଣ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧଈନ ନଗଦ ବିହୀନ ଚିକିତ୍ସା, ମନରେଗା ଓ ମୁକ୍ତାରେ ରୋଜଗାରରେ ସୁବ୍ୟବସ୍ଥା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ସଂପୂର୍ଣ୍ଣ ଦାରିଦ୍ର୍ୟ ହ୍ରାସ ଘଟୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/poor2.jpg)
