ବିକାଶର ଗୋଲାପି ଚିତ୍ର ତଳେ ଦାରିଦ୍ର୍ୟ ଉପହସିତ: ବିଦେଶୀ ପୁଞ୍ଜିରେ ଓଡ଼ିଶା ଭାଗ ୦.୦୯%

ଭୁବନେଶ୍ବର : ଓଡ଼ିଶା ଗସ୍ତରେ ଆସୁଥିବା କେନ୍ଦ୍ର ମନ୍ତ୍ରୀମାନେ ସମସ୍ବରରେ ରାଜ୍ୟ ସରକାରଙ୍କ ପ୍ରଶଂସାରେ ଶତମୁଖର। ନିତି ଆୟୋଗର ନୀତି ନିର୍ଧାରକମାନେ ମଧ୍ୟ ସେହି ଧାରା ଅନୁସରଣ କରି ସରକାରଙ୍କୁ ଗୋଟିଏ ପରେ ଗୋଟିଏ କ୍ଷେତ୍ରରେ ପ୍ରମାଣ ପତ୍ର ଧରାଇ ଚାଲିଛନ୍ତି। କେବଳ ସେତିକି ନୁହେଁ, ଓଡ଼ିଶା ସରକାର ମଧ୍ୟ ଅନେକ କ୍ଷେତ୍ରରେ ନିଜକୁ ନିଜେ ଏକ ନମ୍ବର ବୋଲି ଦାବି କରି ଆସୁଛନ୍ତି। ହେଲେ ତଥାକଥିତ ବିକାଶର ଗୋଲାପି ଚିତ୍ର ତଳେ ଓଡ଼ିଶାର ପ୍ରଗତି ଓ ଦାରିଦ୍ର୍ୟ ଯେ ଉପହସିତ; ନିତି ଆୟୋଗଙ୍କ ବିଭିନ୍ନ ପରିସଂଖ୍ୟାନକୁ ନିରେଖି ଦେଖିବା ପରେ ବୁଦ୍ଧିଜୀବୀ ଓ ଅର୍ଥନୀତିଜ୍ଞ ମହଲ ଏଭଳି ଗୋଟିଏ ମତ ରଖିବା ଆରମ୍ଭ କଲେଣି।

YouTube

ଏଇଥିପାଇଁ ଯେ ପ୍ରାକ୍ତନ ଯୋଜନା କମିସନଙ୍କ ଦ୍ବାରା ନିର୍ଧାରିତ ଦାରିଦ୍ର୍ୟ ମାପକାଠି ଆଧାରରେ ଓଡ଼ିଶା ଦାରିଦ୍ର୍ୟ ଦୂରୀକରଣରେ ଅନ୍ୟ ରାଜ୍ୟଗୁଡିକ ତୁଳନାରେ ବେଶ ସଫଳ ବୋଲି କୁହାଯାଉଛି। ମାତ୍ର ଜାତିସଂଘ ଦ୍ବାରା ନିର୍ଧାରିତ ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ସୂଚକାଙ୍କ ଆଧାରରେ ଓଡ଼ିଶାର ୨୯.୩୫ ପ୍ରତିଶତ ଲୋକ ବିଭିନ୍ନ ଦୃଷ୍ଟିରୁ ଗରିବ ଓ ସର୍ବନିମ୍ନ ସୁବିଧାରୁ ବଞ୍ଚିତ। ଏକଥା ନିଜେ ନିତି ଆୟୋଗଙ୍କ ପ୍ରଦତ୍ତ ପରିସଂଖ୍ୟାନରୁ ସ୍ପଷ୍ଟ। ସେହିଭଳି ସ୍ବାସ୍ଥ୍ୟ, ଶିକ୍ଷା ଓ ସର୍ବୋପରି ଜୀବନ ଧାରଣ ମାନକୁ ନେଇ ‘ବିବିଧ ଦିଗରୁ ଗରିବ’ ସୂଚକାଙ୍କ (ଏମ୍‌ପିଆଇ)ରେ ଅନ୍ୟାନ୍ୟ ରାଜ୍ୟ ତାଲିକାରେ ଓଡ଼ିଶାର ସ୍ଥାନ ତଳଆଡୁ ୮। ଏସବୁ ସହିତ ଅନ୍ୟାନ୍ୟ କେତେକ ସୂଚକାଙ୍କକୁ ଆଧାର କରି ନିତି ଆୟୋଗ ପ୍ରସ୍ତୁତ କରିଆସୁଥିବା ନବ ଉନ୍ମେଷ ସୂଚକାଙ୍କ (ଇନୋଭେସନ୍ ଇଣ୍ଡେକ୍ସ-୨୦୧୯)ରେ ଓଡ଼ିଶା ଥିଲା ରାଜ୍ୟ ତାଲିକାର ଦ୍ବାଦଶରେ। ୨୦୨୦ରେ ତାହା ଉପରକୁ ଉଠିବା ବଦଳରେ ତଳକୁ(୧୪)ଖସିଲା। ଗତବର୍ଷ ଏହି ତାଲିକାରେ ଓଡ଼ିଶା ପୁଣି ଦୁଇଟି ସ୍ଥାନକୁ ଖସି ୧୬ରେ ପହଞ୍ଚିଛି।

୯୯% ସ୍କୁଲର ବିଜ୍ଞାନାଗାର ନାହିଁ
୫% ପିଲା ସ୍କୁଲ ଦେଖନ୍ତି ନାହିଁ
ମହିଳାଙ୍କ ସ୍ବାସ୍ଥ୍ୟ, ଅପପୁଷ୍ଟି ଓ ନିଯୁକ୍ତି ସ୍ଥିତି ଉଦ୍‌ବେଗଜନକ
୧୯.୨୨% ଲୋକଙ୍କର ସଂପତ୍ତି ବୋଲି କିଛି ନାହିଁ

ବିଭିନ୍ନ ସୂଚକାଙ୍କକୁ ନେଇ ପ୍ରସ୍ତୁତ ଏହି ତାଲିକାରେ ରାଜ୍ୟର ଶ୍ରମ ଶକ୍ତି ସର୍ବାଧିକ ୨୪.୬୨ ପଏଣ୍ଟ ହାସଲ କରିଥିବା‌ ବେଳେ ଶ୍ରମିକମାନଙ୍କ ଜ୍ଞାନ ବା ଦକ୍ଷତା ସର୍ବନିମ୍ନ ୨.୧୨ ପଏଣ୍ଟରେ ସୀମିତ। ସେହିପରି ଜ୍ଞାନକୁ ଶ୍ରମରେ ଉପଯୋଗ କରିବା ପାଇଁ ଯେଉଁ ସୂଚକାଙ୍କ ରହିଛି, ସେଥିରେ ରାଜ୍ୟର ସ୍କୋର ମାତ୍ର ୩.୪୬ ପଏଣ୍ଟ। ତାହାର ବିନିଯୋଗ ହାର ୪.୭୬ ପଏଣ୍ଟରେ ସୀମିତ।

ଆହୁରି ଉଦ୍‌ବେଗର ବିଷୟ ହେଲା ଯେ ଗୋଟିଏ ପଟେ ରାଜ୍ୟର ବ୍ୟାବସାୟିକ ପରିବେଶ ବେଶ୍ ଅନୁକୂଳ ବୋଲି ସେ କ୍ଷେତ୍ରରେ ଓଡ଼ିଶା ୨୨.୮ ପଏଣ୍ଟ ହାସଲ କରିଛି। ମାତ୍ର ଶିଳ୍ପ ବିକାଶରେ ଯଥେଷ୍ଟ ପ୍ରଗତିଶୀଳ ଓଡ଼ିଶାରେ ବୈଦେଶିକ ପୁଞ୍ଜି ବିନିଯୋଗ ହାର ଲଜ୍ଜାଜନକ। ଏକଥା କେହି ଅସ୍ବୀକାର କରିପାରିବେ ନାହିଁ। ୨୦୧୯ରୁ ୨୦୨୨ ମାର୍ଚ୍ଚ ସୁଦ୍ଧା ଦେଶରେ ବୈଦେଶିକ ପୁଞ୍ଜି ବିନିଯୋଗ ପରିମାଣ ୧୦ଲକ୍ଷ ୫୧ ହଜାର ୩୫୧ କୋଟିରୁ ଅଧିକ ହୋଇଥିବା ବେଳେ ସେଥିରେ ଓଡ଼ିଶାକୁ ଆସିଛି ୯୫୦ କୋଟିରୁ କମ୍। ଅତି ସରଳ ଭାବେ କହିଲେ ୧୦୦ ଟଙ୍କାରୁ ମାତ୍ର ୯ ପଇସା।

India TV News

ଓଡ଼ିଶାରେ ଖଣି, ଶିଳ୍ପ ତଥା ଉତ୍ପାଦନ କ୍ଷେତ୍ର ବେଶ୍ ପ୍ରଶସ୍ତ। ଅଥଚ ଚଳିତ ଆର୍ଥିକ ବର୍ଷରେ ମଧ୍ୟ ରାଜ୍ୟର ବୈଦେଶିକ ପୁଞ୍ଜି ଆକର୍ଷଣ ସ୍ଥିତି ନୈରାଶ୍ୟଜନକ। ରାଜ୍ୟ ତାଲିକାରେ ଓଡ଼ିଶାର ସ୍ଥାନ ନିହାତି ନିମ୍ନରେ।

ସେହିପରି ପୁଞ୍ଜି ଆକର୍ଷଣ ପାଇଁ ସରକାର ଇଜ୍ ଅଫ୍ ଡୁଇଂ ବିଜିନେସରେ ଅତୁଳନୀୟ ସୁବିଧା ସଂପ୍ରସାରିତ କରିଥିବା ଦାବି କରୁଛନ୍ତି। ଅଥଚ ଏ କ୍ଷେତ୍ରରେ ଓଡ଼ିଶାର ସ୍କୋର ଶୂନ ବୋଲି ହିସାବ କରିଛନ୍ତି ନିତି ଆୟୋଗ। ସେହିପରି ଦକ୍ଷତା ବିକାଶ, ସାମାଜିକ ଗଣମାଧ୍ୟମ ପରିଚାଳନା ଆଦି କ୍ଷେତ୍ରରେ ମଧ୍ୟ ରାଜ୍ୟର ସ୍କୋର ଶୂନରେ ସୀମିତ।
ଅଧିକ ଗମ୍ଭୀର ହେଲା, ଜ୍ଞାନଉପଯୋଗୀ ନିଯୁକ୍ତି କ୍ଷେତ୍ରରେ ରାଜ୍ୟର ସ୍କୋର ୦.୩୭ ପଏଣ୍ଟ ବୋଲି ଏହି ରିପୋର୍ଟରେ ଉଲ୍ଲେଖ ରହିଛି।

‘ବିବିଧ ଦିଗରୁ ଦାରିଦ୍ର୍ୟ’ ସୂଚକାଙ୍କ ଅନୁଯାୟୀ ଓଡ଼ିଶା ରାଜ୍ୟର ୭୦.୪୩ ପ୍ରତିଶତ ଲୋକ ପରିମଳ ସୁବିଧାରୁ ବଞ୍ଚିତ। ପାଖାପାଖି ୫ ପ୍ରତିଶତ ପିଲା ସ୍କୁଲ ଦେଖୁନାହାନ୍ତି। ରାଜ୍ୟରେ ମାତ୍ର ୦.୨୪ ବିଦ୍ୟାଳୟରେ ଅଟଳ ଟିଙ୍କରିଂ ଲାବ୍‌ସ ବା ବିଜ୍ଞାନାଗାର ଅଛି। ଅର୍ଥାତ୍ ୯୯.୭୬ ପ୍ରତିଶତ ବିଦ୍ୟାଳୟ ଏଭଳି ସୁବିଧା ପାଆନ୍ତି ନାହିଁ। ସୁତରାଂ ଆଜି ଦିନରେ ରାଜ୍ୟର ବିଦ୍ୟାଳୟ ଶିକ୍ଷା ବିଜ୍ଞାନ ଓ କାରିଗରୀ ଦୃଷ୍ଟିରୁ ଛାତ୍ରଛାତ୍ରୀମାନଙ୍କୁ କେତେ ନିପୁଣ କରିପାରିବ, ତାହା ଏଥିରୁ ଅନୁମାନ କରାଯାଇପାରେ।

ରିପୋର୍ଟ ଅନୁସାରେ, ମାଆମାନଙ୍କ ସ୍ବାସ୍ଥ୍ୟ ଦୃଷ୍ଟିରୁ ୧୯.୫% ମହିଳା ସମ୍ବେଦନଶୀଳ ବର୍ଗରେ ଅଛନ୍ତି। ମାତ୍ର ୧% ଉଚ୍ଚଶିକ୍ଷିତା ମହିଳା ନିଯୁକ୍ତି ପାଉଛନ୍ତି। ହାରାହାରି ୩୭.୨୬% ଲୋକ ଅପପୁଷ୍ଟିରେ ପୀଡ଼ିତ। ବିଭିନ୍ନ ଯୋଜନା ସତ୍ତ୍ବେ ୧୩.୫୭% ଲୋକ ବିଜୁଳି ଆଲୁଅ ପାଉନାହାନ୍ତି। କେବଳ ସେତିକି ନୁହେଁ, ସ୍ବାଧୀନତାର ଦୀର୍ଘ ବର୍ଷ ପରେ ବି ଆମ ରାଜ୍ୟର ୧୯.୨୨ ପ୍ରତିଶତ େଲାକ ନିଃସ୍ବ, ଅର୍ଥାତ୍ ସେମାନଙ୍କର ସଂପତ୍ତି ବୋଲି କିଛି ନାହିଁ।

ସମ୍ବନ୍ଧିତ ଖବର