ଦାରିଦ୍ର୍ୟର ବିକଳ ଚିତ୍ର : ୩୭ ଲକ୍ଷ ବୃଦ୍ଧବୃଦ୍ଧାଙ୍କ ଆଶାବାଡ଼ି ମନରେଗା

୮୦ ବର୍ଷ ବା ତଦୁର୍ଦ୍ଧ୍ୱ ବୟସର ୫.୯୦ ଲକ୍ଷ ପଞ୍ଜିକୃତ, ଲକ୍ଷାଧିକ ବାର୍ଧକ୍ୟଭତ୍ତା ପାଇବାରୁ ବଞ୍ଚିତ

ଭୁବନେଶ୍ୱର (ଗୁଣଗ୍ରାହୀ ସାହୁ): ବୟସ ସରିବାକୁ ବସିଲାଣି। ଏଭଳି ବୟସରେ ନିଜେ ନିଜ କାମ କରିବା ବି ଏକପ୍ରକାର ଅସମ୍ଭବ। ଅନ୍ୟମାନଙ୍କର ସବୁବେଳେ ସାହାଯ୍ୟ ଲୋଡ଼େ ଥକ୍କା ମନ ଓ ରୁଗ୍ଣ ଶରୀର। କିନ୍ତୁ ଏଭଳି ସମୟରେ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଓଡିଶାର ୩୭ ଲକ୍ଷ ବୃଦ୍ଧ ବୃଦ୍ଧା ମନ୍‌ରେଗାକୁ ନିଜର ଆଶାବାଡି ମନେ କରିଛନ୍ତି। ୬୦ ବର୍ଷ ବା ତଦୁର୍ଦ୍ଧ୍ୱ ବୟସର ୩୦ ଲକ୍ଷ ୯୬ ହଜାର ୨୩୬ ଜଣ ବୃଦ୍ଧ, ବୃଦ୍ଧା ଦୈନିକ କାମ ପାଇବା ଲାଗି ମନ୍‌ରେଗାରେ ପଞ୍ଜୀକୃତ ହୋଇଛନ୍ତି। ସେହିପରି ୮୦ ବୟସ ବା ତଦୁର୍ଦ୍ଧ୍ୱ ବୟସର ଆହୁରି ୫ ଲକ୍ଷ ୯୦ ହଜାର ୪୯୨ଜଣ ବୃଦ୍ଧ, ବୃଦ୍ଧା ଦିନ ମଜୁରିଆ ଭାବେ କାମ ପାଇଁ ପଞ୍ଜୀକୃତ ହୋଇଛନ୍ତି। କେବଳ ନାମ ପଞ୍ଜୀକରଣ କରାଇ ନାହାନ୍ତି, ଅନେକେ ମଧ୍ୟ କାମ କରିଛନ୍ତି। ମନ୍‌ରେଗାରେ ହଜାର ହଜାର ସଂଖ୍ୟାରେ ବୃଦ୍ଧବୃଦ୍ଧା କାମ କରୁଥିବା ରାଜ୍ୟର ଦାରିଦ୍ର୍ୟ ସାଙ୍ଗକୁ ବିପର୍ଯ୍ୟସ୍ତ ସାମାଜିକ ସ୍ଥିତିର କରୁଣ ଚିତ୍ର ବୟାନ କରୁଛି। ଦିନ ମଜୁରିଆ ଭାବେ ଏମାନେ କାମ କରିବା ପଛରେ କି ବାଧ୍ୟବାଧକତା ରହିଛି? ଏହା ଉଭୟ ସରକାର ଓ ସମାଜ ଆଖିରେ ଆଙ୍ଗୁଳି ଗେଂଜି ଦେଖାଇ ଦେଉଛି ଆମ ଯୋଜନାରେ କେଉଁଠି ନା କେଉଁଠି ବିରାଟ ଫାଙ୍କ ରହିଛି।

ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆରଇଜିଏସ ବା ମନ୍‌ରେଗା)ରେ ପ୍ରତ୍ୟେକ ଆଗ୍ରହୀ ବ୍ୟକ୍ତିଙ୍କୁ ସରକାର ଅତିକମ୍‌ରେ ୧୦୦ ଦିନର କାମ ଯୋଗାଇ ଦେବାକୁ ଆଇନତଃ ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମନ୍‌ରେଗାରେ ନିଜ ନାମ ପଞ୍ଜୀକୃତ କରାଇବାକୁ ପଡିଥାଏ। ପଞ୍ଜୀକୃତ ପ୍ରତ୍ୟେକ ବ୍ୟକ୍ତିଙ୍କ ବୟସକୁ ମଧ୍ୟ ତାଲିକାଭୁକ୍ତ କରି ଅଗ୍ରାଧିକାର ଭିତ୍ତିରେ ବୟସ୍କମାନଙ୍କୁ କାମ ଦିଆଯାଇଥାଏ। ଏହି ତାଲିକାରୁ ଓଡିଶାର ୩୦ଟି ଯାକ ଜିଲ୍ଲାରେ କେତେ ବୟସର କେତେ ବ୍ୟକ୍ତି କାମ ପାଇଁ ପଞ୍ଜୀକରଣ କରିଛନ୍ତି ତାହା ଜଣାପଡିଛି। ତଥ୍ୟ ଅନୁଯାୟୀ ୬୦ରୁ ୮୦ ବର୍ଷ ବୟସର ୩୦ ଲକ୍ଷ ୯୬ ହଜାର ୨୩୬ ଜଣ ବୃଦ୍ଧବୃଦ୍ଧା ମନ୍‌ରେଗାରେ କାମ ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ମାତ୍ର ୧ ଲକ୍ଷ ୪୪ ହଜାର ୭୬୬ ଜଣ ବ୍ୟକ୍ତିଙ୍କୁ କାମ ଦିଆଯାଇଛି।

ବିଡ଼ମ୍ବନାର ବିଷୟ ଯେ ୮୦ବର୍ଷ ବା ତଦୁର୍ଦ୍ଧ୍ୱ ବୟସର ୫ ଲକ୍ଷ ୯୦ ହଜାର ୪୯୨ଜଣ ବ୍ୟକ୍ତି ନିଜ ନାମ ମନ୍‌ରେଗାରେ ପଞ୍ଜୀକୃତ କରାଇଛନ୍ତି। ଅବଶ୍ୟ, ଏମାନଙ୍କ ମଧ୍ୟରୁ କାମ ପାଇଛନ୍ତି ମାତ୍ର ୬୧୫୯ ଜଣ। ରାଜ୍ୟର ଗଞ୍ଜାମ, ମୟୂରଭଞ୍ଜ ଜିଲ୍ଲାର ସର୍ବାଧିକ ସଂଖ୍ୟାରେ ବୃଦ୍ଧ, ବୃଦ୍ଧା ଏହି ଯୋଜନାରେ ନାମ ପଞ୍ଜୀକୃତ କରାଇଛନ୍ତି। ଗଞ୍ଜାମ ଜିଲ୍ଲାର ୮୦ ବର୍ଷ ବା ତଦୁର୍ଦ୍ଧ୍ୱ ବୟସର ୫୦୪୪୪ଜଣ ଶ୍ରମିକ ଏହି ଯୋଜନାରେ ନିଜକୁ ସାମିଲ କରିଛନ୍ତି। ସେହିପରି ମୟୂରଭଞ୍ଜ ଜିଲ୍ଲାର ୩୮୦୫୭ଜଣ ବୃଦ୍ଧବୃଦ୍ଧାଙ୍କ ନାମ ଏହି ତାଲିକାରେ ରହିଛି। ସମୁଦାୟ ପଞ୍ଜୀକୃତ ଶ୍ରମିକମାନଙ୍କ ମଧ୍ୟରୁ ୮୦ ବର୍ଷରୁ ଅଧିକ ବୟସର ଲୋକଙ୍କ ପ୍ରତିଶତ ହେଉଛି ୨.୮୯। ଏମାନଙ୍କ ମଧ୍ୟରୁ ୬୧୫୯ଜଣଙ୍କୁ ଅର୍ଥାତ୍‌ ମାତ୍ର ୦.୩୯ ପ୍ରତିଶତ ବୃଦ୍ଧବୃଦ୍ଧାଙ୍କୁ କାମ ଦିଆଯାଇଛି।

ରାଜ୍ୟର ବୃଦ୍ଧବୃଦ୍ଧାଙ୍କ ପାଇଁ ସରକାର ବାର୍ଧକ୍ୟ ଭତ୍ତା ଦେଉଛନ୍ତି। ୭୯ ବର୍ଷ ବୟସ ପର୍ଯ୍ୟନ୍ତ ଜଣେ ବ୍ୟକ୍ତିଙ୍କୁ ମାସିକ ୩୦୦ ଟଙ୍କା ଏବଂ ୮୦ ବର୍ଷ ବା ତଦୁର୍ଦ୍ଧ୍ୱ ବୟସର ବୃଦ୍ଧବୃଦ୍ଧାଙ୍କୁ ୫୦୦ ଟଙ୍କାର ଭତ୍ତା ଦିଆଯାଉଛି। ସାମାଜିକ ସଶକ୍ତୀକରଣ ବିଭାଗ ତଥ୍ୟ ଅନୁଯାୟୀ ରାଜ୍ୟର ୧୯ ଲକ୍ଷ ୮୫ ହଜାର ୨୪ଜଣ ବୃଦ୍ଧବୃଦ୍ଧାଙ୍କୁ ମିଳୁଛି ଏହି ଭତ୍ତା। ଏହା ସତ୍ତ୍ୱେ ପ୍ରାୟ ୩୭ ଲକ୍ଷ ବୃଦ୍ଧବୃଦ୍ଧା ଦିନ ମଜୁରିଆ ଭାବେ କାମ କରିବାକୁ ଘରୁ ବାହାରି ଆସିଛନ୍ତିି। ସେମାନଙ୍କ ମଧ୍ୟରେ ଅଛନ୍ତି ୮୦ ବର୍ଷ ବା ତଦୁର୍ଦ୍ଧ୍ୱ ବୟସର ୫.୯୦ ଲକ୍ଷ। ଏମାନଙ୍କ ମଧ୍ୟରୁ ଲକ୍ଷାଧିକ ବ୍ୟକ୍ତି ଭତ୍ତା ପାଉନଥିବା ଅଭିଯୋଗ ହେଉଛି। ବାର୍ଧକ୍ୟ ଭତ୍ତା ସହିତ ବିଧବା ଓ ଭିନ୍ନକ୍ଷମ ଭତ୍ତା ମଧ୍ୟ ଯୋଗ୍ୟ ହିତାଧିକାରୀମାନଙ୍କୁ ମିଳୁନଥିବାର ଏହା ବଡ଼ ପ୍ରମାଣ। ସେ ପଟେ, ଯେତିକି ଭତ୍ତା ମିଳୁଛି, ତାହା ଜୀବନ ନିର୍ବାହ ପାଇଁ ଆଦୌ ପର୍ଯ୍ୟାପ୍ତ ନୁହେଁ। ଏହି ଭତ୍ତା ରାଶିକୁ ୩୦୦ରୁ ୧୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ବାରମ୍ବାର ଦାବି ହେଉଥିଲେ ବି ସରକାର ଏ କ୍ଷେତ୍ରରେ ସମ୍ବେଦନଶୀଳ ନ ଥିବା କୁହାଯାଉଛି। କେବଳ ସରକାର ନୁହଁନ୍ତି, ଏମାନଙ୍କ ମଧ୍ୟରୁ ଅଧିକାଂଶ ବୃଦ୍ଧବୃଦ୍ଧା ନିଜ ନିଜ ପରିବାର ସଦସ୍ୟମାନଙ୍କ ଆଗରେ ଅଲୋଡ଼ା ବା ବୋଝ ପାଲଟି ଯାଇଛନ୍ତି। ଫଳରେ ସେମାନେ ବାଧ୍ୟ ହୋଇ ମନ୍‌ରେଗାକୁ ଆଶାବାଡ଼ି ଭାବି ନିଜ ନିଜ ନାମ ପଞ୍ଜୀକରଣ କରାଇବାକୁ ବାଧ୍ୟ ହୋଇଛନ୍ତିି। ଉଲ୍ଲେଖଯୋଗ୍ୟ, ଏଜ୍‌ଓ୍ଵଲ୍‌ ନାମକ ଏକ ଏନ୍‌ଜିଓର ସର୍ଭେ ମୁତାବକ ଗତ ୧୫ ବର୍ଷରେ ବରିଷ୍ଠ ନାଗରିକଙ୍କ ଜୀବନ ଧାରାରେ କୌଣସି ପରିବର୍ତନ ଘଟିନାହିଁ।

ସମ୍ବନ୍ଧିତ ଖବର