ଦାରିଦ୍ର୍ୟ ନେଲା ସୋମନାଥଙ୍କ ଜୀବନ

ପରିବାର ପାଇଁ ଖାଦ୍ୟ ଯୋଗାଡ଼ କରିପାରିଲେନି, ପୂର୍ବରୁ ବିକିଥିଲେ ୪ମାସର ଶିଶୁ ପୁତ୍ର

ମାଲକାନଗିରି/ଗୋବିନ୍ଦପାଲ୍ଲୀ : ସ୍ଥାନୀୟ ଅଞ୍ଚଳରେ ଦୁଇ ବେଳା ମୁଠାଏ ଭାତ ପାଇଁ ସଂଘର୍ଷ କରୁଥିବା ଗରିବ ଲୋକଙ୍କର ବ୍ୟଥା ସଂପର୍କରେ ‘ସମ୍ବାଦ’ରେ ଅନେକ ରିପୋର୍ଟ ପ୍ରକାଶ ପାଇଛି। କରୋନା ପରବର୍ତ୍ତୀ ପରିସ୍ଥିତିରେ ଏମାନଙ୍କ ଜୀବନ ଓ ଜୀବିକା ଯନ୍ତ୍ରଣା ବହୁଗୁଣିତ ହୋଇଯାଇଥିଲା। ଏଥିରେ ଏଯାଏ ସୁଧାର ଆସିନାହିଁ। ଠିକ୍ ଏମିତି ଏକ ସମୟରେ ମାଲକାନଗିରି ଜିଲ୍ଲାରୁ ଏକ ହୃଦୟ ଥରାଇ ଦେବା ଭଳି ଘଟଣା ସାମ୍ନାକୁ ଆସିଛି।

ଖଇରପୁଟ ବ୍ଲକ ଗୋବିନ୍ଦପାଲ୍ଲୀ ପଞ୍ଚାୟତର ସପ୍ତଧାରା ଗାଁରେ ଜଣେ ବ୍ୟକ୍ତି ସୋମନାଥ ଖିଲ ନିଜ ପରିବାର ପାଇଁ ମୁଠାଏ ଦାନା ଯୋଗାଡ଼ କରିନପାରି ଶେଷରେ ଆଜି ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ଆଜି ସମଗ୍ର ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି। କେବଳ ସେତିକି ନୁହେଁ, ସୋମନାଥ ଖିଲ ସହିତ ଯୋଡ଼ି ହୋଇଥିବା ଆହୁରି ଏକ ସାଂଘାତିକ ଚିତ୍ର ଲୋକଲୋଚନକୁ ଆସିଛି। ଗୋବିନ୍ଦପାଲ୍ଲୀ ପଞ୍ଚାୟତର ସପ୍ତଧାରା ଗାଁରେ ସୋମନାଥଙ୍କ ଘର। ପରିବାର କହିଲେ ପତ୍ନୀ କୁନି ଖିଲ ଏବଂ ୪ ପିଲାଛୁଆ (ତିନି ପୁଅ ଓ ଗୋଟିଏ ଝିଅ)। ଚାରି ମାସ ତଳେ ଆଉ ଗୋଟିଏ ଶିଶୁ ପୁତ୍ର ଜନ୍ମ ହୋଇଥିଲା। ଅତି ଶ୍ରଦ୍ଧାରେ କୁନି ଛୁଆଟିର ନାମ ଦେଇଥିଲେ ରାଜା।

କୁଲିମଜୁରି କରି ପରିବାର ପ୍ରତିପୋଷଣ କରୁଥିବା ସୋମନାଥ ଇତିମଧ୍ୟରେ ଆର୍ଥିକ ଦୁଃସ୍ଥିତି ଭିତରକୁ ଚାଲିଯାଇଥିଲେ। ପରିବାର ପୋଷିବା ପାଇଁ ବହୁ କଷ୍ଟ କଲେ ମଧ୍ୟ ସେ ଦୁଇ ବେଳେ ଦାନା ଯୋଗାଡ କରିପାରୁନଥିଲେ। ଧାର ଉଧାର କରି ପରିବାର ଚଳାଉଥିଲେ। ଧୀରେ ଧୀରେ ଦୁର୍ବଳ ହୋଇଯିବା କାରଣରୁ କାମ କରିବା ବି ତାଙ୍କ ପକ୍ଷେ ଆଉ ସମ୍ଭବ ହେଲା ନାହିଁ। ଶେଷରେ ଅତ୍ୟନ୍ତ କଠୋର ନିଷ୍ପତ୍ତି ନେଇ ସୋମନାଥ ନିଜର ଚାରିମାସର କୁନି ଛୁଆ ପ୍ରତି ନିର୍ମମ ବ୍ୟବହାର କରିଥିଲେ। ସେ ମା’କ୍ଷୀର ଛାଡ଼ିବା ପୂର୍ବରୁ ତାକୁ ବିକ୍ରି କରିଦେଇଥିଲେ। ପୁଅକୁ ବିକ୍ରି କରି ଯେଉଁ ହଜାରେ ଟଙ୍କା ପାଇଥିଲେ, ଚାଉଳ କିଣିବା ବାବଦରେ କିଛି ଟଙ୍କା ସେ ଭରଣା କରିଛନ୍ତି। ବାକି ଟଙ୍କାରେ ସେମାନେ କିଛି ଦିନ ଚଳିଗଲେ। ହେଲେ ଟଙ୍କା ସରିଗଲା ପରେ ଆଉ ରାହା ଦିଶିଲା ନାହିଁ। ନିଜର ପିଲାକୁ ବିକ୍ରି କରିଥିବା ଦୁଃଖ ତାଙ୍କ ଜୀବନକୁ ଆହୁରି ଦୁର୍ବିସହ କରିଦେଇଥିଲା।

ଜୀବନ ଯୁଦ୍ଧରେ ପରାଜୟ ସ୍ବୀକାର କରି ଶେଷରେ ସୋମନାଥ ଗତକାଲି ରାତିରେ ବେକରେ ରଶି ଲଗାଇ ନିଜ ଘର ବାରଣ୍ଡାରେ ଆତ୍ମହତ୍ୟା କରିଥିଲେ। ସୋମନାଥଙ୍କ ମୃତ୍ୟୁପରେ ପତ୍ନୀ କୁନି ଖିଲ ଏବେ ଅସହାୟ ହୋଇ ପଡିଛନ୍ତି। ତାଙ୍କୁ ଚାରିଆଡ ଅନ୍ଧାର ଦିଶୁଛି। ଚାରି ପିଲାଙ୍କୁ ନେଇ ସେ କିପରି ଚଳିବେ ସେନେଇ ଆଜି ସମସ୍ତଙ୍କ ସାମ୍ନାରେ ବାହୁନି ବାହୁନି କାନ୍ଦିଛନ୍ତି।

ପ୍ରଶ୍ନ ଉଠୁଛି ଚାରି ମାସର ଶିଶୁ ପୁତ୍ରକୁ ସୋମନାଥ କେଉଁଠି ବିକ୍ରି କରିଛନ୍ତି? ଏହି ଖବର କିପରି ଶିଶୁ ମଙ୍ଗଳ ବିଭାଗ ପାଖରେ ପହଞ୍ଚିପାରିଲା ନାହିଁ? ଆଜି ଗଣମାଧ୍ୟମ ସାମ୍ନାରେ କୁନି ଖିଲ ନେହୁରା ହୋଇଛନ୍ତି ଯେ ପ୍ରଶାସନ ହାତ ନ ବଢ଼ାଇଲେ ସେ ଦାଣ୍ଡର ଭିକାରି ପାଲଟିଯିବେ। ଏନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସଙ୍କୁ ପଚାରିବାରୁ ସେ ଖବର ପାଇନଥିବା କହିଥିଲେ। ତେବେ ଶ୍ରୀ ଦାସ ଆଶ୍ବାସନା ଦେଇଥିଲେ ଯେ ଏହି ଘଟଣାର ତଦନ୍ତ କରାଯିବ।

ସମ୍ବନ୍ଧିତ ଖବର