ଅଫିସର ସର୍ବେସର୍ବା; ଜିଲ୍ଲାପାଳ, ବିଡିଓଙ୍କ କ୍ଷମତା ବଢ଼ିଛି
ବିଧାୟକ ଓଗାଳୁଛନ୍ତି ବାଟ, ପଞ୍ଚାୟତିରାଜ ବ୍ୟବସ୍ଥା ବାଟବଣା
ଭୁବନେଶ୍ବର, (ଭବାନୀ ଶଙ୍କର ତ୍ରିପାଠୀ): ଜିଲ୍ଲା ପରିଷଦ ସଭାପତି ଅଧିକ କ୍ଷମତାଶାଳୀ ନା ଜିଲ୍ଲାପାଳ? ବ୍ଲକରେ କାହାର ଦବ୍ଦବା ଅଧିକ; ପଞ୍ଚାୟତ ସମିତି ଅଧ୍ୟକ୍ଷ ନା ବ୍ଲକ ବିଡ଼ିଓ? ନିର୍ବାଚିତ ପ୍ରତିନିଧିଙ୍କୁ ସମ୍ବିଧାନରେ ପର୍ଯ୍ୟାପ୍ତ କ୍ଷମତା ଦିଆଯାଇଥିବା ବେଳେ ପଞ୍ଚାୟତିରାଜ ବ୍ୟବସ୍ଥାରେ କାର୍ଯ୍ୟାନ୍ବୟନ ଦାୟିତ୍ବରେ ଥିବା ଜିଲ୍ଲାପାଳ ଓ ବିଡିଓ କେମିତି ଓ କେଉଁ ଆଧାରରେ ଏତେ ପ୍ରଭାବଶାଳୀ ହୋଇଗଲେ?
ଆସନ୍ତା ପାଞ୍ଚବର୍ଷ ପାଇଁ ପଞ୍ଚାୟତସ୍ତରରେ ଶାସନ ବ୍ୟବସ୍ଥାକୁ ଅଧିକ ସଶକ୍ତ ଲାଗି ପୂରା ଓଡ଼ିଶାରେ ଯେବେ ନେତା ଖୋଜାଚାଲିଛି; ସେବେ ଏଭଳି କିଛି ପ୍ରଶ୍ନ ରାଜନୈତିକ ପର୍ଯ୍ୟବେକ୍ଷକ ମହଲକୁ ଆନ୍ଦୋଳିତ କରୁଛି। ପଞ୍ଚାୟତ ନିର୍ବାଚନ କରାୟତ ଲାଗି ନେତାମାନେ ଫୁଲ୍ ଦମରେ ପ୍ରତିଯୋଗିତା କରୁଛନ୍ତି। ପ୍ରାର୍ଥୀଙ୍କ ଭିତରେ ପ୍ରତିଯୋଗିତା ଏମିତି ଯେ ସାଧାରଣ ନିର୍ବାଚନଠାରୁ ରାଜନୈତିକ ତାତି ଅଧିକ ଅନୁଭୂତ ହେଉଛି। ପର୍ଯ୍ୟବେକ୍ଷକ ଯେତେ ଜଗିଲେ ବି ନିର୍ବାଚନ ପ୍ରଚାର ତରିକା ବୟାନ କରୁଛି ଯେ କମିସନଙ୍କ ଖର୍ଚ୍ଚ କଟକଣା କେବଳ କାଗଜପତ୍ରରେ ସୀମିତ। ହେଲେ ଯେଉଁ ନିର୍ବାଚନ ପାଇଁ ଏତେ କସରତ; ସେହି ସରପଞ୍ଚ, ଜିଲ୍ଲା ପରିଷଦ ସଭ୍ୟ, ସଭାପତି, ସମିତି ସଭ୍ୟ, ବ୍ଲକ ଅଧ୍ୟକ୍ଷଙ୍କ ଭୂମିକା ଓ ଦିଆଯାଇଥିବା କ୍ଷମତାକୁ ଆଉ କେହି ଅପହରଣ କରିନେଲେଣି, ଏ ନେଇ କେହି ସଚେତନ ନାହାନ୍ତି।
ପଞ୍ଚାୟତ ନିର୍ବାଚନ ପ୍ରଚାରରେ ମଧ୍ୟ ଏହା ଏକ ପ୍ରସଙ୍ଗ ଭାବେ ସ୍ଥାନ ପାଇନାହିଁ। ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ଲାଗି ସମ୍ବିଧାନରେ ଯେଉଁ ସଂଶୋଧନ କରାଗଲା, ସେଥିରେ ଘୁଣ ଲାଗିସାରିଲାଣି। ତାହାକୁ ବାଟବଣା କରିଦେବା ଲାଗି ଯୋଜନାବଦ୍ଧ ଷଡ୍ଯନ୍ତ୍ର ଚାଲିଛି, ଏଥିପାଇଁ ମଧ୍ୟ କେହି ବ୍ୟସ୍ତ ନୁହାନ୍ତି। ଭାତହାଣ୍ଡିରୁ ଗୋଟିଏ ଚିପିବା ଭଳି ପ୍ରାଥମିକ ଶିକ୍ଷା କ୍ଷେତ୍ରକୁ ଏ ସଂକ୍ରାନ୍ତରେ ଉଦାହରଣ ଭାବେ ନିଆଯାଇପାରେ। ଏହି ବିଷୟଟି ପଞ୍ଚାୟତକୁ ହସ୍ତାନ୍ତର କରାଯାଇଛି। ସରପଞ୍ଚଙ୍କର ସେ କ୍ଷେତ୍ରରେ କି ଭୂମିକା ରହିଛି? ଅଙ୍ଗନବାଡି ପାଠପଢା ବାଟବଣା ପାଇଁ ତାଙ୍କୁ ଉତ୍ତରଦାୟୀ କରାଯାଇପାରିବ କି?
ଏକଥାଟି ସରକାର ଜାଣିନାହାନ୍ତି ତା’ ନୁହେଁ। ପୂର୍ବତନ ପ୍ରଶାସକ ଚିନ୍ନୟ ବସୁଙ୍କ ଅଧ୍ୟକ୍ଷତାରେ ଗଠିତ ଚତୁର୍ଥ ଅର୍ଥ କମିସନ ଅତ୍ୟନ୍ତ କଡା ଭାଷାରେ ତାଙ୍କ ରିପୋର୍ଟରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ କିଭଳି ଦୁର୍ବଳ କରିବାକୁ ଷଡ଼ଯନ୍ତ୍ର ଚାଲିଛି, ସେନେଇ ଅନେକ ତଥ୍ୟ ଦେଇଛନ୍ତି। ରିପୋର୍ଟକୁ ସରକାର ଗ୍ରହଣ କରିଥିଲେ ବି ବ୍ୟବସ୍ଥାରେ କିନ୍ତୁ ପରିବର୍ତ୍ତନ ହୋଇନାହିଁ। ସେହିଭଳି ପଞ୍ଚାୟତିରାଜ ବ୍ୟବସ୍ଥାକୁ ଦୁର୍ବଳ କରାଯାଇଥିବା ନେଇ ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ ତାଙ୍କ ରିପୋର୍ଟରେ ଲମ୍ବା ତ୍ରୁଟିର ତାଲିକା ଧରାଇଛନ୍ତି। ସରକାରୀ ଫାଇଲ ଭିତରେ ଏସବୁ କିନ୍ତୁ ରୁନ୍ଧି ହୋଇଯାଇଛି।
୭୩ତମ ସମ୍ବିଧାନ ସଂଶୋଧନରେ କ୍ଷମତା ବିକେନ୍ଦ୍ରୀକରଣ କରିବା କଥା କୁହାଯାଇଥିଲା। ଏହି କ୍ରମରେ କ୍ଷମତା, ସମ୍ବଳ ଓ କାର୍ଯ୍ୟାନ୍ବୟନ (ଥ୍ରି ଏଫ୍- ଫଣ୍ଡ, ଫଙ୍କସନ୍ ଏବଂ ଫଙ୍କସନାରିଜ୍) ଏବଂ ଏସବୁକୁ ନେଇ ଉତ୍ତରଦାୟିତ୍ୱ ପଞ୍ଚାୟତ ପାଖକୁ ଯିବା କଥା। ସମ୍ବଳ ଦିଆଗଲା। କିନ୍ତୁ ବାକି ସବୁକୁ ସମସ୍ତେ ଅତି ଚତୁରତାର ସହିତ ମୋଡି ମକଚି ଦେଲେ। ଯୋଜନା ତୃଣମୂଳ ସ୍ତରରୁ କରିବା ଉଦ୍ଦେଶ୍ୟରେ ୨୯ଟି ବିଭାଗର ସମସ୍ତ କ୍ଷମତା ପଞ୍ଚାୟତକୁ ପ୍ରଦାନ କରିବା ଲାଗି ଏଥିରେ କୁହାଯାଇଥିଲା। ୨୦୦୩ ମସିହାରେ ତତ୍କାଳୀନ କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ମଣିଶଙ୍କର ଆୟାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ କାର୍ଯ୍ୟକାରୀ କରିବା ଲାଗି ଏକ ମିଳିତ ରାଜିନାମା ସ୍ୱାକ୍ଷର କରିଥିଲେ। ସେ ସମୟରେ ପଞ୍ଚାୟତିରାଜ ମନ୍ତ୍ରୀ ଥିଲେ ଡାକ୍ତର ଦାମୋଦର ରାଉତ। ୨୦୦୫ ଅକ୍ଟୋବରରେ ମାତ୍ର ୧୯ଟି ବିଭାଗର ୨୧ଟି କ୍ଷେତ୍ରରେ କ୍ଷମତା ହସ୍ତାନ୍ତର କରାଗଲା। ତତ୍କାଳୀନ ମୁଖ୍ୟଶାସନ ସଚିବ ଏ ନେଇ ସଂପୃକ୍ତ ବିଭାଗମାନଙ୍କୁ ଜଣାଇଲେ। ହେଲେ ସେଇଠି ଅଟକିଗଲା ଏ ବ୍ୟବସ୍ଥା। ଯେଉଁ ସବୁ କ୍ଷମତା ହସ୍ତାନ୍ତର ହୋଇଛି, ତାହା ଅାଜି ବି କାଗଜପତ୍ରରେ ଲୋକସେବା ଭବନର ଚାରିକାନ୍ଥ ଭିତରେ ଅଟକି ରହିଛି। କ୍ଷମତା ହସ୍ତାନ୍ତର କରିବାକୁ ଅଧିକାରୀମାନେ ପ୍ରସ୍ତୁତ ନୁହନ୍ତି। ବିଧାୟକମାନେ ବି ଚାହୁନାହାନ୍ତି ଯେ ସେମାନଙ୍କ ଠାରୁ ଜିଲ୍ଲା ପରିଷଦ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ବା ସରପଞ୍ଚ କ୍ଷମତାଶାଳୀ ହୁଅନ୍ତୁ। ଏହାର ପରାଭବ ବି ସଙ୍ଗିନ୍ ଭାବେ ପଡ଼ିଛି। ପଞ୍ଚାୟତମାନେ ସ୍ବାବଲମ୍ବୀ ହେବା ପରିବର୍ତ୍ତେ ଦିନକୁ ଦିନ ସରକାରଙ୍କ ହାତଟେକା ଉପରେ ନିର୍ଭର କରୁଛନ୍ତି। ପୂରା ପଞ୍ଚାୟତିରାଜ ବ୍ୟବସ୍ଥା ମୂଳ ଉଦ୍ଦେଶ୍ୟରୁ ହଟିଗଲାଣି।
ଚିନ୍ମୟ ବସୁ କମିସନ ତାଙ୍କ ରିପୋର୍ଟରେ କହିଛନ୍ତି ଯେ ସଶକ୍ତ ପଞ୍ଚାୟତ ଗଠନ ପାଇଁ ସମ୍ବିଧାନର ଏକାଦଶ କାର୍ଯ୍ୟସୂଚୀରେ ସୂଚୀତ ୨୯ଟି ବିଷୟ ଚିହ୍ନଟ ପଞ୍ଚାୟତକୁ ହସ୍ତାନ୍ତର ହେବା କଥା। ହେଲେ ବାସ୍ତବତା ହେଲା, ଏହି ସାମ୍ବିଧାନିକ ଆଦେଶ ପାଳନ ଅଧପନ୍ତରିଆ ଭାବେ ଅଟକିଯାଇଛି। ପଞ୍ଚାୟତକୁ ସମ୍ବିଧାନ ଦେଇଥିବା ଦାୟିତ୍ବ ସେମାନେ ହାସଲ କରିପାରିନାହାନ୍ତି। ସମ୍ଭବତଃ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ ପଞ୍ଚାୟତିରାଜ ବିଭାଗ ମଧ୍ୟରେ ବିଶ୍ବାସର ସଙ୍କଟ ରହିଛି। ପଞ୍ଚାୟତିରାଜକୁ ଜଡିତ ନ କରି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି, ତଦାରଖ ବି।
ଏସବୁ କାରଣରୁ କ୍ଷମତା ଅର୍ପଣ କରା ନ ଯିବା ପରିଣାମରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଯେ ଠିକଣା ଢଙ୍ଗରେ ଚାଲିପାରୁନାହିଁ। ବିଧାୟକଙ୍କ ଭଳି ସେମାନଙ୍କ ପାଇଁ ହାତ ପାଣ୍ଠି କଥା ବି କୁହାଯାଇଥିଲା। ପଞ୍ଚାୟତର ଅର୍ଥ ଖର୍ଚ୍ଚର ନିଷ୍ପତ୍ତି ସେହି ସ୍ତରରେ ନିଆାଯିବ, ସେ ନେଇ କମିସନ ବାଟ ଖୋଲିଥିଲେ। ହେଲେ ତାହା ବି ଅଟକିଯାଇଛି।
କେନ୍ଦ୍ର ସରକାର ମଧ୍ୟ ଏ ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ କରିବାକୁ ଯାଇ ସିଧାସଳଖ ପଞ୍ଚାୟତକୁ ଅର୍ଥ ଦେବା ବ୍ୟବସ୍ଥା ଆରମ୍ଭ କରିଛନ୍ତି। ମାତ୍ର ପଞ୍ଚାୟତ ପାଖରେ କ୍ଷମତା ନ ଥିବା ଦୃଷ୍ଟିକୋଣରୁ ଏ ସମୁଦାୟ ପ୍ରକ୍ରିୟାଟି ଏବେ କେବଳ କାଗଜପତ୍ରରେ ଅଟକି ରହିଛି। ନା ସରପଞ୍ଚ ବା ପଞ୍ଚାୟତ ସମିତି କାର୍ଯ୍ୟାନୁଷ୍ଠାନ ନେଇପାରୁଛନ୍ତି ନା ଯୋଜନା କାର୍ଯ୍ୟାନ୍ୱୟନରେ ତ୍ରୁଟି ପାଇଁ ସେମାନଙ୍କୁ ଉତ୍ତରଦାୟୀ କରାଯାଇପାରୁଛି।
ଗୋଟିଏ ମହଲ ଅଭିଯୋଗ କରୁଛନ୍ତି ଯେ କେନ୍ଦ୍ର ସରକାର ସିଧାସଳଖ ପଞ୍ଚାୟତକୁ ଅର୍ଥ ଦେବା ପ୍ରକ୍ରିୟା ଅାରମ୍ଭ କରିଥିବା ବେଳେ ରାଜ୍ୟ ସରକାର କ୍ଷମତା ଓ ଅର୍ଥ ବିକେନ୍ଦ୍ରୀକରଣ କରିବା ପରିବର୍ତ୍ତେ ସଚିବାଳୟ ଓ ସରକାରୀ ଅଧିକାରୀଙ୍କ ମଧ୍ୟରେ କ୍ଷମତାକୁ କେନ୍ଦ୍ରୀଭୂତ କରିବା ପାଇଁ ଲାଗି ପଡ଼ିଛନ୍ତି।
ବର୍ତ୍ତମାନ କାର୍ଯ୍ୟ କରୁଥିବା ପଞ୍ଚାୟତ ପ୍ରତିନିଧିମାନଙ୍କର କହିବା କଥା ଯେ ଯେହେତୁ ଅର୍ଥ କମିସନ ସିଧାସଳଖ ପଞ୍ଚାୟତକୁ ଟଙ୍କା ଦେବା ଅାରମ୍ଭ କଲେଣି, ଏବେ ସମୟ ଆସିଛି ନୂଆ ସରପଞ୍ଚ (ଯେଉଁମାନେ ନିର୍ବାଚିତ ହେବେ) ସେମାନଙ୍କର ଏସବୁକୁ ପରିଚାଳନା କରିବାର ଦକ୍ଷତା ରହିବା ଦରକାର। ସରକାର ଅାରମ୍ଭରୁ ସେମାନଙ୍କ ପରିଚାଳନାଗତ ଦକ୍ଷତା ବୃଦ୍ଧି କରିବା ଅାବଶ୍ୟକ। ଅନ୍ୟଥା ହଜାର ହଜାର କୋଟି ଟଙ୍କା କେଉଁଭଳି କେମିତି ବିନିଯୋଗ ହେବ, ସେ ନେଇ କାହାକୁ ଭବିଷ୍ୟତରେ ଉତ୍ତରଦାୟୀ କରାଯାଇପାରିବ ନାହିଁ। ସମାନ୍ତରାଳ ଭାବେ ଲୋକମାନେ ମଧ୍ୟ ଏ ନେଇ ଏବେଠାରୁ ସଚେତନ ହେବା ଦରକାର। ଭଲ ତଥା ଦକ୍ଷ ନେତାଙ୍କୁ ନିର୍ବାଚିତ କରିବା ଦରକାର। ଅନ୍ୟଥା ଅାଗାମୀ ଦିନରେ ପଞ୍ଚାୟତଗୁଡ଼ିକର ବିକାଶ ହେବା ପରିବର୍ତ୍ତେ ବିନାଶ ଅାଡ଼କୁ ଟାଣି ହୋଇଯିବ।
ରାଜ୍ୟ ସରକାରଙ୍କର ଜଣେ ଅଧିକାରୀଙ୍କ ମତରେ ଏଯାଏ ପଞ୍ଚାୟତ କାର୍ଯ୍ୟାଳୟର ବିକାଶ କରାଯାଇପାରିଲା ନାହିଁ। ବ୍ଲକରେ ସବୁ କାର୍ଯ୍ୟାଳୟ ଖୋଲି ପାରିଲା ନାହିଁ। ତାଙ୍କ ନିକଟକୁ ଅର୍ଥ କେମିତି ଦିଆଯିବ? ସେଠାରେ ଏହାକୁ ମନିଟରିଂ କରିବା ନେଇ ଲୋକ ନାହାନ୍ତି କି ସେମାନଙ୍କର ଦକ୍ଷତା ନାହିଁ। ସେ ଦିଗରେ ଏଯାଏ ପ୍ରୟାସ ହୋଇନାହିଁ।
ପ୍ରକାଶଥାଉକି, କୃଷିଠାରୁ ଆରମ୍ଭ କରି ସାଧାରଣ ବଣ୍ଟନ, ସ୍ୱାସ୍ଥ୍ୟ, ଶିକ୍ଷା, ଦାରିଦ୍ର୍ୟ ଦୂରୀକରଣ ଯୋଜନା, ପିଇବା ପାଣି, ବିଦ୍ୟୁତକରଣ, ପରିମଳ ଆଦି ସବୁ କ୍ଷେତ୍ରରେ ଅର୍ଥ, କ୍ଷମତା ଓ କାର୍ଯ୍ୟାନ୍ବୟନ ଆଦି ପଞ୍ଚାୟତ ଉପରେ ନ୍ୟସ୍ତ ରହିଛି। ସମ୍ବିଧାନ ସଂଶୋଧନରେ ଏହା ଉପରେ ହିଁ ଗୁରୁତ୍ୱାରୋପ କରାଯାଇଛି।