ଖୋର୍ଦ୍ଧା, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଆରମ୍ଭ ହେଲା ବିଦ୍ୟୁତ କାଟ୍, ୮୦୦ ବ୍ୟାବସାୟିକ ଉପଭୋକ୍ତାଙ୍କ ବିଜୁଳି କଟାଗଲାଣି

ଉପଭୋକ୍ତାଙ୍କଠାରୁ ୩ କୋଟି ଟଙ୍କା ଆଦାୟ କରିଛି ସେସୁ

ଖୋର୍ଦ୍ଧା: ଆଜିଠାରୁ ଖୋର୍ଦ୍ଧା, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ  ବିଦ୍ୟୁତ କାଟ୍ ଆରମ୍ଭ ହୋଇଛି । ବକେୟା ବିଦ୍ୟୁତ୍ ଉପଭୋକ୍ତାଙ୍କ ବିଦ୍ୟୁତ କାଟିଛି ସେସୁ । ପ୍ରଥମେ ବ୍ୟାବସାୟିକ ଉପଭୋକ୍ତାଙ୍କ ବିଜୁଳି କଟାଗଲା । ପ୍ରଥମ ପର୍ଯ୍ୟାୟରେ ଆଜିଠାରୁ ବିଲ୍ ବାକି ରଖିଥିବା ବ୍ୟାବସାୟିକ ସଂସ୍ଥାରୁ ବିଦ୍ୟୁତ୍ କାଟ୍ ଆରମ୍ଭ ହୋଇଛି । ଯେଉଁ ବ୍ୟବସାୟିକ ସଂସ୍ଥା ବିଲ୍ ବକେୟା ରଖିଛନ୍ତି ଏବଂ ନୋଟିସ୍ ପରେ ବି ଦେୟ ପଇଠ କରୁ ନାହାନ୍ତି, ସେମାନଙ୍କ ବିଦ୍ୟୁତ୍ ସଂଯୋଗକୁ ଆଜିଠାରୁ ବିଛିନ୍ନ କରାଯାଉଛି । ମିଳିଥିବା ସୂଚନା ଅନୁଯାୟୀ, ଖୋର୍ଦ୍ଧାରେ ସେସୁର ୩୦ଟି ଟିମ୍ ବିଦ୍ୟୁତ୍ ସଂଯୋଗ ବିଛିନ୍ନ କରିବା କାମରେ ନିୟୋଜିତ ହୋଇଛନ୍ତି।

ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ଧନୀ ଶ୍ରେଣୀର ଉପଭୋକ୍ତାଙ୍କ, ଯେଉଁମାନେ କି ବହୁତ ଅଧିକ ଟଙ୍କା ବକେୟା ରଖିଛନ୍ତି, ସେମାନଙ୍କ ଘରେ ପହଞ୍ଚିବ ଟିମ୍ । ଯେଉଁମାନଙ୍କ ଘରେ ଫ୍ରିଜ୍, ଚାରିଚକିଆ ଯାନ ଓ ଯେଉଁମାନେ ବହୁତଳ ବିଶିଷ୍ଟ କୋଠାରେ ରହୁଥିବେ, ଆୟକର ଦେଉଥିବେ, ସେଭଳି ଉପଭୋକ୍ତାଙ୍କୁ ବି ଏହି ପର୍ଯ୍ୟାୟରେ ସାମିଲ କରାଯିବ ।

image source-The economic times

ତୃତୀୟ ପର୍ଯ୍ୟାୟରେ ଅନ୍ୟ ଉପଭୋକ୍ତାଙ୍କ ଘରେ ସେସୁ ଟିମ୍ ପହଞ୍ଚିବ । ଯେଉଁମାନେ ବର୍ଷ ବର୍ଷ ଧରି ଦେୟ ପୈଠ କରୁ ନାହାଁନ୍ତି । ଏହି ପର୍ଯ୍ୟାୟରେ ଅନ୍ୟ ସାଧାରଣ ଉପଭୋକ୍ତା ବି ସାମିଲ ହେବେ । ବକେୟା ବିଲ୍ ପଇଠ ନ କଲେ ଆଜିଠାରୁ ସାଧାରଣ ଉପଭୋକ୍ତାଙ୍କ ବିଜୁଳି ସଂଯୋଗ ବିଛିନ୍ନ କରାଯିବ ବୋଲି ପୂର୍ବରୁ ଘୋଷଣା କରିଥିଲା ସେସୁ । କିନ୍ତୁ ଏହାକୁ ବିଭିନ୍ନ ରାଜନୈତିକ ଦଳ ଓ ଉପଭୋକ୍ତା ସଂଗଠନ ତୀବ୍ର ବିରୋଧ କରିଥିଲେ । ଫଳରେ ବାଧ୍ୟ ହୋଇ ନରମିଥିଲେ ସେସୁ କର୍ତ୍ତୃପକ୍ଷ ଏବଂ ନିଷ୍ପତ୍ତି ବଦଳାଇ ପର୍ଯ୍ୟାୟକ୍ରମେ ବିଦ୍ୟୁତ୍ ସଂଯୋଗ ବିଛିନ୍ନ କରିବାକୁ ଘୋଷଣା କରିଛନ୍ତି ସେସୁ କର୍ତ୍ତୃପକ୍ଷ ।

ଆଜି ସେସୁର ସିଇଓ ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି ଯେ ବିଳମ୍ବିତ ସନ୍ଧ୍ୟା ଯାଏଁ ବିଦ୍ୟୁତ୍ କାଟ ଅଭିଯାନ ଜାଲିବ। ଏଯାବତ୍ ୮୦୦ ବ୍ୟାବସାୟିକ ଉପଭୋକ୍ତାଙ୍କ ବିଜୁଳି କଟାଯାଇଛି ବୋଲି ସେ କହିଛନ୍ତି। ଏଯାବତ୍ ଉପଭୋକ୍ତାଙ୍କଠାରୁ ୩ କୋଟି ଟଙ୍କା ସେସୁ ଆଦାୟ କରିଥିବା ନେଇ ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର