ବକେୟା ବିଲ୍ ନଦେଲେ ୧୬ରୁ ବିଦ୍ୟୁତ ସଂଯୋଗ କଟିବ

୫୯୬୫ ସରକାରୀ ସଂସ୍ଥାର ୬୪କୋଟି ବାକି କିନ୍ତୁ ଏବେ ବିଦ୍ୟୁତ କାଟ ହେବନି

୧୧୩୯୭ ଗାଁ ପାଇଁ ସେସୁର ୪୧୩ ସ୍କ୍ବାଡ୍‌
ମାସିକିଆ ମହଲତରେ ୧.୧୦ଲକ୍ଷ ଲୋକ ବକେୟା ଦେଲେ
ଆଦାୟ ହେଲା ୨୧କୋଟି, ବାକି ରହିଲା ୧୯୫୧କୋଟି
ବକେୟା ବିଲ୍‌ ଦେବାକୁ ତିନିଟି ସ୍କିମ୍

ଭୁବନେଶ୍ବର : ଜାନୁଆରି ୧୫ସୁଦ୍ଧା ଯେଉଁମାନଙ୍କର ବିଦ୍ୟୁତ୍‌ ବିଲ୍‌ ବକେୟା ଅଛି ତାହା ତୁରନ୍ତ ପୈଠ ନକଲେ ବିଦ୍ୟୁତ ସଂଯୋଗ କଟାଯିବ। ଜାନୁଆରି ୧୬ରୁ ଫେବ୍ରୁଆରି ୫ ମଧ୍ୟରେ ସେସୁର ୪୧୩ଟି ସ୍କ୍ବାଡ୍‌ ୧୧୩୯୭ଟି ଗାଁ ବୁଲିବୁଲି ବି‌ଦ୍ୟୁତ୍ ବିଲ୍‌ ବକେୟା ଥିବା ଲୋକଙ୍କ ଘରୁ ବିଦ୍ୟୁତ ସଂଯୋଗ କାଟିବ ବୋଲି ସେସୁ ସିଇଓ ଅରୁଣ ବୋଥ୍ରା ଆଜି ଚେତାଇ ଦେଇଛନ୍ତି।

ଏହି ଅଭିଯାନରେ ପ୍ରାୟ ୭ଲକ୍ଷ ଘରୁ ବିଦ୍ୟୁତ ସଂଯୋଗ କାଟିବାକୁ ସେସୁ ଲକ୍ଷ୍ୟ ରଖିଛି। ସେସୁର ୨୦ଟି ଡିଭିଜନରେ, ୬୫ଟି ସବ୍‌ଡିଭିଜନରେ, ୨୪୭ଟି ସେକ୍ସନରେ ୧୬୪୩ଟି ରୁଟ୍‌ରେ ବିଦ୍ୟୁତ ସଂଯୋଗ କଟା ଅଭିଯାନ ହେବ। ୧୮ଦିନରେ ଏହି ସ୍କ୍ବାଡ୍‌ ସବୁ ଖିଲାପକାରୀଙ୍କ ଘରୁ ବିଦ୍ୟୁତ ସଂଯୋଗ କାଟିଦେବ। ଗୋଟିଏ ସ୍କ୍ବାଡ୍‌ ଦିନକୁ ୩ରୁ ୪ଟି ଗାଁ ବୁଲି ବୁଲି ଏହି ସଂଯୋଗ କାଟିବାକୁ ନିଷ୍ପତ୍ତି ହୋଇଛି।

ଆଜି ‌େ‌ସସୁ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବୋଥ୍ରା କହିଛନ୍ତି ଯେ, ଆମେ ବକେୟା ବିଲ୍‌ ଆଦାୟ ପାଇଁ ବିଜ୍ଞପ୍ତି ପ୍ରକାଶ କରିବା ପରେ ପ୍ରାୟ ୨୪ଦିନରେ ୧ଲକ୍ଷ ୧୦ହଜାର ଲୋକ ସେମାନଙ୍କ ବକେୟା ବିଦ୍ୟୁତ୍ ବିଲ୍‌ ପୈଠ କରିଛନ୍ତି। ଏଥିରେ ୨୧କୋଟି ଆଦାୟ ହୋଇଛି। ହେଲେ ପ୍ରାୟ ୮ଲକ୍ଷ ଲୋକଙ୍କ ଉପରେ ମୋଟ୍‌ ୧୯୭୧ କୋଟି ବକେୟା ଥିବାବେଳେ ଏଥିରୁ ଏବେ ସୁଦ୍ଧା ମାତ୍ର ୨୧କୋଟି ଆଦାୟ ହୋଇଛି। ଆହୁରି ୧୯୫୧କୋଟି ବାକି ଅଛି।

ଏବେ ବି ୧୯୫୧କୋଟି ଟଙ୍କା ବାକି ଥିବାବେଳେ ‌େସସୁ ପକ୍ଷରୁ ବକେୟା ବିଲ୍‌ ଆଦାୟ ପାଇଁ ତିନିଟି ସ୍କିମ୍‌ କରାଯାଇଛି। ଏଥିରେ ଯେଉଁମାନଙ୍କର ୨୫ହଜାର ପର୍ଯ୍ୟନ୍ତ ବିଲ୍‌ ବାକି ଅଛି ସେମାନେ ଏବେ ଏହାର ୩୦% ଡାଉନ୍‌ପେମେଣ୍ଟ ଦେଇ ବକେୟା ବିଲ୍‌ ତିନିଟି କିସ୍ତିରେ ଦେଇପାରିବେ। ସେହିପରି ୨୫ରୁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଯାହାର ବିଦ୍ୟୁତ୍ ବିଲ୍‌ ବାକି ଥିବ, ସେମାନେ ଏବେ ବିଲ୍‌ର ୩୦% ଡାଉନପେମେଣ୍ଟ ଆକାରରେ ଦେଇ ବକେୟା ବିଲ୍‌ ୪ଟି କିସ୍ତିରେ ଦେଇପାରିବେ। ୫୦ହଜାରରୁ ଅଧିକ ଯେଉଁମାନଙ୍କର ବକେୟା ବିଲ୍‌ ଅଛି ସେମାନେ ଏବେ ୩୦% ଡାଉନପେମେଣ୍ଟ ଦେଇ ବାକି ଟଙ୍କା ୬ଟି କିସ୍ତିରେ ଦେଇପାରିବେ। ଯଦି କେହି ୩୦% ଡାଉନ‌େପମେଣ୍ଟ ଦେବେ ତେବେ ତାଙ୍କର ଏବେ ବିଦ୍ୟୁତ୍‌ କାଟ ହେବନି। କିନ୍ତୁ ଜାନୁଆରି ୧୫ ମଧ୍ୟରେ ବିଲ୍‌ ଦେବା ଦରକାର।

‌ବକେୟା ବିଲ୍‌ ଦେବା ପାଇଁ ସେସୁ ପକ୍ଷରୁ ୧୨୫୧.୩୬କୋଟି ବାକି ଥିବା ୮ଲକ୍ଷ ୩୬ହଜାର ୨୬୯ଜଣ ଘରୋଇ ଗ୍ରାହକ, ୨୪୩କୋଟି ବକେୟା ବିଲ୍‌ ପାଇଁ ୫୯,୧୯୦ଜଣ ବ୍ୟବସାୟିକ ପ୍ରତିଷ୍ଠାନକୁ ନୋଟିସ୍‌ ହୋଇଛି। ଏହାସହ ‌ଲିଫ୍‌ଲେଟ୍, ମାଇକ୍ ପ୍ରଚାର ମାଧ୍ୟମରେ ସେସୁ ପକ୍ଷରୁ ପ୍ରଚାର କରାଯାଇଛି। ହେଲେ ଅଧିକାଂଶ ଲୋକ ବିଲ୍‌ ଦେଇନଥିବାରୁ ସେସୁ କଠୋର ପଦକ୍ଷେପ ନେବ ବୋଲି ଶ୍ରୀ ବୋଥ୍ରା କହିଛନ୍ତି।

୫୯୬୫ ସରକାରୀ ସଂସ୍ଥାର ୬୪କୋଟି ବାକି କିନ୍ତୁ ଏବେ ବିଦ୍ୟୁତ କାଟ ହେବନି
ବିଭିନ୍ନ ଘରୋଇ ଓ ବ୍ୟବସାୟିକ ପ୍ରତିଷ୍ଠାନ ବିଦ୍ୟୁତ୍ ବିଲ୍‌ ଦେଉନାହାନ୍ତି ବୋଲି ସେସୁ ସେମାନଙ୍କ ବିଦ୍ୟୁତ ସଂଯୋଗ କାଟିବାକୁ ନିଷ୍ପତ୍ତି ନେଇଛି। ହେଲେ ୫୯୬୫ଟି ସରକାରୀ ସଂସ୍ଥା/କାର୍ଯ୍ୟାଳୟର ୬୪.୩୭କୋଟିର ବିଦ୍ୟୁତ ବିଲ୍‌ ବାକି ଥିଲେ ହେଁ ସେମାନଙ୍କର ଏବେ ବିଦ୍ୟୁତ କାଟ ହେବନି। ଏ ନେଇ ସେସୁ ସିଇଓ ଅରୁଣ ବୋଥ୍ରା କହିଛନ୍ତି ଯେ, ବିଭିନ୍ନ ବିଭାଗ ଅଧୀନରେ ଥିବା ସରକାରୀ ସଂସ୍ଥାଗୁଡ଼ିକର ବକେୟା ବିଦ୍ୟୁତ୍ ବିଲ୍‌କୁ ସରକାର ମାର୍ଚ୍ଚ ମାସରେ ଦେଇଦେବେ ବୋଲି କହିଛନ୍ତି। ସରକାର ପ୍ରତିଶ୍ରୁତି ଦେଇଥିବାରୁ ଆମେ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଅପେକ୍ଷା କରିବୁ। ଏହାଛଡ଼ା ସମସ୍ତ ସରକାରୀ ସଂସ୍ଥା ଏପ୍ରିଲ ୨୦୨୦ରୁ ପ୍ରତି ମାସରେ ବିଦ୍ୟୁତ୍ ବିଲ୍‌ ଦେବେ ବୋଲି କହିଛନ୍ତି।

ଏଠାରେ ପ୍ରଶ୍ନ ଉଠୁଛି ସାଧାରଣ ଲୋକ ଏବେ ବକେୟା ବିଦ୍ୟୁତ୍ ବିଲ୍‌ ନ ‌ଦେଲେ ସେମାନଙ୍କର ଜାନୁଆରି ୧୬ରୁ ବିଦ୍ୟୁତ୍ ସଂଯୋଗ କାଟି ଦିଆଯିବ। ହେଲେ ଯେଉଁ ସରକାରୀ ସଂସ୍ଥାଗୁଡ଼ିକ ବର୍ଷ ବର୍ଷ ଧରି ବିଦ୍ୟୁତ ବିଲ୍‌ ବାକି ରଖିଛନ୍ତି ସେମାନଙ୍କୁ ସେସୁ କାହିଁକି ଦୟା ଦେଖାଉଛି। ନିୟମ ସରକାରୀ ସଂସ୍ଥା ପାଇଁ ଗୋଟିଏ, ସାଧାରଣ ଲୋକଙ୍କ ପାଇଁ ଆଉ ଗୋଟିଏ କି ବୋଲି ପ୍ରଶ୍ନ ଉଠିଛି। ଶ୍ରୀ ବୋଥ୍ରା କହିଛନ୍ତି ଯେ, ବହୁ ସ୍କୁଲରେ ବିଦ୍ୟୁତ୍‌ ବିଲ୍‌ ବାକି ଅଛି। ହେଲେ ଆମେ ମାନବିକତା ଦୃଷ୍ଟିରୁ ସେଗୁଡ଼ିକୁ କାଟୁନୁ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମାର୍ଚ୍ଚ ମାସ ସୁଦ୍ଧା ବିଲ୍‌ ଦେବାକୁ କହିଥିବାରୁ ଆମେ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଅପେକ୍ଷା କରିବୁ।

ସେହିପରି କୃଷି, ପିଆଇ, କେଜେ, ବିଜିଜେୱାଇ, ଆର୍‌ଜିଜିଭିୱାଇ, ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍ ସଂଯୋଗ ନେଇଥିବା ୭୩,୯୫୬ ଜଣ ଗ୍ରାହକଙ୍କର ୩୩୦କୋଟି ଟଙ୍କା ବାକି ଥିଲେ ହେଁ ବିଦ୍ୟୁତ୍‌ ବିଲ୍‌ରେ ତ୍ରୁଟି ଥିବା ଅଭିଯୋଗ କରି ସେମାନେ ବିଦ୍ୟୁତ୍ ବିଲ୍‌ ଦେଉନାହାନ୍ତି।

ସମ୍ବନ୍ଧିତ ଖବର