କେନ୍ଦୁଝର ଜିଲ୍ଲାରେ ବିଜୁଳି କାଟିବାକୁ ହାତୀ ବାହାନା! ଜନଅସନ୍ତୋଷ ତେଜୁଛି

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ଅଘୋଷିତ ବିଦ୍ୟୁତ୍‌ କାଟ ନିତିଦିନିଆ କଥା ହୋଇଥିବା ବେଳେ ଗ୍ରାମାଞ୍ଚଳ ଅବସ୍ଥା ସଂଗିନ ହୋଇଛି। ବର୍ଷାଦିନେ ଝଡ଼ତୋଫାନ ବାହାନାରେ ବାରମ୍ବାର ବିଜୁଳି କାଟ ହେଉଥିବା ବେଳେ ଶୀତଦିନେ ହାତୀ ବାହାନାରେ ବିଜୁଳି କାଟ କରାଯାଉଛି। ଖରାଦିନେ ଅଧିକ ଲୋଡିଂ ବାହାନାରେ ବିଜୁଳି କାଟ ହେଉଛି। ବିଦ୍ୟୁତ୍‌ ଭିତ୍ତିଭୂମି ନ ସଜାଡ଼ି ହାତୀ ଚଳପ୍ରଚଳ ବାହାନାରେ ସନ୍ଧ୍ୟାରୁ ସକାଳ ପର୍ଯ୍ୟନ୍ତ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଜୁଳି କାଟ ଯୋଗୁଁ ଏବେ ଟାଟା ପାୱାର ବିରୋଧରେ ଜିଲ୍ଲାବ୍ୟାପୀ ଜନଅସନ୍ତୋଷ ତେଜୁଛି। ମାମଲା କୋର୍ଟରେ ଯାଇ ପହଞ୍ଚିଲାଣି।

କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍‌କୁ ଘେରି ରହିଛି ଜଙ୍ଗଲ ଓ ପାହାଡ଼। ଏଠାକାର ଅଧିକାଂଶ ଜଙ୍ଗଲରେ ବଣୁଆ ହାତୀପଲ ଚଳପ୍ରଚଳ କରିଥାନ୍ତି। ହାତୀ ବାହାନାରେ ଏବେ ନିୟମିତ ସନ୍ଧ୍ୟାରେ ବିଜୁଳି କାଟ ହେଉଥିବାରୁ ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଏନେଇ ପ୍ରଗତିଶୀଳ ନାଗରିକ ମଞ୍ଚ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ କରାଯାଇଛି। ହାଇକୋର୍ଟରେ ଏହି ମାମଲା ବିଚାରାଧୀନ ଥିବାବେଳେ ହାତୀ କରିଡର ପ୍ରକଳ୍ପକୁ ନେଇ ପ୍ରଶ୍ନ ଉଠିଛି। ଖାଲି ତେଲକୋଇ ନୁହେଁ, ଚମ୍ପୁଆରୁ ଆରମ୍ଭ କରି ହରିଚନ୍ଦନପୁର ଏବଂ ବାଂଶପାଳ ବ୍ଲକ୍‌ରେ ମଧ୍ୟ ସମାନ ଢ଼ଙ୍ଗରେ ହାତୀ ବାହାନାରେ ବିଜୁଳି କାଟ କରାଯାଉଛି। ପ୍ରଗତିଶୀଳ ନାଗରିକ ମଞ୍ଚ ପକ୍ଷରୁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର କରିଥିବା ଅକ୍ଷୟ ପ୍ରଧାନଙ୍କ କହିବା କଥା ହେଲା, ହାତୀର ସୁରକ୍ଷା ଯେମିତି ଜରୁରୀ ବିଜୁଳି ସଂଯୋଗ ମଧ୍ୟ ଆମର ମୌଳିକ ଆବଶ୍ୟକତା। ତେଣୁ ହାତୀ ଚଳପ୍ରଚଳ ପାଇଁ କରିଡର କରିବାକୁ ଶହଶହ କୋଟି ଟଙ୍କା ଥିବା ସତ୍ତ୍ବେ ବଦ୍ୟୁତ୍‌ ବିଭାଗ ଏହା ନ କରି ସାଧାରଣ ଲୋକଙ୍କୁ ନିର୍ଯାତନା ଦେବା ଗ୍ରହଣୀୟ ନୁହେଁ ।

ହାତୀ କରିଡର ପାଇଁ ୧୦୦ କୋଟି ଟଙ୍କା ସରକାରଙ୍କ ପକ୍ଷରୁ ବିଦ୍ୟୁତ୍‌ ବିଭାଗକୁ ଦିଆଯାଇଛି। ୩ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଏହି ଟଙ୍କା ପକାଇ ରଖିବା ପରେ ଏବେ କାମ ଆରମ୍ଭ କରିଛି ବିଭାଗ। ହାତୀ କରିଡର ପାଇଁ ରାଜ୍ୟ ସରକାରଙ୍କ ପାଖରୁ ସେତେବେଳେ ନେସ୍କୋ ପ୍ରାୟ ୧୦୦ କୋଟି ଟଙ୍କା ଅନୁଦାନ ପାଇବା ପରେ ତିନି ପର୍ଯ୍ୟାୟରେ ଟେଣ୍ଡର ଆହ୍ବାନ କରିଥିଲା। ୨୦୨୦ ମସିହା ଅକ୍ଟୋବର ୬ ତାରିଖରେ ଟେଣ୍ଡର ପ୍ରକାଶ ହୋଇଥିଲା। ଟେଣ୍ଡର ନମ୍ବର ଥିଲା-୧୩/୨୦-୨୧/୭୭୫୦। ଏହି ଟେଣ୍ଡରରେ ୧୧ଟି ପ୍ୟାକେଜ ପାଇଁ ୩୧ କୋଟି ୫୦ ଲକ୍ଷ ୩୨ ହଜାର ଟଙ୍କା ଖର୍ଚ୍ଚ ‌ହେବ ବୋଲି ସ୍ଥିର ହୋଇଥିଲା। ସେହିପରି ୨୦୨୦ ମସିହା ଜୁଲାଇ ୨୪ ତାରିଖ‌ରେ ମଧ୍ୟ ଏହି ହାତୀ କରିଡର ପାଇଁ ଟେଣ୍ଡର ଆହ୍ବାନ କରାଯାଇଥିଲା।। ଏହାର ଟେଣ୍ଡର ନମ୍ବର ଥିଲା-୦୯/୨୦-୨୧/୫୭୦୩।  ଏଥିରେ ମୋଟ ୮ଟି ପ୍ୟାକେଜ ପାଇଁ ୨୫ କୋଟି ୨୪ ଲକ୍ଷ ୭୬ ହଜାର ଟଙ୍କା ଖର୍ଚ୍ଚ ହେବାକୁ ବ୍ୟବସ୍ଥା ଥିଲା। ସେହିପରି ୨୦୧୯ ମସିହା ଅଗଷ୍ଟ ୨୬ ତାରିଖରେ ମଧ୍ୟ ଏକ ଟେଣ୍ଡର ଆହ୍ବାନ କରାଯାଇଥିଲା।

ଏହାର ନମ୍ବର ଥିଲା-୧୨/୧୯-୨୦/୧୦୮୭୬। ଏଥିରେ ମୋଟ ୧୨ଟି ପ୍ୟାକେଜର ବ୍ୟବସ୍ଥା ଥିବାବେଳେ ୩୩ କୋଟି ୭୦ ଲକ୍ଷ ୪୭ ହଜାର ଟଙ୍କା ଖର୍ଚ୍ଚ କରିବାକୁ ସ୍ଥିର ହୋଇଥିଲା। ମାତ୍ର ଏତେ ଟଙ୍କା ଥିବା ସତ୍ତ୍ବେ କୌଣସି ପ୍ରକଳ୍ପ ହୋଇପାରିଲା ନାହିଁ। ଯେଉଁଥିପାଇଁ ବର୍ଷବର୍ଷ ଧରି ହାତୀ ବାହାନାରେ ବିଜୁଳି କାଟ ହେଉଛି। ସେହିପରି ବେଗନାପଶି, କାଞ୍ଜିଆଶୁଳା, କୁଶକଳା, ମୂଷାଖୋରି ଅଞ୍ଚଳରେ ନିର୍ମାଣାଧୀନ ଗ୍ରିଡ କାର୍ଯ୍ୟକାରୀ ନ ହେବାରୁ ଆଜି ଯାଏ ପାଟଣାରୁ ଆରମ୍ଭ କରି ବାଂଶପାଳ ବର୍ଯ୍ୟନ୍ତ ବିଜୁଳି ବ୍ୟବସ୍ଥା‌ରେ ସୁଧାର ଆସିପାରୁ ନାହିଁ। ଗ୍ରାହକଙ୍କଠାରୁ ଅଧିକ ବିଜୁଳି ଦେୟ ନିଆଯାଉଥିବା ବେଳେ ଉପଯୁକ୍ତ ସେବା ମିଳୁ ନଥିବାର ଜନଅସନ୍ତୋଷ ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର