ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ସାଂଘାତିକ ଷଡ଼୍‌ଯନ୍ତ୍ର: ହାତୀ ଆଳରେ ୫ ବର୍ଷ ହେଲା ବିଦ୍ୟୁତ୍ କାଟ୍‌

ଦିନରେ ଯାହା ଯେମିତି, ରାତି ସାରା ପୂରା ଅନ୍ଧାର, ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲା ପ୍ରଗତିଶୀଳ ନାଗରିକ ମଞ୍ଚ

ତେଲକୋଇ/ରାଇସୁଆଁ : କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳର ବିଦ୍ୟୁତ୍ ଉପଭୋକ୍ତାଙ୍କ ପାଇଁ ରଚାଯାଇଛି ସାଂଘାତିକ ଷଡ଼୍‌ଯନ୍ତ୍ର। ହାତୀ ସୁରକ୍ଷା ଆଳରେ ମାସେ କି ବ‌ର୍ଷେ ନୁହେଁ, ଦୀର୍ଘ ୫ ବର୍ଷ ହେବ ଚାଲିଛି ବିଦ୍ୟୁତ୍ କାଟ୍‌। ସଞ୍ଜ ନଇଁଲେ ଘର ଓ ଗାଁ ଅନ୍ଧାର। ମାତ୍ର ଉପଭୋକ୍ତାଙ୍କ ଠାରୁ ଆଦାୟ କରାଯାଉଛି ନିୟମିତ ବିଦ୍ୟୁତ୍‌ ଦେୟ। ଏଭଳି ସମସ୍ୟା କଥା ଉଠାଇଲେ ନା ପ୍ରଶାସନ ଉତ୍ତରଦାୟୀ ରହୁଛି ନା ବିଭାଗୀୟ ଅଧିକାରୀ।

ଅଭିଯୋଗ ଅନୁସାରେ, ୨୦୧୮ ମସିହାଠାରୁ ହାତୀ ମୃତ୍ୟୁ ଆଳ ଦେଖାଇ ବନ ବିଭାଗ ଓ ବିଦ୍ୟୁତ୍‌ ବିଭାଗ ତେଲକୋଇ ବ୍ଲକ୍‌ର ୧୩ ପଞ୍ଚାୟତକୁ ସଂଧ୍ୟା ୬ଟା ଠାରୁ ସକାଳ ୭ଟା ଏବଂ ଆଉ ୯ଟା ପଞ୍ଚାୟତରେ ରାତି ୯ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ୍ କରୁଛନ୍ତି। ଏ ନେଇ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବନ ବିଭାଗ ଓ ବିଦ୍ୟୁତ୍‌ ବିଭାଗକୁ ବିଭିନ୍ନ ସମୟରେ ଜନସାଧାରଣ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ସଂଧ୍ୟା ସମୟରେ ବିଦ୍ୟୁତ୍‌ କାଟ୍ ଯୋଗୁଁ ୨୨ ପଞ୍ଚାୟତର ଜନସାଧାରଣ ବିଭିନ୍ନ ସମସ୍ୟା ଭୋଗ କରିବା ସହ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ସମସ୍ୟା ଲାଗି ରହିଛି। ସେପଟେ କୋଭିଡ-୧୯ କଟକଣା ସମୟରେ ହାତୀ ମୃତ୍ୟୁ ଆଳ ଦେଖାଇ ଅଘୋଷିତ ବିଦ୍ୟୁତ କାଟ୍ ଯୋଗୁଁ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ କ୍ଲାସ୍‌ କରିବାରେ ବଞ୍ଚିତ ହେଉଛନ୍ତି। ବନବିଭାଗ ଓ ବିଦ୍ୟୁତ୍‌ ବିଭାଗର ମନମାନି ଯୋଗୁଁ ୧୩ ପଞ୍ଚାୟତର ୮୬ଟି ଗାଁ ସଂଧ୍ୟା ୬ଟା ବାଜିଲେ ଅନ୍ଧାର ହୋଇଯାଉଛି। ଆଉ ୯ ପଞ୍ଚାୟତର ୭୦ଟି ଗାଁ ରାତି ୯ ବାଜିଲେ ଅନ୍ଧାର। ସ୍ୱାଧୀନତାର ୭୫ ବର୍ଷ ବିତି ଯାଇଥିଲେ ମଧ୍ୟ ବିଦ୍ୟୁତ୍‌ ସେବା ଭଳି ଅତି ଆବଶ୍ୟକ ସେବାରୁ ବଞ୍ଚିତ ହେବା ନିଶ୍ଚିତ ଭାବେ ପରିତାପର ବିଷୟ।

ସେପଟେ ହାତୀ କରିଡର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ଯୋଜନା ହୋଇଛି। ପାଖାପାଖି ଶହେ କୋଟି ଟଙ୍କା ବିଦ୍ୟୁତ୍ ବିଭାଗକୁ ବନ ବିଭାଗ ଦେଇଛି। ବିଦ୍ୟୁତ୍ ଖୁଣ୍ଟ ଉଚ୍ଚ କରିବା, ଖୁଣ୍ଟରେ କଣ୍ଟାତାର ଗୁଡ଼ାଇବା ଭଳି ବ୍ୟବସ୍ଥା ରହିଥିବା ପ୍ରକାଶ। ମାତ୍ର ସେହି ଯୋଜନା ଗଲା କୁଆଡ଼େ ବୋଲି ଏବେ ପ୍ରଶ୍ନ ଉଠୁଛି। ସେଥିପ୍ରତି ଦୃଷ୍ଟି ନଦେଇ ଲୋକଙ୍କୁ ଭୁଆଁ ବୁଲାଇ ଚାଲିଛି ବିଭାଗ। ସରକାର ବି ଲୋକଙ୍କ ସମସ୍ୟା ନେଇ ନିରବଦ୍ରଷ୍ଟା। ଏଭଳି ସ୍ଥିତିରେ ତେଲକୋଇବାସୀଙ୍କ ବିଦ୍ୟୁତ୍ ସମସ୍ୟାର ସମାଧାନ ପାଇଁ ଆଗେଇ ଆସିଛି ତେଲକୋଇ ବ୍ଲକ୍ ପ୍ରଗତିଶୀଳ ନାଗରିକ ମଞ୍ଚ। ମଞ୍ଚ ପକ୍ଷରୁ ସଭାପତି ଅକ୍ଷୟ କୁମାର ପ୍ରଧାନ, ସଂପାଦକ ଅରକ୍ଷିତ ପ୍ରଧାନ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ଏଥିରେ ଓଡିଶା ଶକ୍ତି ସଚିବ , ଜଙ୍ଗଲ ଓ ପରିବେଶ ବିଭାଗ ସଚିବ , ଜଙ୍ଗଲ ବିଭାଗ ପ୍ରିନ୍ସିପାଲ ଚିଫ୍ କଞ୍ଜରଭେଟର( ୱାଇଲ୍ଡ଼ ଲାଇଫ), ଜିଲ୍ଲାପାଳ କେନ୍ଦୁଝର, ଜେନେରାଲ ମ୍ୟାନେଜର ଟାଟା ପାୱାର, ଅଧୀକ୍ଷଣ ଯନ୍ତ୍ରୀ ଟାଟା ପାୱାର, ନିର୍ବାହୀ ଯନ୍ତ୍ରୀ, ମୁଖ୍ୟ ନିର୍ବାହୀ ଅଧିକାରୀ ସେସୁଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର