ଭୁବନେଶ୍ବର : ରାଜ୍ୟର ଘରୋଇ ବିଜୁଳି ଉପଭୋକ୍ତାଙ୍କ ବିଜୁଳି ଦର ବଢ଼ିବା ନେଇ ଦିଆଯାଇଥିବା ପ୍ରସ୍ତାବକୁ ବିଜେପି ବିରୋଧ କରିଛି। ସେହିପରି ବିଜୁଳି ବିତରଣ କମ୍ପାନି ଉପଭୋକ୍ତାଙ୍କ ବିଜୁଳି ସଂଯୋଗ କାଟିବାକୁ ମଧ୍ୟ ଦଳ ପକ୍ଷରୁ ନିନ୍ଦା କରାଯାଇଛି। ରାଜ୍ୟ ସରକାର ବିଜୁଳି ବିଲ୍‌ ଆଦାୟ ମାମଲାରେ ଝିଣ୍ଟିକା ମାରି ବଣି ପୋଷିବା ନୀତି ଅବଲମ୍ବନ କରିଛନ୍ତି। ଲୋକଙ୍କଠାରୁ ଜୋର ଜବରଦସ୍ତ ଟଙ୍କା ଆଦାୟ କରିବାକୁ ଷଡ଼ଯନ୍ତ୍ର କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।

Advertisment

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର କହିଲେ, ଘରୋଇ ଉପଭୋକ୍ତାମାନଙ୍କୁ ପର୍ଯ୍ୟାପ୍ତ ସମୟ ନ ଦେଇ ସେମାନଙ୍କ ବିଜୁଳି ସଂଯୋଗ କାଟିବା ନିନ୍ଦନୀୟ। ରାଜ୍ୟରେ ୟୁନିଟ୍‌ ପିଛା ବିଜୁଳି ଦର ପାଖାପାଖି ୫୦ ପଇସା ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ବିଭିନ୍ନ ବିତରଣକାରୀ ଓ ଉତ୍ପାଦନକାରୀ କମ୍ପାନି ଓଇଆର୍‌ସି ସାମ୍ନାରେ ଦାବି ରଖିବା ଫଳରେ ଗରିବ ଖାଉଟିମାନେ ଚିନ୍ତାରେ ଅଛନ୍ତି। ରାଜ୍ୟର ବଡ଼ ଶିଳ୍ପାନୁଷ୍ଠାନ, ବିଜୁଳି ଉତ୍ପାଦନକାରୀ କମ୍ପାନିମାନଙ୍କୁ ରାଜ୍ୟର ଗରିବ ଜନସାଧାରଣଙ୍କ ଝାଳବୁହା ଟିକସ ଟଙ୍କାରୁ ରିହାତି ଦିଆଯାଉଛି। ବିଭିନ୍ନ ଆଳରେ ପଡ଼ି ରହିଥିବା ମୋଟା ବିଲ୍‌ ଆଦାୟ ନ କରି ସାଧାରଣ ଲୋକଙ୍କ ଉପରେ ଜୋର ଜବରଦସ୍ତ ବୋଝ ଲଦି ଦିଆଯାଉଛି। ରାଜ୍ୟର ୨୬ଟି ବଡ଼ ଶିଳ୍ପ ସଂସ୍ଥା ଉପରେ ୧୮୭୪ କୋଟି ଟଙ୍କାର ବିଜୁଳି ବିଲ୍‌ ବକେୟା ପଡ଼ିଛି। ସରକାର ଓ ପ୍ରଶାସନର ପ୍ରଚ୍ଛନ୍ନ ଷଡ଼ଯନ୍ତ୍ରରେ ଏହି କମ୍ପାନିମାନେ କୋର୍ଟରୁ ରହିତାଦେଶ ଆଣି ରାଜ୍ୟ ରାଜକେ‌ାଷକୁ ରୁଗ୍‌ଣ କରିଛନ୍ତି। ବିଦ୍ୟୁତ ବଣ୍ଟନ କମ୍ପାନିଗୁଡ଼ିକ ଉପରେ ୩୯୩୭.୪୮ କୋଟି ଟଙ୍କା ବକେୟା ରହିଛି। ଯେଉଁ ବିତରକ କମ୍ପାନିମାନଙ୍କ ପାଇଁ ସରକାର ସାଧାରଣ ଖାଉଟିଙ୍କୁ ବଳି ଦେବାକୁ ଚାହୁଁଛନ୍ତି, ସେମାନେ ଗ୍ରିଡ୍‌କୋକୁ ହଜାର ହଜାର କୋଟି ଟଙ୍କା ପୈଠ କରୁ ନାହାନ୍ତି। ଓଡ଼ିଶାରେ ଘରୋଇ ବିଦ୍ୟୁତ ଟାରିଫ ୟୁନିଟ୍‌ ପିଛା ପ୍ରଥମ ୫୦ ୟୁନିଟ୍‌ ପର୍ଯ୍ୟନ୍ତ ୨ଟା ୫୦ ପଇସା ରହିଥିବା ବେଳେ ସିକିମରେ ୟୁନିଟ ପିଛା ୧ ଟଙ୍କା ୨୦ ପଇସା, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ୧ ଟଙ୍କା ୪୫ ପଇସା, ଗୋଆରେ ୧ ଟଙ୍କା ୪୦ ପଇସା ରହିଛି। ସେହିପରି ତାମିଲନାଡ଼ୁ ପରି ରାଜ୍ୟରେ ୧୦୦ ୟୁନିଟ ଯାଏ ମାଗଣା ବ୍ୟବସ୍ଥା ରହିଛି ଅର୍ଥାତ ୧୦୦ ୟୁନିଟ ଯାଏ କୌଣସି ଟଙ୍କା ଦେବାକୁ ପଡ଼େ ନାହିଁ।

ଖାଉଟିମାନଙ୍କର ବିଜୁଳି ଦର ଅପରିବର୍ତ୍ତିତ ରଖିବା ସହ ରାଜ୍ୟର କୃଷକମାନଙ୍କୁ ଶାସକ ଦଳର ପ୍ରତିଶ୍ରୁତି ଅନୁସାରେ ମାଗଣା ବିଜୁଳି ଯୋଗାଇ ଦେବା ପାଇଁ ବିଜେପି ଦାବି କରିଛି। ‌ଏହା ସହ ରାଜ୍ୟରେ ଶିଳ୍ପ ବିକାଶ ପାଇଁ ବର୍ତ୍ତମାନ ପ୍ରଚଳିତ ୟୁନିଟ ପିଛା ୫ ଟଙ୍କା ୭୦ ପଇସାର ତାରିଫ ବଦଳରେ ଦେଶର ଶିଳ୍ପ ସମୃଦ୍ଧ ରାଜ୍ୟ ଗୁଜୁରାଟ ପରି ୪ ଟଙ୍କା ୫୦ ପଇସାକୁ କମ୍ କରିବାକୁ ମଧ୍ୟ ଦଳ ଦାବି କରିଛି। ସାମ୍ବାଦିକ ସମ୍ମିଳନୀରେ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ଉପସ୍ଥିତ ଥିଲେ।