ଭୁବନେଶ୍ବର : ଗ୍ରାମାଞ୍ଚଳରେ ଅଘୋଷିତ ବିଦ୍ୟୁତ କାଟ ଓ ଲୋ ଭୋଲ୍ଟେଜ୍ ସମସ୍ୟା ନେଇ ଅଭିଯୋଗ ଆସୁଛି। ଆଜି ବିଧାନସଭାରେ ଏହି ପ୍ରସଙ୍ଗରେ ଶାସକ ଦଳ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରଶ୍ନ କରିଥିଲେ। ଶକ୍ତିମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ବିଦ୍ୟୁତ କାଟ ସମସ୍ୟାକୁ ଆଂଶିକ ସ୍ବୀକାର କରିଥିଲେ ବି ତାହା ପଛର କାରଣ ଦର୍ଶାଇଥିଲେ। ତେବେ ଲୋ ଭୋଲ୍ଟେଜ୍ ସମସ୍ୟା ନେଇ ମନ୍ତ୍ରୀ ନିରବ ରହିଥିଲେ। ତେବେ ଗ୍ରାହକମାନଙ୍କୁ ଗୁଣାତ୍ମକ ବିଦ୍ୟୁତ ସେବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି ବୋଲି ଆଶ୍ବାସନା ଦେଇଥିଲେ।
ଶ୍ରୀ ପଟ୍ଟନାୟକଙ୍କ ପ୍ରଶ୍ନ ଥିଲା, ସୁଲଭ ମୂଲ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ େଯାଗାଣର ଲକ୍ଷ୍ୟ ନେଇ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଯେଉଁ ବିଦ୍ୟୁତ ସଂସ୍କାର ହାତକୁ ନେଇଥିଲା ତାହା କେତେଦୂର ହାସଲ ହୋଇଛି ? କାଁ ଭାଁ ସହରାଞ୍ଚଳକୁ ବାଦ୍ ଦେଲେ ସବୁ ଗ୍ରାମାଞ୍ଚଳରେ ଅଘୋଷିତ ବିଦ୍ୟୁତ କାଟ ଓ ଲୋ ଭୋଲ୍ଟେଜ୍ ସମସ୍ୟା ଲାଗି ରହୁଥିବାରୁ ଏଥିପାଇଁ ସଂପୃକ୍ତ ସଂସ୍ଥାକୁ ଉତ୍ତରଦାୟୀ କରିବାର ଆଇନଗତ ବ୍ୟବସ୍ଥା ଅଛି କି ? ଯଦି ନାହିଁ, ତେବେ ବିଦ୍ୟୁତ ବିଭ୍ରାଟର ସ୍ଥାୟୀ ନିରାକରଣ ନିମନ୍ତେ ସରକାରଙ୍କ ପଦକ୍ଷେପ କ’ଣ ?
ଉତ୍ତରରେ ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି, ଓଡ଼ିଶାରେ ବିଦ୍ୟୁତ ସଂସ୍କାର ସଫଳ ହୋଇଛି। ରାଜ୍ୟରେ ବିଦ୍ୟୁତ ସଂସ୍କାରର ବିଗତ ଦୁଇ ଦଶନ୍ଧି ମଧ୍ୟରେ ବିଦ୍ୟୁତ ଚାହିଦା ଓ ଯୋଗାଣ ୨୯୯୬-୯୭ରେ ୯୬୫୦ ମିଲିୟନ ୟୁନିଟରୁ ବୃଦ୍ଧି ପାଇ ୨୦୧୮-୧୯ ଆର୍ଥିକ ବର୍ଷରେ ୨୭,୧୬୫ ମିଲିୟନ ୟୁନିଟ୍ରେ ପହଞ୍ଚିଛି। ସେହିପରି ବିଦ୍ୟୁତ ଉପଭୋକ୍ତାଙ୍କ ସଂଖ୍ୟା ୧୬ ଲକ୍ଷରୁ ୯୪ ଲକ୍ଷେର ପହଞ୍ଚିଛି। ଏହା ବାଦ୍ ବିଭିନ୍ନ ଯୋଜନା ମାଧ୍ୟମରେ ରାଜ୍ୟରେ ବିଦ୍ୟୁତ ଉତ୍ପାଦନ, ଭିତ୍ତିଭୂମିର ସାମଗ୍ରିକ ବୃଦ୍ଧି ଓ ବିକାଶ ସମ୍ଭବ ହୋଇପାରିଛି। ଅଘୋଷିତ ବିଦ୍ୟୁତ କାଟ ଓ ଲୋ ଭୋଲ୍ଟେଜ୍ ସମସ୍ୟାର ଦୂରୀକରଣ ନିମନ୍ତେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ବିଧିବଦ୍ଧ ନିୟମ ବ୍ୟବସ୍ଥା ପ୍ରଣୟନ କରିଛନ୍ତି। ସାଧାରଣତଃ ବିଦ୍ୟୁତ କାଟ ବିଷୟରେ ଅଗ୍ରୀମ ସୂଚନା ଦେଲା ପରେ ହିଁ ବିଦ୍ୟୁତ କାଟ କରାଯାଇଥାଏ। କିନ୍ତୁ ଆକସ୍ମିକ ବିପଦ ଓ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ବିଦ୍ୟୁତ କାଟ ବିଷୟରେ ଅଗ୍ରୀମ ସୂଚନା ଦେବା ସମ୍ଭବ ହୋଇ ନ ଥାଏ। ଏହା ବାଦ୍ ବିଦ୍ୟୁତ ଉତ୍ପାଦନ, ସଞ୍ଚାଳନ ଓ ବଣ୍ଟନ ପ୍ରଣାଳୀରେ ଆକସ୍ମିକ ବିଭ୍ରାଟ ଯୋଗୁ ମଧ୍ୟ ଅଘୋଷିତ ବିଦ୍ୟୁତ କାଟ ହୋଇଥାଏ। ବିଦ୍ୟୁତ ଗ୍ରାହକମାନେ ଯେପରି ଗୁଣାତ୍ମକ ବିଦ୍ୟୁତ ସେବା ପାଇପାରିବେ, ସେଥିପାଇଁ ଓଇଆର୍ସି ବିଦ୍ୟୁତ ବଣ୍ଟନ ୟୁଟିଲିଟିମାନଙ୍କ ପାଇଁ ଏକ ବିଧିବଦ୍ଧ ନିୟମ ପ୍ରଣୟନ କରିଛନ୍ତି। ବିଦ୍ୟୁତ ବିଭ୍ରାଟର ସ୍ଥାୟୀ ନିରାକରଣ ନିମନ୍ତେ ରାଜ୍ୟରେ ବିଦ୍ୟୁତ ଶକ୍ତି ଉତ୍ପାଦନ ବୃଦ୍ଧି, ଗ୍ରିଡ୍ ଷ୍ଟେସନ୍ ପ୍ରତିଷ୍ଠା ଏବଂ ବିଭିନ୍ନ ଯୋଜନା ମାଧ୍ୟମରେ ରାଜ୍ୟରେ ବିଦ୍ୟୁତ ଭିତ୍ତିଭୂମିର ସାମଗ୍ରିକ ବୃଦ୍ଧି ଓ ବିକାଶ କରୁଛନ୍ତି।
ଓଇଆର୍ସିଙ୍କ ତାଗିଦ ସତ୍ତ୍ବେ ସରକାରୀ ଓ ବେସରକାରୀ କମ୍ପାନିମାନେ ପରିବହନ ଓ ଆବଣ୍ଟନ(ଟି ଆଣ୍ଡ୍ ଡି) କ୍ଷତି ହ୍ରାସରେ ଅସମର୍ଥ ହେଉଥିବାରୁ ଉପଭୋକ୍ତାଙ୍କ ମୁଣ୍ଡରେ ଏହାର ଅଯଥା ବୋଝ ପଡ଼ୁଛି କି ବୋଲି ଶ୍ରୀ ପଟ୍ଟନାୟକଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ମିଶ୍ର କହିଛନ୍ତି, ଗ୍ରିଡ୍କୋଠାରୁ ପ୍ରାପ୍ତ ତଥ୍ୟ ଅନୁସାରେ ଓଇଆର୍ସି ବିଦ୍ୟୁତ ଶୁଳ୍କ ଧାର୍ଯ୍ୟ କଲା ବେଳେ ପ୍ରକୃତ କ୍ଷତି ପରିବର୍ତ୍ତେ ବିଜ୍ନେସ୍ ପ୍ଲାନ୍ରେ ଅନୁମୋଦିତ ନିର୍ଣ୍ଣାୟକ କ୍ଷତିକୁ ହିସାବକୁ ନିଅନ୍ତି। ଏହି ଦୁଇ କ୍ଷତି ମଧ୍ୟରେ ଥିବା ପାର୍ଥକ୍ୟର ବ୍ୟୟଭାର ବିଦ୍ୟୁତ ବିତରଣକାରୀ ସଂସ୍ଥା ବହନ କରୁଥିବାରୁ ଉପଭୋକ୍ତାଙ୍କ ଉପରେ କୌଣସି ବୋଝ ପଡ଼େ ନାହିଁ। ଟି ଆଣ୍ଡ୍ ଡି କ୍ଷତିର ପରିମାଣ ହ୍ରାସ କରିବା ପାଇଁ ନୂଆ ଲାଇନ୍ ଓ ସବ୍ଷ୍ଟେସନ୍ ନିର୍ମାଣ ସହ ପୁରାତନ ଲାଇନ୍ ଓ ସବ୍ଷ୍ଟେସନ୍ର କ୍ଷମତା ବୃଦ୍ଧି କରାଯାଇଛି। ନିୟମିତ ଭାବେ ବୈଷୟିକ ଅଡିଟ୍ କରାଯାଇ ଟି ଆଣ୍ଡ୍ ଡି କ୍ଷତିକୁ ନିୟନ୍ତ୍ରଣ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/Dibya-Shankar-Mishra.jpg)