ଟିଟିପିଏସ୍‌ରୁ ବିଦ୍ୟୁତ ଉତ୍ପାଦନ ବନ୍ଦ, ୩୧ରୁ ସମ୍ପୂର୍ଣ୍ଣ ବନ୍ଦ ହେବ ପ୍ଲାଣ୍ଟ

ଅନୁଗୁଳ: ତାଳଚେର ଥର୍ମାଲ ପାୱାର ଷ୍ଟେସନ(ଟିଟିପିଏସ)ରୁ ବିଦ୍ୟୁତ ଉତ୍ପାଦନ ଆଜିଠାରୁ ବନ୍ଦ ହୋଇଛି। କେନ୍ଦ୍ର ପ୍ରଦୂଷଣ ବୋର୍ଡର ମଂଜୁରି ନ ଥିବାରୁ ଏହି ପ୍ଲାଣ୍ଟ ଆସନ୍ତା ୩୧ ତାରିଖରୁ ସବୁଦିନ ପାଇଁ ବନ୍ଦ ହେବାକୁ ବସିଥିଲାବେଳେ ପର୍ଯ୍ୟାୟକ୍ରମେ ଉତ୍ପାଦନ ବନ୍ଦ କରି ଦେଇଛନ୍ତି କର୍ତ୍ତୃପକ୍ଷ। ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ନିଜର ସ୍ୱତନ୍ତ୍ରତାକୁ ବଜାୟ ରଖି ଦୀର୍ଘ ୫୪ ବର୍ଷ ଧରି ବିଜୁଳି ପ୍ରଦାନ କରି ଆସୁଥିବା ଏହି ପ୍ଲାଣ୍ଟ ବନ୍ଦ ହେବା ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣ।

ପ୍ରଦୂଷଣ ବୋର୍ଡର ମଂଜୁରି ନ ଥିବାରୁ ମାର୍ଚ୍ଚ ୩୧ ତାରିଖରୁ ଏନଟିପିସି ଦ୍ବାରା ପରିଚାଳିତ ଏହି ପାୱାର ପ୍ଲାଣ୍ଟ ବନ୍ଦ ହୋଇଯିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା। କିନ୍ତୁ ଧାର୍ଯ୍ୟ ସମୟ ପୂର୍ବରୁ କର୍ତ୍ତୃପକ୍ଷ ଏହାକୁ ବନ୍ଦ କରି ଦେଇଛନ୍ତି। ଅବଧି ଶେଷ ହେବା ପୂର୍ବରୁ ପ୍ଲାଣ୍ଟର ସମସ୍ତ ୬ଟି ୟୁନିଟରୁ ଆଜି ବିଦ୍ୟୁତ ଉତ୍ପାଦନ କରାଯାଇନି। ପ୍ରଥମେ ୧ନମ୍ବର ଓ ୬ ନମ୍ବର ୟୁନିଟରେ ଯାନ୍ତ୍ରିକ ତ୍ରୁଟି ଦର୍ଶାଇ ବନ୍ଦ କରି ଦିଆଯାଇଥିଲା। ଗତକାଲି ମଧ୍ୟରାତ୍ରିରୁ ଅବଶିଷ୍ଟ ୪ୟୁନିଟକୁ ବନ୍ଦ କରି ଦିଆଯାଇଛି। ପ୍ଲାଣ୍ଟ କର୍ତ୍ତୃପକ୍ଷ କୋଇଲା ଓ ଶ୍ରମିକ ଅଭାବର ଥିବା ଦର୍ଶାଇ ଏହାକୁ ବନ୍ଦ କରି ଦେଇଥିବା ଜଣାପଡିଛି। ଏହାକୁ ସହଜରେ ଗ୍ରହଣ କରି ପାରିନାହାନ୍ତି ଅଞ୍ଚଳବାସୀ। ପ୍ଲାଣ୍ଟ ପରିସରରେ କର୍ମଚାରୀମାନେ ଧାରଣା ଦେଇଥିଲାବେଳେ ପ୍ଲାଣ୍ଟ ଚାଲୁ ରଖିବା ପାଇଁ ସେମାନେ ଦାବି କରିଛନ୍ତି। ଆବଶ୍ୟକ ପଡ଼ିଲେ ପ୍ଲାଣ୍ଟର ନବୀକରଣ ପାଇଁ ସେମାନେ କହିଛନ୍ତି। ପ୍ଲାଣ୍ଟ ବନ୍ଦ ହେବା ଫଳରେ ୧୪୦୦ ଠିକା କର୍ମଚାରୀଙ୍କ ସହ ପ୍ରତ୍ୟକ୍ଷ ଓ ପରୋକ୍ଷରେ ୫୦ ହଜାରରୁ ଊର୍ଦ୍ଧ୍ବ ଲୋକ ପ୍ରଭାବିତ ହୋଇଛନ୍ତି। ଅପରପକ୍ଷରେ ଏନଟିପିସିର ଏଜିଏମ ଚରଣଜିତ କୁମାର ଗଣମାଧ୍ୟମକୁ କହିଛନ୍ତି ଯେ, ଶ୍ରମିକ ସମସ୍ୟା ପାଇଁ ଆଜି ବିଦ୍ୟୁତ ଉତ୍ପାଦନ ବନ୍ଦ ରହିଛି। ୩୧ ତାରିଖରୁ ଏହା ସମ୍ପୂର୍ଣ୍ଣ ବନ୍ଦ ହେବ ବୋଲି ସେ କହିଛନ୍ତି।

ସୂଚନା ମୁତାବକ, ୧୯୬୪ ମସିହା ଜାନୁଆରି ୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ତାଳଚେର ଥର୍ମାଲ ପାୱାର ଷ୍ଟେସନର ଶୁଭ ଦେଇଥିଲେ। ଷ୍ଟେଜ-୧ର ୪ଟି ୟୁନିଟ୍ (ପ୍ରତ୍ୟେକ ୬୦ ମେଗାୱାଟ୍ ବିଶିଷ୍ଟ) ମଧ୍ୟରୁ ପ୍ରଥମ ୟୁନିଟ୍ ୧୯୬୭ରେ, ୨ୟ ୟୁନିଟ୍ ୧୯୬୮ରେ, ୩ୟ ୟୁନିଟ୍ ୧୯୬୮ରେ ଓ ୪ର୍ଥ ୟୁନିଟ୍ ୧୯୬୯ରେ କାର୍ଯ୍ୟକ୍ଷମ ହୋଇଥିଲା। ପରବର୍ତ୍ତୀ ସମୟରେ ଷ୍ଟେଜ୍‌-୨ରେ ୧୧୦ ମେଗାୱାଟ୍ ବିଶିଷ୍ଟ ୫ମ ୟୁନିଟ୍ ୧୯୮୨ ଓ ୬ଷ୍ଠ ୟୁନିଟ୍ ୧୯୮୩ରେ କାର୍ଯ୍ୟକ୍ଷମ ହୋଇଥିଲା। କିନ୍ତୁ ସରକାର ଏହାକୁ ୧୯୯୫ରେ ଏନଟିପିସିକୁ ହସ୍ତାନ୍ତର କରିଥିଲେ। ଏଠାରୁ ଉତ୍ପାଦିତ ସମସ୍ତ ବିଦ୍ୟୁତ୍ ରାଜ୍ୟ ସରକାରଙ୍କୁ ଯୋଗାଇ ଦିଆଯାଇଥାଏ। ହେଲେ ଏହି ପୁରୁଣା ୟୁନିଟଗୁଡ଼ିକ ସ୍ଥାନରେ ୭୭୩୨ କୋଟି ଟଙ୍କା ବ୍ୟୟରେ ୧୩୨୦ ମେଗାୱାଟ ବିଶିଷ୍ଟ ଷ୍ଟେଜ୍‌-୩ର ୨ଟି ନୂତନ ୟୁନିଟ୍ ସ୍ଥାପନ ପାଇଁ ଏନଟିପିସି ପକ୍ଷରୁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ଏହା କରାଯାଇ ନ ଥିଲାବେଳେ ପ୍ରଦୂଷଣ ମଂଜୁରି ନ ଥିବାରୁ ଏହାକୁ ଏବେ ସବୁଦିନ ପାଇଁ ବନ୍ଦ କରି ଦିଆଯାଇଛି।

ସମ୍ବନ୍ଧିତ ଖବର