ନୂଆପଡ଼ା : ସଦର ବ୍ଲକ୍ ବେଲଟୁକୁରୀ ଅଞ୍ଚଳରେ ମନଇଚ୍ଛା ବିଦ୍ୟୁତ କାଟ ହେଉଥିବା ଚାଷୀ ଅଭିଯୋଗ କରିଛନ୍ତି। ଫଳରେ ଚାଷୀଙ୍କ ବିଭିନ୍ନ ଫସଲ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି। ଏହାର ପ୍ରତିବାଦରେ ବୁଧବାର ବେଲଟୁକୁରୀ, ଭାଲେଶ୍ବର ଓ ପଣ୍ତ୍ରିପାଣି ଗାଁର ଶତାଧିକ ଚାଷୀ ଓ୍ବେସ୍କୋ ନିର୍ବାହୀ ଯନ୍ତ୍ରୀଙ୍କ ଅଫିସ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ସେମାନଙ୍କ ଅଭିଯୋଗ ଅନୁସାରେ, ସେମାନେ ଉଠା ଜଳସେଚନ ଭରସାରେ ଚାଷ କରିଛନ୍ତି। ଗତ ମାସେ ହେବ ବିଦ୍ୟୁତ ବିଭାଗ ଅଧିକାରୀମାନେ ମନଇଚ୍ଛା ବିଦ୍ୟୁତ କାଟ କରୁଛନ୍ତି। ଏମିତିକି ୨୪ ଘଣ୍ଟା ଧରି ଘଣ୍ଟାଏ ପରେ ଘଣ୍ଟାଏ ବିଦ୍ୟୁତ କାଟ କରୁଛନ୍ତି। ଫଳରେ ଠିକ୍ ଭାବେ ମଟର ଚାଲି ପାରୁ ନାହିଁ ଓ ଚାଷ ଜମିରେ ପାଣି ମାଡ଼ି ପାରୁ ନାହିଁ। ଏବେ ଧାନ ସମେତ ଚିନାବାଦାମ, ପନିପରିବା ଫସଲ ପାଣି ଅଭାବରୁ ମରିବାକୁ ବସିଲାଣି। ଘେରାଉ ପରେ ଚାଷୀମାନେ ନିର୍ବାହୀ ଯନ୍ତ୍ରୀ ସମ୍ବିତ ନନ୍ଦଙ୍କୁ ଭେଟିଥିଲେ। କାମ ଚାଲିଛି ଓ ଖୁବ ଶୀଘ୍ର ସମାଧାନ ହୋଇଯିବ, ତଥାପି ବୁଧବାରଠାରୁ ୨ ଘଣ୍ଟା ବ୍ୟବଧାନରେ ୨ ଘଣ୍ଟା ଲେଖାଏଁ ବିଦ୍ୟୁତ କାଟ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ଫେରି ଯାଇଥିଲେ। ଚାଷୀ ନେତା ଦିଲୀପ ନିର୍ମଳକରଙ୍କ ନେତୃତ୍ବରେ ରତନ ଚନ୍ଦ୍ରକାର, ଚନ୍ଦ୍ରଶେଖର ଚନ୍ଦ୍ରକାର, ସନ୍ତୋଷ ଚନ୍ଦ୍ରକାର, ନନ୍ଦୁ ଚନ୍ଦ୍ରକାର ପ୍ରମୁଖ ଉପସ୍ଥିତଥିଲେ।