ଇବ୍‌ଥର୍ମାଲ : ଝାରସୁଗୁଡ଼ା ଜିଲ୍ଲା ବନହରପାଲିରେ କାର୍ଯ୍ୟକ୍ଷମ ଥିବା ଓଡ଼ିଶା ପାଓ୍ଵାର ଜେନେରସନ କର୍ପୋରେସନ (ଓପିଜିସି)ର ଦୁଇଟି ଯାକ ୟୁନିଟ୍‌ରୁ ବିଦ୍ୟୁତ୍‌ ଉତ୍ପାଦନ ବନ୍ଦ ହୋଇଯାଇଛି। ବିଦ୍ୟୁତ୍‌ ଶକ୍ତି ଯୋଗାଣ କ୍ଷେତ୍ରରେ ରାଜ୍ୟବାସୀଙ୍କ ପାଇଁ ସଂକଟମୋଚନ କୁହାଯାଉଥିବା ଓପିଜିିସି ଏବେ ପୁଣି ଥରେ ସଂକଟରେ ପଡ଼ିଯାଇଛି। ୨୧୦ ମେଗାଓ୍ଵାଟ୍‌ ସମ୍ପନ୍ନ ଉଭୟ ୟୁନିଟ୍‌ରୁ ଏବେ କ୍ଷମତା ଅନୁସାରେ ୪୨୦ ମେଗାଓ୍ଵାଟ୍‌ ବିଦ୍ୟୁତ୍‌ ଉତ୍ପାଦନ ଠପ୍‌ ପଡ଼ିଛି। ବିଦେଶୀ କମ୍ପାନି ଏଇଏସର ୪୯ ପ୍ରତିଶତ ଅଂଶଧନରେ ଚାଲୁଥିବା ଏହି ଲାଭଦାୟକ ସଂସ୍ଥା ଏବେ ପୁଣି ଚର୍ଚାରେ ରହିଛି। ଏହି ପ୍ଲାଣ୍ଟ ଦୀର୍ଘ ଦିନରୁ ଚାଲିଛି ଏବଂ ଯାନ୍ତ୍ରିକ ତ୍ରୁଟି ହେଲେ କମ୍ପାନି କର୍ତୃପକ୍ଷ କ’ଣ କରିବେ ବୋଲି ଅଧିକାରୀ ସ୍ତରରେ ପ୍ରତିିକ୍ରିୟା ରଖାଯାଇଛି।

Advertisment

ଗତ ୧୭ ତାରିଖ ମଧ୍ୟରାତ୍ରରେ ସରକାର ଓ ଗ୍ରିଡ୍‌କୋ ଅଧିକାରୀଙ୍କଠାରୁ ଅନୁମତି ନେଇ ବାର୍ଷିକ ମରାମତି ସକାଶେ ଦ୍ୱିତୀୟ ୟୁନିଟ୍‌କୁ ବନ୍ଦ କରାଯାଇଥିଲା। ଏହା କାର୍ଯ୍ୟକ୍ଷମ ହେବାକୁ ଆହୁରି ୧୦ ଦିନ ଲାଗିବ ବୋଲି କୁହାଯାଇଥିବା ବେଳେ ଗତ ମଙ୍ଗଳବାର ରାତି ୯ଟା ୫୦ ମିନିଟ୍‌ରେ ଜେନେରେଟରରୁ ତେଲ ନିର୍ଗତ ହୋଇଥିଲା। ଏନେଇ ୟୁନିଟ୍‌ ୧କୁ ମଧ୍ୟ ବନ୍ଦ କରି ଦିଆଯାଇଛି। ତେବେ, ୪-୫ ଦିନ ମଧ୍ୟରେ ଏହାକୁ ସଚଳ କରାଯିବ ବୋଲି ଓପିଜିସି କର୍ତୃପକ୍ଷ କହିଛନ୍ତି।

ପ୍ରତି ବର୍ଷ ରକ୍ଷଣାବେକ୍ଷଣ ଓ ମରାମତି ନେଇ କୋଟି କୋଟି ଟଙ୍କା ଖର୍ଚ କରାଯାଉଥିଲେ ବି ସମସ୍ୟା ସୁଧୁରୁନାହିଁ। ଅଭିଯୋଗ ହେଉଛି ଯେ ରାଜ୍ୟ ସରକାର ଓ ଗ୍ରିଡ୍‌କୋର ଉର୍ଦ୍ଧ୍ୱରେ ଏଇଏସର ତ୍ରୁଟିପୂର୍ଣ୍ଣ ପରିଚାଳନା ନୀତି ଯୋଗୁଁ ଏସବୁ ବିିଭ୍ରାଟ୍‌ ହେଉଛି। ଦୁଇଟି ଯାକ ୟୁନିଟ୍‌ ଏକକାଳୀନ ଅଚଳ ହୋଇଯିବା ଚିନ୍ତାଜନକ ଅଟେ। ଗତ ୨୦୧୪ ସେପ୍ଟେମ୍ବର ୭, ୨୦୧୧ ଜୁଲାଇ ୨୪, ୨୦୧୪ ଜୁଲାଇ ୩୦, ୨୦୧୪ ମେ’ ୧୩ରେ ମଧ୍ୟ ଏକକାଳୀନ ଉଭୟ ୟୁନିଟ୍‌ ବନ୍ଦ ରହିଥିଲା। ଏବେ ବିଦ୍ୟୁତ୍‌ ଉତ୍ପାତନ ବନ୍ଦ ହୋଇଯାଇଥିବା ପରିପ୍ରେକ୍ଷୀରେ କୋଟି କୋଟି ଟଙ୍କାର ରାଜସ୍ୱ ହାନୀର ଦାୟିତ୍ୱ କାହା ପାଖରେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।