ରାଉରକେଲା: ୨୦୨୪ ସାଧାରଣ ନିର୍ବାଚନ ନିର୍ଦ୍ଧାରିତ ସମୟରେ ଏପ୍ରିଲ୍‌-ମେ ମାସରେ ହେବ ‌ନା ଆଗୁଆ ହେବ ତାହା ଏଯାଏ ସ୍ପଷ୍ଟ ହୋଇନି। କିନ୍ତୁ ଏବେଠୁ ନେତାମାନେ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ଜନସାଧାରଣଙ୍କ ପାଖକୁ ଯିବାକୁ କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି। ଏମିତିକି ବୁଧବାର ଅନୁଷ୍ଠିତ ରକ୍ଷାବନ୍ଧନ ଉତ୍ସବକୁ ବି ଛାଡ଼ିନଥିଲେ ରଘୁନାଥପାଲି ନିର୍ବାଚନ ମଣ୍ଡଳୀର ଟିକଟ ଆଶାୟୀ। ଦିନସାରା ନିଜ ସମର୍ଥକଙ୍କ ଗହଣରେ ରହି ରାଖି ବାନ୍ଧି ସମୟ ବିତାଇଥିଲେ। ପୂର୍ବ ବର୍ଷ ଗୁଡ଼ିକରେ ଏଭଳି ରକ୍ଷାବନ୍ଧନ ଉତ୍ସବରେ ନେତାଙ୍କ ଚିହ୍ନବର୍ଣ୍ଣ ଦେଖିବାକୁ ମିଳୁନଥିବାବେଳେ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରକାରାନ୍ତରେ ଶକ୍ତି ପ୍ରଦର୍ଶନ କରୁଥିବା ରାଜନୈତିକ ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି।

Advertisment

publive-image

ଅନୁସୂଚିତ ଜାତିର ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରଘୁନାଥପାଲି ଆସନରୁ ବିଜେଡି ଟିକଟ ପାଇଁ ଏବେ ୪ ଜଣ ଆଶାୟୀ ଅଛନ୍ତି। ସ୍ବାସ୍ଥ୍ୟାବସ୍ଥା କାରଣରୁ ବିଧାୟକ ସୁବ୍ରତ ତରାଇଙ୍କ ଲମ୍ବା ଅନୁପସ୍ଥିତି ହିଁ ଅନ୍ୟ ତିନି ଜଣ ଆଶାୟୀ ପ୍ରଶାନ୍ତ ସେଠୀ, ପ୍ରଫୁଲ୍ଲ ସୁନ୍ୟାନୀ ଏବଂ ଦୟାନିଧି ତନ୍ତୀଙ୍କ ପାଇଁ ସୁଯୋଗ ସୃଷ୍ଟି କରିଥିଲା। ପରବର୍ତ୍ତୀ ସମୟରେ ଏହି ତିନି ଆଶାୟୀ ଲୋକଙ୍କ ପାଖରେ ପହଞ୍ଚି ସମର୍ଥନ ଜୁଟାଇବାରେ ଲାଗିପଡ଼ିଥିଲେ। ଏବେ ସୁବ୍ରତ ପୁନର୍ବାର ଫେରିବାପରେ ରାଜନୈତିକ ଗତିବିଧି ତ୍ବରାନ୍ବିତ କରିଦେଇଛନ୍ତି। ଏହି କ୍ରମରେ ବୁଧବାର ରଘୁନାଥପାଲି ମହିଳା ବିଜେଡି ପକ୍ଷରୁ ଭଞ୍ଜ ଭବନଠାରେ ଆୟୋଜିତ ରକ୍ଷାବନ୍ଧନ ଉତ୍ସବରେ ବିଧାୟକ ସୁବ୍ରତ ଯୋଗଦେଇଥିଲେ। ସେହିଭଳି ନିକଟ ଅତୀତରେ କଂଗ୍ରେସରୁ ଇସ୍ତଫା ଦେଇଥିବା ପ୍ରଶାନ୍ତ ସେଠୀ ନିଜସ୍ବ ସଙ୍ଗଠନ ‘ମାନବିକତା ପରିବାର’ ବ୍ୟାନର୍‌ରେ ସେକ୍ଟର-୫ ଆଶୀର୍ବାଦ ମଣ୍ଡପରେ ଆୟୋଜିତ ଉତ୍ସବରେ ସାମିଲ ହୋଇଥିଲେ। ସେହିଭଳି ଅନ୍ୟ ଦୁଇ ଟିକେଟ୍‌ ଆଶାୟୀ ପ୍ରଫୁଲ୍ଲ ସୁନ୍ୟାନୀ ଏବଂ ଦୟାନିଧି ତନ୍ତୀ ସାରନଗରୀ ଅଞ୍ଚଳରେ ଅନୁଷ୍ଠିତ ବିଭିନ୍ନ ରକ୍ଷାବନ୍ଧନ ଉତ୍ସବରେ ଯୋଗ ଦେଇଥିଲେ। ଏସବୁ ଭିତରେ ବିଜେଡି ଯୁବ ନେତା ତଥା ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ କୁନ ବିହାରୀ ଦାସ ମଧ୍ୟ ସମର୍ଥକଙ୍କ ସହ ବାଲିଯୋଡ଼ିସ୍ଥ ପଦ୍ମିନୀ ପ୍ୟାଲେସ୍‌ରେ ଉତ୍ସବ ମନାଇଥିଲେ। ଏଠାରେ ଶ୍ରମମନ୍ତ୍ରୀ ସାରଦା ନାୟକଙ୍କ ବିରୋଧୀ ଗୋଷ୍ଠୀର ନେତୃତ୍ବ ନେଉଥିବା କୁନଙ୍କ ଉପସ୍ଥିତି ବିଭିନ୍ନ ପ୍ରକାର ଚର୍ଚ୍ଚାକୁ ଖୋରାକ ଯୋଗାଇଛି।