ମହଙ୍ଗା ହେବ ବିଦ୍ୟୁତ ! ଓଇଆର‌୍‌ସିରେ ଆବେଦନ କଲେ ଗ୍ରିଡ୍‌କୋ ସମେତ ବିଭିନ୍ନ ବିଦ୍ୟୁତ ସ˚ସ୍ଥା

ଭୁବନେଶ୍ବର : ବିଜୁଳି ବଣ୍ଟନ କ˚ପାନିମାନେ ବିଦ୍ୟୁତ ନେଇ ବ୍ୟବହାର କରୁଛନ୍ତି। କିନ୍ତୁ ପ୍ରାପ୍ୟ ଦେଉନାହାନ୍ତି। ପରିଣାମ ହେଉଛି, ଗ୍ରିଡକୋ ଘୋର ଆର୍ଥିକ ଦୁଃସ୍ଥିତି ମଧ୍ୟକୁ ଠେଲି ହୋଇଗଲାଣି। ସ୍ଥିତି ଏତେ ଗମ୍ଭୀର ହେଲାଣି ଯେ ବିଦ୍ୟୁତ କିଣିବାକୁ ବି ପଇସା ନାହିଁ। ଚଳିତ ଆର୍ଥିକ ବର୍ଷର ପ୍ରଥମ ଛଅ ମାସ ଲାଗି ୫୦୦ କୋଟି ଟଙ୍କା ଗ୍ରିଡକୋ ଋଣ କରିସାରିଛି। ବାକି ୬ମାସ ପାଇଁ ଆଉ ୧୦୦୦ କୋଟି ଟଙ୍କା ଋଣ କରିବା ଲାଗି ଅନୁମତି ଲୋଡିଛି। ବିଦ୍ୟୁତ କିଣା, ଋଣ ପରିଶୋଧ, ସୁଧ ପୈଠ, ଦରମା ଆଦି ଖର୍ଚ୍ଚ ଆୟକୁ ବଳିଗଲାଣି। ତେଣୁ ବିଦ୍ୟୁତ ଶୁଳ୍କ ବୃଦ୍ଧି କରାଯିବା ଅପରିହାର୍ଯ୍ୟ ହୋଇପଡିଛି। ଅନ୍ୟଥା ଗ୍ରିଡକୋର ଆର୍ଥିକ ଶୃଙ୍ଖଳା ଅଣାୟତ୍ତ ହୋଇପଡିବ।

ଏଭଳି ମୁଣ୍ଡ କାନ ଗଡେଇ ଗ୍ରିଡକୋ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ନିକଟରେ ଦରଖାସ୍ତ କରିଛି। ଦର୍ଶାଇଛି ଯେ ଆସନ୍ତାବର୍ଷ ପାଇଁ ମୋଟ ୧୦ ହଜାର ୭୪୭ କୋଟି ୫୦ଲକ୍ଷ ଟଙ୍କା କେବଳ ବିଦ୍ୟୁତ କିଣିବା ପାଇଁ ଆବଶ୍ୟକ ପଡିବ। ବିଭିନ୍ନ ବଣ୍ଟନ କଂପାନିମାନେ ଦାବି କରିଛନ୍ତି ଯେ ସେମାନଙ୍କର ୨୮ ହଜାର ୧୮୭ .୩୭ ନିୟୁତ ୟୁନିଟ୍ ବିଦ୍ୟୁତ ଆବଶ୍ୟକ। ବର୍ତମାନର ଦର ଅର୍ଥାତ୍ ୟୁନିଟ୍ ପିଛା ହାରାହାରି ୨ଟଙ୍କା ୭୦ ପଇସାରେ ବିକିଲେ, ୭୬୨୩ କୋଟି ୮୪ଲକ୍ଷ ଟଙ୍କା ମିଳିବ। ଅର୍ଥାତ୍ ଗ୍ରିଡକୋ ୩୧୨୩ କୋଟି ୬୬ଲକ୍ଷ ଟଙ୍କା କ୍ଷତି ସହିବ। ଏତେ ଟଙ୍କା ଭରଣା କରିବା ଲାଗି ଆଉ କୌଣସି ବାଟ ନାହିଁ। ଏଣୁ ଏପ୍ରିଲ ପହିଲାରୁ ବିଦ୍ୟୁତ ଦର ବୃଦ୍ଧି କରାନଗଲେ ସ୍ଥିତି ଅସମ୍ଭାଳ ହୋଇପଡିବ। ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ବଲ୍‌କ ସପ୍ଲାଇ ପ୍ରାଇସ୍ ବା ବିଏସ୍‌ପି ୟୁନିଟ୍ ପିଛା ୩ ଟଙ୍କା ୮୧ ପଇସା କରାଯିବା ନିହାତି ଆବଶ୍ୟକ।

ଗ୍ରିଡକୋର ଏହି ୟୁକ୍ତି ଉପରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଶୁଣାଣି କରିବେ। ହେଲେ ସରକାରଙ୍କ ଏହି ସଂସ୍ଥାର ଯୁକ୍ତି ଆଶଙ୍କା ସୃଷ୍ଟି କରୁଛି ଯେ ଆସନ୍ତା ଆର୍ଥିକ ବର୍ଷରୁ ରାଜ୍ୟରେ ବିଦ୍ୟୁତ ଦର ମହଙ୍ଗା ହେବା ସମ୍ଭାବନାକୁ ଅଣଦେଖା କରାଯାଇପାରିବ ନାହିଁ।

କେବଳ ଗ୍ରିଡକୋ ନୁହେଁ, ଓଡ଼ିଶା ବିଦ୍ୟୁତ ପରିବହନ ନିଗମ ଲିମିଟେଡ୍‌ଠାରୁ ଆରମ୍ଭ କରି ବଣ୍ଟନ କ˚ପାନି ଯାଏ ସମସ୍ତେ ନିଜ ନିଜ ପକ୍ଷ ରଖି ବିଦ୍ୟୁତ ଦର ବୃଦ୍ଧି ନେଇ ଆୟୋଗଙ୍କ ସାମ୍ନାରେ ନିଜ ନିଜ ଶୈଳୀରେ ଦରଖାସ୍ତ କରିଛନ୍ତି। ଏବେ ପ୍ରଶ୍ନ ଉଠୁଛି, ଉପଭୋକ୍ତାଙ୍କୁ ୨୪ ଘଣ୍ଟିଆ ବିଦ୍ୟୁତ ସେବା ଯୋଗାଇ ଦେଇ ପାରୁନଥିବା କ˚ପାନି ବିଦ୍ୟୁତ ଦର ବୃଦ୍ଧି ନେଇ ଯେଉଁ ଦାବି ରଖୁଛନ୍ତି, ତାହା କେତେ ଦୂର ଗ୍ରହଣୀୟ ସେ ନେଇ ବିତର୍କ ହେବାର ଆବଶ୍ୟକତା ରହିଛି।

ବିଏସ୍‌ପି ୟୁନିଟ୍‌ ପିଛା ୩ ଟଙ୍କା ୮୧ ପଇସାକୁ ବଢାଇବାକୁ ଗ୍ରିଡକୋର ପ୍ରସ୍ତାବ
ବିଦ୍ୟୁତ ବଣ୍ଟନ କଂପାନି ଶହ ଶହ କୋଟି ଟଙ୍କା ବାକି ରଖିଛନ୍ତି, ଦେଉନାହାନ୍ତି

୨୦୨୦-୨୧ ଆର୍ଥିକ ବର୍ଷରେ ବିଦ୍ୟୁତ ଦର ନିର୍ଧାରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ବିଭିନ୍ନ କ˚ପାନି ଆୟୋଗଙ୍କ ନିକଟରେ ସେମାନଙ୍କ ଦରଖାସ୍ତ ଦାଖଲ କରିସାରିଲେଣି। ଖୁବ୍‌ ଶୀଘ୍ର ଏହା ଉପରେ ଆୟୋଗ ତାରିଖ ଧାର୍ଯ୍ୟ କରି ଶୁଣାଣି ଆରମ୍ଭ କରିବେ। ଯେହେତୁ ରାଜ୍ୟ ସରକାରଙ୍କ ମାଲିକାନାରେ ଗ୍ରିଡକୋ ରହିଛି, ଏଣୁ ଏହାର ଆବେଦନ ଯଥେଷ୍ଟ ଗୁରୁତ୍ବ ରଖୁଛି। ଭିନ୍ନ ବଣ୍ଟନ କ˚ପାନି, ନାଲକୋ, ଇମ୍ଫା ଆଦିଙ୍କ ଆବଶ୍ୟକତାକୁ ବିଚାରକୁ ନେଇ ଗ୍ରିଡ୍‌କୋ ହିସାବ କରିଛି ଯେ ୨୦୨୦-୨୧ ବର୍ଷରେ ୨୮ହଜାର ୨୪୭ ନିୟୁତ ୟୁନିଟ୍‌ ବିଦ୍ୟୁତ ଆବଶ୍ୟକ। ସେସୁ ସର୍ବାଧିକ ୯୫୫୦ (ଗତ ବର୍ଷ ତୁଳନାରେ ୧.୯୫% କମ୍) ନିୟୁତ ୟୁନିଟ୍‌ ଚାହିଦା ଥିବା କହିଛି। ଵେସ୍କୋ ୮୦୦୦ (ଗତ ବର୍ଷ ତୁଳନାରେ ୩.୨୩% ଅଧିକ) ନିୟୁତ ୟୁନିଟ୍‌, ନେସ୍କୋ ୬୫୬୭ (ଗତ ବର୍ଷ ତୁଳନାରେ ୪.୦୭% ଅଧିକ) ନିୟୁତ ୟୁନିଟ୍‌ ଓ ସାଉଥ୍‌କୋ ୪୦୭୦ (ଗତ ବର୍ଷ ତୁଳନାରେ ୦.୭୪% ଅଧିକ) ନିୟୁତ ୟୁନିଟ୍‌ ମାଗିଛି।

ଏହା ସତ୍ତ୍ବେ ଗ୍ରିଡ୍‌କୋ ସବୁଥର ଭଳି ଏଥର ବି ଆୟୋଗଙ୍କ ନିକଟରେ ନିଜର ଦେବାଳିଆ ସ୍ଥିତି ବଖାଣିଛି। କହିଛି ଯେ ଆୟୋଗ ତାଙ୍କ ରାୟରେ ବଣ୍ଟନ କ˚ପାନିମାନଙ୍କୁ ଦେୟ ଠିକଣା ସମୟରେ ଦେବା କଥା କହିଥିଲେ। ହେଲେ ସେମାନେ ଦେଉନାହାନ୍ତି। ସିକ୍ୟୁରିଟି ଜମା ବାବଦରେ ୨୧୧୭ କୋଟି ଟଙ୍କା ବକେୟା ପଡିଛି। ୨୦୧୧-୧୨ରୁ ବଣ୍ଟନ କଂପାନିମାନେ ଠିକ୍ ସମୟରେ ସେମାନଙ୍କର ଦେୟ ପୈଠ କରୁନାହାନ୍ତି। ଗତ ନଭେମ୍ବର ସୁଦ୍ଧା ଵେସ୍କୋ ୬୩୧ କୋଟି ୧୩ଲକ୍ଷ ଟଙ୍କା ବିଦ୍ୟୁତ କିଣା ବାବଦ ଅର୍ଥ ଦେଇନାହିଁ। ନେସ୍କୋ ୫୫୩ କୋଟି ୪୬ଲକ୍ଷ, ସାଉଥକୋ ୬୮୪କୋଟି ୩୩ଲକ୍ଷ, ସେସୁ ସର୍ବାଧିକ ୯୪୮ କୋଟି ୫୮ଲକ୍ଷ ଟଙ୍କା ନ ଦେବା କାରଣରୁ ସେମାନଙ୍କ ଉପରେ ଏ ସଂକ୍ରାନ୍ତ ବାକିର ପରିମାଣ ୨୮୧୭ କୋଟି ଟଙ୍କା ଛୁଇଁଲାଣି।

ଗ୍ରିଡକୋ ଆହୁରି ସାଂଘାତିକ ତଥ୍ୟ ଦେଇ କହିଛି ଯେ ୨୦୨୦-୨୧ ପାଇଁ ୨୫୦୦ କୋଟି ଟଙ୍କା ଋଣ କରାଯିବାକୁ ପ୍ରସ୍ତାବ ଦିଆଯାଇଛି। ଅନ୍ୟଥା ବିଦ୍ୟୁତ କିଣା ବାବଦ ଅର୍ଥ ଦେଇହେବ ନାହିଁ। ଗ୍ରିଡକୋର ବିତ୍ତୀୟ ନିଅଣ୍ଟ ପରିମାଣ ୧୬ ହଜାର ୯୧୦ କୋଟି ୫୦ଲକ୍ଷ ଛୁଇଁଲାଣି, ଯେଉଁଠାରେ ଏହାକୁ ଭରଣା କରିବା ପାଇଁ ୧୨ ହଜାର ୧୦୪ କୋଟି ଟଙ୍କା ଋଣ କରାଯାଇଛି।

ଅଧିକାରୀମାନେ କହିଛନ୍ତି, ଗ୍ରିଡ୍‌କୋ ଆର୍ଥିକ କ୍ଷତିର ଆକାର ଦେଖି ଖୋଲା ବଜାରରେ ଆଉ କେହି ଏହି ସ˚ସ୍ଥାକୁ ଋଣ ଦେବାକୁ ରାଜି ହେଉନାହାନ୍ତି। ଏଣୁ ରାଜ୍ୟ ସରକାର ଋଣ ବାବଦରେ ଗ୍ୟାରେଣ୍ଟି ପଡିବାକୁ ବାଧ୍ୟ ହେଉଛନ୍ତି।

ସମ୍ବନ୍ଧିତ ଖବର