ଅଙ୍ଗନବାଡ଼ି ଓ ଆଶାକର୍ମୀଙ୍କୁ ପିପିଇ ଦେବାକୁ ମାନବାଧିକାର କମିସନଙ୍କ ନିର୍ଦେଶ

ଭୁବନେଶ୍ବର : କରୋନା ଡ୍ୟୁଟିରେ ନିୟୋଜିତ ଅଙ୍ଗନବାଡ଼ି ଓ ଆଶାକର୍ମୀଙ୍କୁ ପିପିଇ ବା ବ୍ୟକ୍ତିଗତ ସୁରକ୍ଷା ଉପକରଣ ଯୋଗାଇଦେବା ଲାଗି ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର କମିସନ୍‌। ମାନବାଧିକାର କର୍ମୀ ପ୍ରଦୀପ୍ତ ନାୟକଙ୍କ ଏକ ଅନ୍‌ଲାଇନ୍‌ ପିଟିସନ୍‌ର ଶୁଣାଣି କରି କମିସନ୍‌ ଏହି ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ନାୟକ ପିଟିସନ୍‌ରେ ଦର୍ଶାଇଥିଲେ ଯେ ରାଜ୍ୟର ବିଭିନ୍ନ ସ୍ଥାନରେ କୋଭିଡ୍‌ ଡ୍ୟୁଟିରେ ନିୟୋଜିତ ଅଙ୍ଗନବାଡ଼ି ଓ ଆଶାକର୍ମୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କୋଭିଡ୍‌ରେ ଆଗଧାଡ଼ିରେ ରହିଥିବା ଯୋଦ୍ଧାମାନଙ୍କୁ ପିପିଇ କିଟ୍, ମାସ୍କ, ଗ୍ଲୋଭ୍‌ସ ଓ ସାନିଟାଇଜର୍‌ ଯୋଗାଇ ଦିଆଯିବାର ଆବଶ୍ୟକତା ରହିଛି ବୋଲି ସେ ଦର୍ଶାଇଛନ୍ତି। କମିସନ୍‌ ଏହି ଘଟଣାକୁ ଗୁରୁତ୍ବର ସହ ନେଇ କରୋନା ଯୋଦ୍ଧାମାନଙ୍କୁ ପିପିଇ ଓ ଅନ୍ୟ ଆବଶ୍ୟକ ଉପକରଣ ଯୋଗାଇଦେବା ଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସଂକ୍ରମିତ ବ୍ୟକ୍ତିମାନଙ୍କୁ ସରକାରଙ୍କ ପକ୍ଷରୁ ଯେଉଁ ମାଗଣା ଚିକିତ୍ସା ଦେବା ଲାଗି ଘୋଷଣା କରାଯାଇଛି, ତାହା ସୁନିଶ୍ଚିତ କରିବା ଲାଗି ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର