କଟକ : ରାଜ୍ୟର ସମସ୍ତ ଜିଲ୍ଲା ଜଜ୍‌, ନ୍ୟାୟିକ ଅଧିକାରୀ ଓ କୋର୍ଟ କର୍ମଚାରୀଙ୍କୁ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ କିଟ୍‌) ଯୋଗାଇ ଦେବାକୁ ଆଇନ୍‌ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗ ଓ ଗୃହ ବିଭାଗକୁ ଅନୁରୋଧ (ଚିଠି ନ˚ ୬୫୮୦, ତା ୧୫.୭୨୦) କରାଯାଇଛି। ପୂର୍ବରୁ ଏ ସ˚କ୍ରାନ୍ତରେ ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ପଠାଯାଇଥିବା ଚିଠି ମଧ୍ୟ ଏହାସହିତ ସଂଲଗ୍ନ କରାଯାଇଛି। ଜିଲ୍ଲା ଜଜ୍‌ମାନଙ୍କୁ ସେମାନଙ୍କ କ୍ଷମତା ପରିସରରେ ଥିବା ଜେଲ୍‌ଗୁଡ଼ିକୁ ଏବ˚ ଚାଇଲ୍ଡ କେୟାର ଇନ୍‌ଷ୍ଟିଚ୍ୟୁସନ (ସିସିଆଇ) ମାନଙ୍କୁ ସ୍ବତନ୍ତ୍ର ଭାବେ ପରିଦର୍ଶନରେ ଯିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ତାଙ୍କ ସାଙ୍ଗରେ ନ୍ୟାୟିକ ଅଧିକାରୀ ଓ କୋର୍ଟର କର୍ମଚାରୀମାନେ ମଧ୍ୟ ଯିବେ। କରୋନା ମହାମାରୀର ଭୟବହତାକୁ ଦୃଷ୍ଟିରେ ରଖି ସମସ୍ତ ନ୍ୟାୟିକ ଅଧିକାରୀ ଓ କର୍ମଚାରୀମାନଙ୍କ ପାଇଁ ମାସ୍କ, ସାନିଟାଇଜର, ସାବୁନ, ଗ୍ଲୋଭ୍‌ସ, ଆଇସୋଲେସନ୍‌ ଗାଉନ ଓ ସର୍ଜିକାଲ ସୁଟ୍‌ ପରିଧାନ କରିବାକୁ ହେବ। ତେଣୁ ଏସବୁକୁ ଯୋଗାଇ ଦେବା ପାଇଁ ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯାଇଥିଲା।

Advertisment

କେବଳ ପିପିଇ କିଟ୍‌ ନୁହେଁ, ପ୍ରତ୍ୟେକ କୋର୍ଟର ପ୍ରବେଶ ଓ ପ୍ରସ୍ଥାନ ସ୍ଥାନରେ ସ୍ବଚ୍ଛତା ଅବଲମ୍ବନ ପାଇଁ ଵାସ୍‌ ବେସିନ୍‌ ଲଗାଯିବା ଆବଶ୍ୟକ ଥିବା କୁହାଯାଇଥିଲା। ତେଣୁ ତୁରନ୍ତ ଏସବୁ ବ୍ୟବସ୍ଥା କରାଇବାକୁ ସରକାରଙ୍କୁ ଅନୁରୋଧ କରାଯାଇଥିଲା। ତାଲିକା ଅନୁଯାୟୀ, ୩୦ଟି ଜିଲ୍ଲାରେ ୧୭୬ କୋର୍ଟ କମ୍ପ୍ଲେକ୍ସ ରହିଛି। ଏଗୁଡ଼ିକରେ ୬୮୨ ନ୍ୟାୟିକ ଅଧିକାରୀ ଓ ୬୦୭୨ କର୍ମଚାରୀ କାର୍ଯ୍ୟରତ ଅଛନ୍ତି। ଏମାନଙ୍କ ମଧ୍ୟରୁ ରାଜ୍ୟର ସର୍ବାଧିକ କରୋନା ସ˚କ୍ରମିତ ଜିଲ୍ଲା ଗଞ୍ଜାମରେ ୧୭ଟି କୋର୍ଟ କମ୍ପ୍ଲେକ୍ସ ରହିଛି। ଏଥିସହ ସର୍ବାଧିକ ୫୧ ନ୍ୟାୟିକ ଅଧିକାରୀ ଓ ୪୦୦ କୋର୍ଟ କର୍ମଚାରୀ ରହିଛନ୍ତି। କଟକରେ ମଧ୍ୟ ୫୧ ଜଣ ନ୍ୟାୟିକ ଅଧିକାରୀ ଓ ୪୦୯ କର୍ମଚାରୀ ଅଛନ୍ତି। ଖୋର୍ଧାରେ ୫ଟି କୋର୍ଟ କମ୍ପ୍ଲେକ୍ସ ରହିଛି। ଏଗୁଡ଼ିକରେ ୪୭ ନ୍ୟାୟିକ ଅଧିକାରୀ ଓ ୪୬୯ କୋର୍ଟ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଯେହେତୁ ସ˚କ୍ରମଣ ସ˚ଖ୍ୟା ବଢିବାରେ ଲାଗିଛି, ରେଡ୍‌ ଜୋନ୍‌ ଜିଲ୍ଲାମାନଙ୍କରେ ନ୍ୟାୟିକ ଅଧିକାରୀଙ୍କୁ ପିପିଇ କିଟ୍‌ ବ୍ୟବହାର କରିବା ନିହାତି ଆବଶ୍ୟକ ହୋଇପଡ଼ିଛି ବୋଲି ପତ୍ରରେ ଦର୍ଶାଯାଇଛି।