ଅର୍ଡର ଦେଇ ବି ଔଷଧ ନିଗମ ନେଉନି ୭୧ ହଜାର ପିପିଇ କିଟ୍, ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲା ସଂସ୍ଥା

କଟକ : ୭୧ ହଜାର ପିପିଇ କିଟ୍ ପ୍ରସ୍ତୁତ କରି ସଂସ୍ଥା ବସିଛି। କିନ୍ତୁ ଏଥିପାଇଁ ଅର୍ଡର ଦେଇଥିବା ରାଜ୍ୟ ଔଷଧ ନିଗମ ଏବେ ତାହାକୁ ନେଉ ନାହିଁ। ଏଭଳି ସ୍ଥିତିରେ ତାମିଲନାଡୁର ଲଫ୍‌ଟି ଅପ୍ଟିକାଲ ଇଣ୍ଡଷ୍ଟ୍ରିଜ ସଂସ୍ଥା ଏବେ ନ୍ୟାୟ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ ସାବିତ୍ରୀ ରଥ ମାମଲାର ଶୁଣାଣି କରି ତଥ୍ୟ ରଖିବାକୁ ରାଜ୍ୟ ସରକାର ଓ ଔଷଧ ନିଗମକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍ ୩୦ ତାରିଖକୁ ଧାର୍ଯ୍ୟ କରାଯାଇଛି।

ସୂଚନାଯୋଗ୍ୟ ଯେ ମେ ଶେଷ ସପ୍ତାହରେ କୋଟି କୋଟି ଟଙ୍କାର ମାସ୍କ, ପିପିଇ କିଟ୍, ସାନିଟାଇଜର ଲଦା ହୋଇଥିବା ଟ୍ରକ୍ ଭୁବନେଶ୍ବର ରାସ୍ତା ଉପରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ଏହି ସବୁ ସାମଗ୍ରୀ ନେବା ପାଇଁ ଓଡ଼ିଶା ରାଜ୍ୟ ଔଷଧ ନିଗମ ଅର୍ଡର କରିଥିଲା। ମାତ୍ର ବାହାର ରାଜ୍ୟରୁ ଟ୍ରକରେ ସାମଗ୍ରୀ ପହଞ୍ଚିବା ପରେ ନିଗମ ଏହି ସବୁ ସାମଗ୍ରୀ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରି ନଥିଲା ବୋଲି ଅଭିଯୋଗ ହୋଇଥିଲା। ଫଳରେ ପିପିଇ କିଟ୍ ପ୍ରସ୍ତୁତ କରିଥିବା ଏହି ସଂସ୍ଥା ହାଇକୋର୍ଟଙ୍କ ଦ୍ବାରସ୍ଥ ହେବା ସହିତ ମାମଲାରେ ରାଜ୍ୟ ସରକାର, ଓଡ଼ିଶା ରାଜ୍ୟ ଔଷଧ ନିଗମକୁ ପକ୍ଷଭୁକ୍ତ କରିଛି।

ଓଡ଼ିଶା ରାଜ୍ୟ ଔଷଧ ନିଗମ ତାମିଲନାଡ଼ୁ ଓ ଉତ୍ତରପ୍ରଦେଶର ଦୁଇଟି କମ୍ପାନିକୁ ଏପ୍ରିଲ ୧୬ରେ ୧ ଲକ୍ଷ ଲେଖାଏ ପିପିଇ କିଟ୍ ଯୋଗାଣ ପାଇଁ ପର୍ଚେଜ୍ ଅର୍ଡର ଦେଇଥିଲା। ଗୋଟିଏ କମ୍ପାନିରୁ ପ୍ରତି ୟୁନିଟ ଦର ୯ଶହ ଟଙ୍କା ଓ ଅନ୍ୟ ଏକ ସଂସ୍ଥାରୁ ୧୦୫୩ ଟଙ୍କା ୮୬ ପଇସା ଦରରେ ପିପିଇ କିଟ୍ ୟୁନିଟ କିଣିବାକୁ ପର୍ଚେଜ୍ ଅର୍ଡର ଦିଆଯାଇଥିଲା। ନିଗମ ପକ୍ଷରୁ କୋଭିଡ ମୁକାବିଲା ପାଇଁ ଦୁଇଟି ଭିନ୍ନ ଭିନ୍ନ ଦରରେ ପିପିଇ କିଟ୍ କିଣାକୁ ନେଇ ବିବାଦ ଦେଖା ଦେଇଥିବା ବେଳେ ବାହାର ରାଜ୍ୟରୁ କରୋନା ମୁକାବିଲା ପାଇଁ ଉଦ୍ଦିଷ୍ଟ ସାମଗ୍ରୀ ଲଦା ହୋଇ ଆସିଥିବା ଟ୍ରକ ଭୁବନେଶ୍ବରରେ ଅଟକି ରହିବା ଚର୍ଚ୍ଚାର ବିଷୟ ହୋଇଥିଲା। ପରବର୍ତ୍ତୀ ସମୟ‌େର ଔଷଧ ନିଗମ ପିପିଇ କିଟ୍ ଡେଲିଭରି ନେବା ପାଇଁ ରାଜି ହୋଇଥିବା ବେଳେ କେତେ ପିପିଇ କିଟ୍ ମଗା ଯାଇଥିଲା ଓ କେତେ ଡେଲିଭରି ନେବା ପାଇଁ ନିଗମ ରାଜି ହୋଇଥିଲା ତାହା ସ୍ପଷ୍ଟ ହୋଇ ନଥିଲା। ନିର୍ଦ୍ଧାରିତ ସମୟରେ ଡେଲିଭରି ମିଳି ନଥିବାରୁ ଏହି ସବୁ ସାମଗ୍ରୀ ଗ୍ରହଣ କରାଯାଇ ନଥିଲା ବୋଲି ପରବର୍ତ୍ତୀ ସମୟରେ ନିଗମ ପକ୍ଷରୁ କୁହାଯାଇଥିଲା। କିନ୍ତୁ ଏବେ କଂପାନି ନ୍ୟାୟ ପାଇଁ ଅଦାଲତର ଦ୍ବାରସ୍ଥ ହେବା ଘଟଣାକୁ ନୂଆ ମୋଡ଼ ଦେଇଛି।

ସମ୍ବନ୍ଧିତ ଖବର