୩୮୧ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ବିଜ୍ଞପ୍ତିକୁ ବିରୋଧ: ଫଳାଫଳ ପ୍ରକାଶ ଉପରେ ହାଇକୋର୍ଟଙ୍କ ଅଙ୍କୁଶ

କଟକ,୨୭/୬(ଇମିସ) : ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ୩୮୧ଟି ଆସିଷ୍ଟାଣ୍ଟ ପ୍ରଫେସର ପଦବିରେ ନିଯୁକ୍ତି ପାଇଁ ପ୍ରକାଶିତ ବିଜ୍ଞପ୍ତି ବିରୋଧରେ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ଫଳାଫଳ ପ୍ରକାଶ ଉପରେ ଅନ୍ତରୀଣ ଅଙ୍କୁଶ ଜାରି କରିଛନ୍ତି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ନିଯୁକ୍ତି ପରୀକ୍ଷା କରିପାରିବ, କିନ୍ତୁ ଅଦାଲତଙ୍କ ବିନା ଅନୁମତିରେ ଫଳ ପ୍ରକାଶ କରାଯିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି। ଏଥିସହିତ, ଏ ସଂପର୍କିତ ସମସ୍ତ ମାମଲାର ଜୁଲାଇ ୪ରେ ଏକତ୍ର ଶୁଣାଣି କରିବାପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜ‌ଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଡାକ୍ତର ଏସ.ରଥ ଓ ଅନ୍ୟମାନଙ୍କ ତରଫରୁ ଦାୟର ପାଞ୍ଚଟି ମାମଲାର ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ୩୮୧ଟି ଆସିଷ୍ଟାଣ୍ଟ ପ୍ରଫେସର ପଦ ପୂରଣ ପାଇଁ ଓପିଏସ୍‌ସି ପକ୍ଷରୁ ଗତବର୍ଷ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଚୁକ୍ତିଭିତ୍ତିକ ନିଯୁକ୍ତି ପାଇ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟରତ ଥିବା ଆବେଦନକାରୀମାନେ ବିଜ୍ଞପ୍ତିକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆବେଦନରେ ଉଲ୍ଲେଖ କରାଯାଇଛି ଯେ ଓଡ଼ିଶା ମେଡିକାଲ ଏଜେୁକେସନ୍ ସର୍ଭିସ (ମେଥଡ ଅଫ୍ ରିକ୍ରୁଟମେଣ୍ଟ ଆଣ୍ଡ କଣ୍ଡିସନ୍ସ ଅଫ ସର୍ଭିସ), ରୁଲ୍ସ ୨୦୨୧ (ଓଏମଇଏସ ନିୟମାବଳୀ, ୨୦୨୧) ଜାରି ହେବା ପୂର୍ବର ଏହି ୩୮୧ ପଦବି ରହିଥିଲା। ୨୦୨୧ ନିୟମାବଳୀ ଆସିବା ପୂର୍ବରୁ ଏହି ପଦବି ସୃଷ୍ଟି ହୋଇଥିବାରୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଓଏମଇଏସ ନୟିମାବଳୀ ୨୦୦୯ ବା ଓଏମଇଏସ ନିୟମାବଳୀ ୨୦୧୩ ଅନୁସା‌େର ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହେବା କଥା। କିନ୍ତୁ ୨୦୨୧ ନିୟମାବଳୀ ଅନୁସାରେ ଓପିଏସସି ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ତିନି ବର୍ଷ ସିନିୟର ରେସିଡେଣ୍ଟସିପ୍ ଥିବା ବେଳେ ୨୦୨୧ ନିୟମାବଳୀ ଅନୁସାରେ ଏକ ବର୍ଷ ସିନିୟର ରେସିଡେଣ୍ଟସିପ୍ ଆବଶ୍ୟକ। ଏଭଳି ସ୍ଥିତିରେ ନୂଆ ନିୟମାବଳୀ ଅନୁସାରେ ନିଯୁକ୍ତି ପରୀକ୍ଷା ଦ୍ବାରା ଆବେଦନକାରୀମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର