ବିବାଦରେ ପିପିପି ପାଣି : ଖତ ଖାଇବ ୧୮୭ କୋଟିର ପ୍ରକଳ୍ପ, ପାଣି ନେବାକୁ ଆଇଆଇଟି, ନାଇଜର୍‌ ନାରାଜ

ଭୁବନେଶ୍ୱର : ପବ୍ଲିକ ପ୍ରାଇଭେଟ୍‌ ପାର୍ଟନରସିପ୍‌ (ପିପିପି) ବା ସରକାର-ଘରୋଇ ସହଭାଗିତାରେ ଭୁବନେଶ୍ୱର ଆଇଆଇଟି ଏବଂ ନାଇଜର୍‌କୁ ପାଇପ୍‌ ପାଣି ଯୋଗାଣ ପାଇଁ ରାଜିନାମା ସ୍ୱାକ୍ଷର ହେଲା। ଜଳ ଯୋଗାଣ କ୍ଷେତ୍ରରେ ଦେଶରେ ଏହା ଥିଲା ପ୍ରଥମ ପିପିପି ପ୍ରକଳ୍ପ। ୧୮୭କୋଟି ଟଙ୍କାର ଏହି ପ୍ରକଳ୍ପ କାମ ସଂପନ୍ନ ହୋଇଯାଇଛି। ଆଇଆଇଟି ଓ ନାଇଜର୍‌ କ୍ୟାମ୍ପସ ପର୍ଯ୍ୟନ୍ତ ପାଣି ପାଇପ୍‌ ବିଛା ସରିଛି। କିନ୍ତୁ ସେମାନେ ପାଣି ନେବାକୁ ନାରାଜ। ଏହି ଦୁଇଟି ସଂସ୍ଥା ଏବେ ପାଣି ଦରକାର ନାହିଁ କହି ପାଣି ସଂଯୋଗ ନେଉନଥିବା ବେଳେ ପାଣି ଯୋଗାଣ କରୁଥିବା ସଂସ୍ଥା ତିନି ମାସ ହେଲା ପାଣି ବିଲ୍‌ ଦେଇ ଚାଲିଛି। ପାଣିକୁ ନେଇ ଟଣାଓଟରା ଚାଲିଥିବାରୁ ଏହି ପ୍ରକଳ୍ପ ଏବେ ବିବାଦୀୟ ହୋଇଯାଇଛି। ଫଳରେ ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍‌ଘାଟନ କରିପାରୁନାହାନ୍ତି। ପ୍ରକଳ୍ପ ଉଦ୍‌ଘାଟନ ହୋଇପାରୁନଥିବାରୁ ଇଡ୍‌କୋ ବି ପ୍ରତିଶ୍ରୁତି ଅନୁଯାୟୀ ଯେଉଁ ସଂସ୍ଥାଗୁଡ଼ିକୁ ପାଣି ଯୋଗାଇବା କଥା ଦେଇପାରୁନି।

ଆଇଆଇଟି ଓ ନାଇଜର୍‌ କର୍ତ୍ତୃପକ୍ଷ କହିଛନ୍ତି ଯେ, ପାଣି ନେବା ପାଇଁ ଆମକୁ ଯେତିକି ଅର୍ଥ ଦେବାକୁ କୁହାଯାଉଛି ଆମେ ସେତିକି ଦେଇପାରିବୁ ନାହିଁ। ଏବେ ଆବଶ୍ୟକତା ଠାରୁ ଅଧିକ ପାଣି ଦେବାକୁ ଘରୋଇ ସଂସ୍ଥା କହୁଥିବାବେଳେ ଆମେ ସେତିକି ପାଣି ନେବୁନି ବୋଲି କହୁଛୁ। ଭବିଷ୍ୟତରେ ଆବଶ୍ୟକ ହେଲେ ପାଣି ନେବୁ। କିନ୍ତୁ ଏବେ ଆମକୁ ପ୍ରାୟ ୨କୋଟି ଟଙ୍କାର ବ୍ୟାଙ୍କ ଗ୍ୟାରେଣ୍ଟି ସହ ମାସକୁ ପ୍ରାୟ ୩୦ଲକ୍ଷରୁ ଅଧିକ ଟଙ୍କାର ବିଲ୍‌ ଦେବାକୁ କୁହାଯାଉଛି। ଯାହା ଏବେ ଦେବା ସମ୍ଭବ ନୁହେଁ।

ନାଇଜର୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏବେ ନାଇଜର୍‌ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନଥିବାବେଳେ ୧୨୦୦ ଛାତ୍ରଛାତ୍ରୀ, ୨୦୦ କର୍ମଚାରୀ ଓ ୪୦୦ ଆଇଆଇଟି ଛାତ୍ରଛାତ୍ରୀ ହଷ୍ଟେଲରେ ରହୁଛନ୍ତି। ଏଥିପାଇଁ ୦.୭ଏମ୍‌ଏଲ୍‌ଡି ପାଣି ଦରକାର ପଡ଼ୁଛି। କିନ୍ତୁ ଘରୋଇ ସଂସ୍ଥା ଆମକୁ ଦୈନିକ ୪.୫ ଏମ୍‌ଏଲ୍‌ଡି ପାଣି ନେବାକୁ କହୁଛି ଓ ଏଥିପାଇଁ ମାସକୁ ପ୍ରାୟ ୩୧ଲକ୍ଷ ଟଙ୍କାର ବିଲ୍‌ ପଠାଉଛି। ଆମେ ପାଣି ସଂଯୋଗ ନେଇନଥିବାବେଳେ ଆମକୁ ତିନି ମାସ ହେଲା ପାଣି ବିଲ୍‌ ଦିଆଯାଉଛି। ଆଉ ୬ମାସର ପାଣି ବିଲ୍‌ର ଦେୟ ସିକ୍ୟୁରିଟି ଆକାରରେ ଜମା କରିବାକୁ କୁହାଯାଇଛି। ନାଇଜର୍‌ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବାକୁ ଆଉ ୫ବର୍ଷ ଲାଗିବ। ତେଣୁ ସେତେବେଳେକୁ ଆମେ ୪.୫ଏମ୍‌ଏଲ୍‌ଡି ପାଣି ନେବୁ। ଏବେ ପାଣି ନେଇ କ’ଣ କ୍ୟାମ୍ପସ ଭସାଇବୁ ବୋଲି ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି।

ନାଇଜର୍‌ କର୍ତ୍ତୃପକ୍ଷ ଆହୁରି ଯୁକ୍ତି ବାଢ଼ିଛନ୍ତି ଯେ, ଆମେ ଜନସ୍ୱାସ୍ଥ୍ୟ ବିଭାଗକୁ ୯୬.୯୫ଲକ୍ଷ ଟଙ୍କା ଦେଇ କ୍ୟାମ୍ପସରେ ଅସ୍ଥାୟୀ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିଛୁ। ଏଥିରୁ ଯେତିକି ପାଣି ଆସୁଛି ସେଥିରେ ଆସନ୍ତା ତିନିରୁ ୪ବର୍ଷ ପର୍ଯ୍ୟନ୍ତ ଅଧିକ ପାଣି ଆବଶ୍ୟକ ନାହିଁ। ତେଣୁ ଆମେ ଏବେ ପାଣି ନେବା ପାଇଁ ଅଧିକ ଅର୍ଥ ଦେବୁନି। ନାଇଜର୍‌ର ଆସନ୍ତା ବୋର୍ଡ ଅଫ୍‌ ଗଭର୍ଣ୍ଣରସ୍‌ ବୈଠକରେ ଯାହା ନିଷ୍ପତ୍ତି ନିଆଯିବ ତାହା କରିବୁ।

ସେହିପରି ଆଇଆଇଟି, ଭୁବନେଶ୍ୱର କର୍ତ୍ତୃପକ୍ଷ କହିଛନ୍ତି ଯେ, ଏବେ ଆମର ପୂର୍ଣ୍ଣାଙ୍ଗ କ୍ୟାମ୍ପସ ଆରମ୍ଭ ହୋଇନଥିବାବେଳେ ଦୈନିକ ୦.୫ଏମ୍‌ଏଲ୍‌ଡି ପାଣି ଆବଶ୍ୟକ ହେଉଛି। କିନ୍ତୁ ଆମକୁ ୫ଏମ୍‌ଏଲ୍‌ଡି ପାଣି ନେବାକୁ କୁହାଯାଉଛି। ଆବଶ୍ୟକତା ଠାରୁ ୧୦ଗୁଣା ପାଣି ନେବାକୁ କହୁଥିବାରୁ ଆମେ ପାଣି ନେଉନୁ। ପାଣି ଯୋଗାଣ ପୂର୍ବରୁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯେଉଁ ଅସ୍ଥାୟୀ ବ୍ୟବସ୍ଥା ହୋଇଥିଲା ସେଥିରୁ ଆମକୁ ଆବଶ୍ୟକ ପାଣି ମିଳୁଛି। ଆସନ୍ତା ୫ବର୍ଷ ପରେ ଯାଇ ୫ଏମ୍‌ଏଲ୍‌ଡି ପାଣି ଆବଶ୍ୟକ ପଡ଼ିବ। ତେଣୁ ଆମେ ଏବେ ପାଣି ନେବୁନି ବୋଲି କହିଛୁ। କିନ୍ତୁ ଆମକୁ ମାସକୁ ପ୍ରାୟ ୩୫ଲକ୍ଷ ଟଙ୍କାର ପାଣି ବିଲ୍‌ ଦିଆଯାଉଛି। ଏହାସହ ୬ମାସର ପାଣି ବିଲ୍‌ର ଦେୟ ସିକ୍ୟୁରିଟି ଆକାରରେ ଜମା କରିବାକୁ କୁହାଯାଇଛି। ମାନବସମ୍ବଳ ମନ୍ତ୍ରଣାଳୟ ସହ ଆଲୋଚନା କରିବା ପରେ ଯାହା ନିଷ୍ପତ୍ତି ନିଆଯିବ।

ଅପରପକ୍ଷେ ଜନସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଆଇଆଇଟି ଓ ନାଇଜର୍‌କୁ ପାଣି ଯୋଗାଣ ପାଇଁ ଘରୋଇ ସଂସ୍ଥା ସହ ତ୍ରିପାକ୍ଷିକ ଚୁକ୍ତି ସ୍ୱାକ୍ଷର ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ପାଣି ଯୋଗାଣ କରିବାକୁ ଥିବା ସଂସ୍ଥା, ପାଣି ନେବାକୁ ସଂସ୍ଥା ଏବଂ ସରକାରଙ୍କ ପକ୍ଷରୁ ଜନସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷର ହୋଇଛି। ଆଇଆଇଟି ଓ ନାଇଜର୍‌ କର୍ତ୍ତୃପକ୍ଷ ଯେତିକି ପାଣି ଆବଶ୍ୟକ ବୋଲି କହିଲେ ସେହି ଅନୁଯାୟୀ ଚୁକ୍ତି ପତ୍ର ପ୍ରସ୍ତୁତ ହୋଇଥିଲା। ଏଥିରେ ସର୍ତ୍ତ ରହିଛି ଯେ, ପ୍ରକଳ୍ପ ଶେଷ ହେବା ପରେ ଆଇଆଇଟି , ନାଇଜର୍‌ କର୍ତ୍ତୃପକ୍ଷ ପ୍ରକଳ୍ପ ଶେଷ ହେବା ପରେ ପାଣି ନିଅନ୍ତୁ କି ନ ନିଅନ୍ତୁ ପାଣି ବିଲ୍‌ ଦେବେ। ୨୩ବର୍ଷ ପର୍ଯ୍ୟନ୍ତ ମାସକୁ କେତେ ଟଙ୍କା ଦେବେ ସେଥିରେ ଉଲ୍ଲେଖ କରାଯାଇଛି। ପ୍ରକଳ୍ପ ଜୁନ୍‌ ମାସରେ ଶେଷ ହେବା ପରେ ସେମାନଙ୍କ ପାଣି ଟାଙ୍କି ନିକଟରେ ପାଇପ୍‌ ପହଞ୍ଚାଇ ଦିଆଯାଇଛି। କିନ୍ତୁ ସେମାନେ ପାଣି ସଂଯୋଗ ନେଉନାହାନ୍ତି। ହେଲେ ଏଥିପାଇଁ ଘରୋଇ ସଂସ୍ଥା ଦାୟୀ ନୁହେଁ। ଚୁକ୍ତି ଅନୁଯାୟୀ ସିକ୍ୟୁରିଟି ଅର୍ଥ ଜମା କରିବାକୁ କୁହାଯାଇଛି ଏବଂ ମାସିକ ବିଲ୍‌ ପଠାଯାଉଛି। ଏବେ ଦୁଇଟି ସଂସ୍ଥା ବିଲ୍‌ ପୈଠ କରୁନଥିବାରୁ ଘରୋଇ ସଂସ୍ଥା ଆମ ନିକଟରେ ଅଭିଯୋଗ କରିଛି। ଆମେ ମଧ୍ୟ ଦୁଇଟି ସଂସ୍ଥାକୁ ରିମାଇଣ୍ଡର ଦେଇଛୁ। ଏହାପରେ ଯଦି ସେମାନେ ଆବଶ୍ୟକୀୟ ଅର୍ଥ ପୈଠ ନକରିବେ ଘରୋଇ ସଂସ୍ଥା ଆଇନ ଅନୁଯାୟୀ ଯାହା ପଦକ୍ଷେପ ନେବ।

ଦୁଇଟି ସଂସ୍ଥା ମଧ୍ୟରୁ ଗୋଟିଏ ସଂସ୍ଥାର ଜନୈକ ଅଧିକାରୀ କହିଛନ୍ତି ଯେ, ଆମେ ଚୁକ୍ତି ପତ୍ର ପଢ଼ିନଥିଲୁ। ହଠାତ୍‌ ଆମକୁ ଡାକିଲେ ଚୁକ୍ତି କରିବାକୁ ଆମେ ଚୁକ୍ତି କରିଦେଲୁ। ସେଥିରେ ଯାହା ନିୟମ ରହିଛି ତାହା ଆମେ ମାନିବାକୁ ବାଧ୍ୟ ନୁହେଁ।

ସୂଚନାଯୋଗ୍ୟ ଯେ, ଏହି ପ୍ରକଳ୍ପ ପ୍ରଥମେ ରାଜ୍ୟ ସରକାର କରିବାକୁ ଥିବାବେଳେ ଏଥିପାଇଁ ୧୩୨କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ ହୋଇଥିଲା। ଏଥିରେ ଯେଉଁ ସଂସ୍ଥାମାନେ ପାଣି ନେବାକୁ ଥିଲେ ସେମାନେ କେତେ ଟଙ୍କା ଦେବେ ତାହା ସ୍ଥିର ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ପିପିପି ମୋଡରେ କରିବାକୁ ସ୍ଥିର ହେବାରୁ ଏହା ୧୮୭କୋଟିରେ ପହଞ୍ଚିଥିଲା। ଏହି ପ୍ରକଳ୍ପ ଯେପରି ସଫଳ ହେବ ସେଥିପାଇଁ କେନ୍ଦ୍ର ସରକାର ୩୭.୫କୋଟି ଏବଂ ରାଜ୍ୟ ସରକାର ୧୨.୫କୋଟି ଟଙ୍କା ସହାୟତା ଯୋଗାଇଛନ୍ତି। ଯେଉଁମାନେ ପାଣି ବ୍ୟବହାର କରିବେ ସେମାନେ ଲିଟର ପିଛା କେତେ ଟଙ୍କା ଦେବେ ତାହା ସ୍ଥିର ହୋଇଛି।

ସମ୍ବନ୍ଧିତ ଖବର