କରୋନା ମୁକାବିଲା ପାଇଁ ଆୟୁଷ ଔଷଧକୁ ଅନୁମୋଦନ, ନିର୍ଦେଶନାମା ଜାରି କଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କୋଭିଡ-୧୯ ପଜିଟିଭ୍ ବଢ଼ି ଚାଲିଥିବା ବେଳେ ଏହାର ପ୍ରତିଷେଧକ ବ୍ୟବସ୍ଥା ଭାବେ ଆୟୁଷ ଔଷଧ ବ୍ୟବହାର କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ଏହାକୁ ଅନୁମୋଦନ ଦେଇଥିବା ବେଳେ ରାଜ୍ୟ ସରକାର ନିର୍ଦେଶନାମା ଜରିଆରେ ଆୟୁର୍ବେଦିକ, ହୋମିଓପ୍ୟାଥିକ ଓ ସିଦ୍ଧରେ ଯେଉଁସବୁ ଔଷଧ ରହିଛି, ସେସବୁକୁ କରୋନା ମୁକାବିଲା ଓ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇପାରିବ ବୋଲି କହିଛନ୍ତି। ଏ ନେଇ ସବୁ ଜିଲ୍ଲା ଆୟୁର୍ବେଦିକ ଓ ଜିଲ୍ଲା ହୋମିଓପ୍ୟାଥିକ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ତେଣୁ ଏସବୁ ଔଷଧ ପିଏଚ୍‌ସି ଓ ସିଏଚ୍‌ସି ସ୍ତରରେ ଲୋକମାନେ କିଭଳି ପାଇପାରିବେ ତାହା ଉପରେ ଗୁରୁତ୍ବ ଦେବାକୁ ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି। କରୋନା ମୁକାବିଲା ପାଇଁ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଆୟୁଷରେ ଯେଉଁସବୁ ଔଷଧ ରହିଛି ସେସବୁକୁ ପ୍ରତିଷେଧକ ବ୍ୟବସ୍ଥା ଭାବେ ଗ୍ରହଣ କରିବା ପାଇଁ ନିର୍ଦେଶାବଳି ଜାରି କରିଥିଲେ। ପରବର୍ତୀ ସମୟରେ ଗୁଜୁରାଟ, ମଧ୍ୟପ୍ରଦେଶ, ହରିୟାନା, ଗୋଆ, କେରଳ, ରାଜସ୍ଥାନ ଓ ଦିଲ୍ଲୀ ସରକାର ପୂର୍ବରୁ ଆୟୁଷ ଔଷଧ କରୋନା ମୁକାବିଲା ପାଇଁ ବ୍ୟବହାର ଆରମ୍ଭ କରି ଦେଇଛନ୍ତି। ତେବେ ରାଜ୍ୟ ସରକାର ଗତମାସ ୩୦ ତାରିଖରେ ଆୟୁଷରେ ଉପଲବ୍ଧ ଔଷଧକୁ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ବଢ଼ାଇବା ଓ ନିଶ୍ବାସ ପ୍ରଶ୍ବାସରେ ସମସ୍ୟାକୁ ଦୂର କରିବାରେ ବ୍ୟବହାର କରାଯାଇ ପାରିବ ବୋଲି ଉଲ୍ଲେଖ କରିଛନ୍ତି। ମାତ୍ର ଏଥିପାଇଁ କୌଣସି ପ୍ରୋଟୋକଲ ଜାରି କରାଯାଇ ନ ଥିବାରୁ ଚିକିତ୍ସକମାନେ ଦ୍ବନ୍ଦ୍ବରେ ପଡ଼ିଛନ୍ତି।

କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଆୟୁଷ-୬୪କୁ ଦିନକୁ ୨ଥର, ଅଗସ୍ଥ୍ୟ ହୀରତାକି(୫ ଗ୍ରାମ) ଗରମ ପାଣିରେ ଦିନକୁ ଦୁଇଥର, ଅନୁତୈଳ/ଗୁଡ଼ୁଚି ତୈଳ ୨ ଠୋପା ସକାଳେ ନାକରେ ପକାଇବା ପାଇଁ କୁହାଯାଇଛି। ସେହିପରି ହୋମିଓପ୍ୟାଥିରେ ଆର୍ସେନିକ ଆଲବମ, ବ୍ରିନୋଆ ଆଲବା, ରସ ଟକ୍ସିକୋ ଡେଣ୍ଡ୍ରନ୍ ଭଳି ଔଷଧକୁ ମନ୍ତ୍ରଣାଳୟ ଅନୁମତି ଦେଇଛି। ସିଦ୍ଧରେ ନୀଳଭେମ୍ବୁ କୁଦିନିର/କାବା ସୁର କିଡିନିର ୬୦ ମି.ଲି ଦିନକୁ ଦୁଇ ଥର, ଆଡାଥୋଡାଇ ମାନାପଗୁ ସିରପ୍(୧୦ମିଲି) ଦିନକୁ ଦୁଇ ଥର ଖାଇପାରିବେ। ମାତ୍ର ଡାକ୍ତରଙ୍କ ବିନା ପରାମର୍ଶରେ ଏ ସବୁକୁ ନ ଖାଇବା ଲାଗି ଲୋକମାନଙ୍କୁ କୁହାଯାଇଛି। ବିଶେଷଜ୍ଞଙ୍କ କହିବା କଥା, ରାଜ୍ୟ ସରକାର ଏସବୁ ଔଷଧ କିଭଳି ଢଙ୍ଗରେ ଲୋକଙ୍କୁ ଦିଆଯିବ ସେଥିଲାଗି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରନ୍ତୁ। ତହିଁରେ ରାଜ୍ୟର ପ୍ରମୁଖ ସରକାରୀ ଆୟୁର୍ବେଦିକ/ହୋମିଓପ୍ୟାଥିକ କଲେଜର ଅଧ୍ୟକ୍ଷ, ବିଶେଷଜ୍ଞ ଡାକ୍ତର ଓ କିଛି ଅବସରପ୍ରାପ୍ତ ବିଶେଷଜ୍ଞଙ୍କୁ ସାମିଲ କରନ୍ତୁ। ଜିଲ୍ଲା ପ୍ରଶାସନ ସହିତ ବିଶେଷଜ୍ଞମାନଙ୍କୁ ସାମିଲ କରି ଗୋଟିଏ ୟୁନିଟ୍ ଗଠନ କରାଯାଉ। ଯାହାଫଳରେ ସଂପୃକ୍ତ ଜିଲ୍ଲାରେ ଲୋକମାନଙ୍କୁ ଆୟୁଷ ଔଷଧର ବିତରଣ ଓ ପରୀକ୍ଷଣକୁ ଏହି ୟୁନିଟ୍ ତଦାରଖ କରିପାରିବ। ଅନ୍ୟ ରାଜ୍ୟରେ ‘ଆୟୁର କିଟ୍‌’ ନାଁରେ କିଛି ଆୟୁଷ ଔଷଧକୁ ଲୋକମାନଙ୍କୁ ପ୍ରଦାନ କରିବାର ବ୍ୟବସ୍ଥା କରାଯାଉଛି। ତେଣୁ ଓଡ଼ିଶାରେ ମଧ୍ୟ ସମାନ ଢଙ୍ଗରେ ଔଷଧର ବିତରଣ ପାଇଁ ଆୟୁଷ ନିର୍ଦେଶାଳୟ ପକ୍ଷରୁ ଜୋନ୍ ଅନୁଯାୟୀ ରାଜ୍ୟକୁ ବିଭକ୍ତ କରି ଏହାର ବ୍ୟବସ୍ଥା କରାଯାଉ ବୋଲି ବିଶେଷଜ୍ଞମାନେ ପ୍ରସ୍ତାବ ଦେଇଛନ୍ତି।

ସେମାନଙ୍କ ମତରେ କରୋନା ମୁକାବିଲା ପାଇଁ ଆୟୁର୍ବେଦିକ ଓ ହୋମିଓପ୍ୟାଥିକରେ ଅନେକ ଔଷଧ ରହିଛି। ଏଥିପାଇଁ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ମଧ୍ୟ ଆୟୁଷ ଔଷଧକୁ ଅନୁମୋଦନ ଦେଇଛି। ଅନେକ ରାଜ୍ୟ ମଧ୍ୟ ଆୟୁଷ ଔଷଧର ବ୍ୟବହାର ଆରମ୍ଭ କରି ସାରିଛନ୍ତି। ଜାତୀୟ ଆୟୁଷ ମିସନ୍‌ (ନାମ୍) ଜରିଆରେ କେନ୍ଦ୍ର ସରକାର ଔଷଧ କିଣିବା ଲାଗି ଟଙ୍କା ଦେଇଛି। ତେଣୁ ରାଜ୍ୟ ସରକାର ରାଜ୍ୟ ଔଷଧ ନିଗମ ଜରିଆରେ ଔଷଧ କିଣି ଲୋକମାନଙ୍କୁ ଯୋଗାଇ ଦିଅନ୍ତୁ। ଫଳରେ ଲୋକମାନେ ଆୟୁଷର ଫାଇଦା ପାଇପାରିବେ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ସମ୍ବନ୍ଧିତ ଖବର