ରାୟଗଡ଼ା: ଆମେରିକା ତୁଳନାରେ ଭାରତର ଲକଡାଉନ୍ ପଦକ୍ଷେପ ବହୁତ ଭଲ। ଆଗୁଆ ସତର୍କତା ଭାରତକୁ କରୋନା ମୁକାବିଲା ଦିଗରେ ଭଲ ସ୍ଥିତିରେ ରଖିଛି। କିନ୍ତୁ ବିକଶିତ ଦେଶ ଆମେରିକାରେ ବିଳମ୍ବ ନିଷ୍ପତ୍ତି ଯୋଗୁ ସ୍ଥିତି ଅଣାୟତ୍ତ। ବହୁ ଅଞ୍ଚଳରେ ୬ ସପ୍ତାହ ଧରି ଲୋକ ବାହାରକୁ ବାହାରିନଥିବା ବେଳେ କିଛି ରାଜ୍ୟରେ ଲୋକ ସମୁଦ୍ରକୂଳ ଯାଇ ମଉଜ ମଜିଲିସ୍ କରୁଛନ୍ତି। ପ୍ରବାସୀ ଓଡ଼ିଆ ଭାବେ ଆମେରିକାର ୱାସିଂଟନ୍ ନିକଟ ସିଆଟେଲର ସଫଟୱେୟାର୍ କଂପାନିରେ କାର୍ଯ୍ୟରତ ଗୁଣପୁରର ବ୍ରଜ ସୁନ୍ଦର ରଥ ଏହା କହିଛନ୍ତି।
୧୨ ବର୍ଷ ହେଲା ସିଆଟେଲରେ ନିଜ ପରିବାର ସହ ରହୁଛନ୍ତି ବ୍ରଜ ସୁନ୍ଦର ରଥ। ବ୍ରଜ ସୁନ୍ଦର ୱିପ୍ରୋ କଂପାନିରେ ଏବଂ ପତ୍ନୀ ବନାନି ରଥ ମାଇକ୍ରୋସଫଟ୍ କଂପାନିରେ କାର୍ଯ୍ୟରତ। ୧୦ ବର୍ଷର ଝିଅ ବରୁଣି ରଥ ୫ମ ଷ୍ଟାଣ୍ଡାର୍ଡରେ ପାଠ ପଢ଼ୁଛି। ଗତ ୧୨ ବର୍ଷ ମଧ୍ୟରେ ଆମେରିକାରେ ଏପରି ସ୍ଥିତି ଦେଖିନଥିବା କହିଛନ୍ତି ବ୍ରଜ ସୁନ୍ଦର। ବହୁ ଘଟଣାକୁ ପ୍ରତିହତ କରିଥିବା ଆମେରିକା କରୋନା ମୁକାବିଲାରେ ଅସହାୟ ହୋଇ ପଡ଼ିଛି। ପ୍ରକୃତିର ସୁରକ୍ଷା ନ କରାଗଲେ ବିପଦ ଅବଶ୍ୟମ୍ଭାବୀ ଏକଥା କରୋନା ସୂଚାଇ ଦେଇଛି। ଯାହାକୁ ବିଶ୍ବବାସୀ ହୃଦୟଙ୍ଗମ କରିବାର ଆବଶ୍ୟକତା ରହିଛି। ଜାନୁଆରୀ ୨ ତାରିଖରେ ଆମେରିକାର କର୍କଲେଣ୍ଟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେଲା। ହେଲେ ଲକଡାଉନ୍ ମାର୍ଚ୍ଚ ପ୍ରଥମ ସପ୍ତାହରେ କାର୍ଯ୍ୟକାରୀ କରାଗଲା। ତାହା ବି କିଛି ଅଞ୍ଚଳରେ। ଦେଶର ବହୁ ଅଞ୍ଚଳରେ ଲୋକ ଲକଡାଉନକୁ ନ ମାନି ସମୁଦ୍ରକୂଳ, ହୋଟେଲ୍, ଫଙ୍କସନରେ ଯୋଗ ଦେବା କାରଣରୁ ଗୋଷ୍ଠୀ ସଂକ୍ରମଣ ବୃଦ୍ଧି ପାଇଲା।
ଗତ ୬ ସପ୍ତାହ ହେଲା ସିଆଟେଲ୍ ସହରକୁ ସିଲ୍ କରାଯାଇଛି। ସଂଧ୍ୟାରେ ନିଜ ଆପାର୍ଟମେଣ୍ଟ ଅଞ୍ଚଳରେ କେବଳ ଚାଲିବାକୁ ଅନୁମତି ମିଳୁଛି। ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ଅନଲାଇନରେ ଅର୍ଡର କଲେ ୪/୫ ଦିନରେ ମିଳୁଛି। ଅଫିସ୍ କାମ ଘର ଭିତରୁ ର୍ହି ସଂପାଦନ କରିବାକୁ ପଡ଼ୁଛି। ସକାଳ ୭ରୁ ରାତି ୧୧ଟା ପର୍ଯ୍ୟନ୍ତ ଅନଲାଇନରେ ଭାରତରେ ଥିବା ଟିମ୍ ସହ କାମ କରୁଛନ୍ତି ବ୍ରଜ ସୁନ୍ଦର। ହାଇଦ୍ରାବାଦସ୍ଥିତ ମାଇକ୍ରୋସଫଟ୍ କଂପାନିର ୬ଟି ଟିମକୁ ବ୍ରଜ ସୁନ୍ଦର ଗାଇଡ୍ କରୁଛନ୍ତି। କରୋନା ଯୋଗୁ ଅନଲାଇନରେ କାମ କରିବାର ନୂଆ ସୁଯୋଗ ସୃଷ୍ଟି ହୋଇଥିଲେ ସୁଦ୍ଧା ପୂର୍ବ ଭଳି କାର୍ଯ୍ୟ ହୋଇପାରୁନି।
ଟିମରେ ଥିବା ସଦସ୍ୟ ନିଜ ନିଜ ଘରେ କାମ କରୁଥିବାରୁ ଏହି ସମସ୍ୟା ଉପୁଜିଛି। ଆଗାମୀ ଆଇଟି ଜଗତ ଏହା ଦ୍ବାରା ପ୍ରଭାବିତ ହେବ। ପତ୍ନୀ ବନାନି ବି ଅନଲାଇନରେ ଅଫିସ୍ କାମ କରୁଥିବା ବେଳେ ଝିଅ ବରୁଣିର ପାଠ ପଢ଼ା ଭିଡ଼ିଓ କନଫରେନସିଂରେ ଚାଲିଛି। ଥକା ମେଣ୍ଟାଇବାକୁ ବାହାରକୁ ଯିବାର ସୁଯୋଗ ନଥିବାରୁ ଯୋଗ, ଶାରୀରିକ ବ୍ୟାୟମ କରି ମନକୁ ସୁସ୍ଥ ରଖୁଥିବା କହିଛନ୍ତି ବ୍ରଜ ସୁନ୍ଦର। ସେହିପରି ଝିଅ ବରୁଣିକୁ ପାଠପଢ଼ା ପରେ ଚିତ୍ର କରିବାକୁ ଉତ୍ସାହିତ କରୁଛନ୍ତି ବ୍ରଜ ସୁନ୍ଦର। ୨୦୧୬ରେ ଶେଷ ଥର ବ୍ରଜସୁନ୍ଦର ଓଡ଼ିଶା ଆସିଥିଲେ। ବାପା, ମାଆ, ଭାଇ, ଭଉଣୀଙ୍କ ସମେତ ସମସ୍ତ ସଂପର୍କୀୟ ଗୁଣପୁରରେ ରହୁଥିବାରୁ ଚଳିତ ଜୁଲାଇରେ ଛୁଟିରେ ଘରକୁ ଆସିବାକୁ ଯୋଜନା କରିଥିଲେ।
(ଆମେରିକାର ୱାସିଂଟନ୍ ନିକଟ ସିଆଟେଲରେ ରହୁଥିବା ଗୁଣପୁର ବ୍ରଜସୁନ୍ଦରଙ୍କ ସହ କଥା ହୋଇଥିଲେ ରାୟଗଡ଼ା ଜିଲ୍ଲା ପ୍ରତିନିଧି ନବୀନ ଚନ୍ଦ୍ର ସାହୁ)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/a4bb4f57-d53b-4e9a-aba2-57a2d5ca7e75.jpg)