ଗାଁରେ କାମ ଧନ୍ଦା ପାଇଲେ ନାହିଁ, ରାଜ୍ୟ ବାହାରକୁ ଲେଉଟିବା ଆରମ୍ଭ କଲେଣି ପ୍ରବାସୀ ଓଡ଼ିଆ

ବୌଦ୍ଧ: କରୋନା ଭୁତାଣୁ ସଂକ୍ରମଣ ଦିନକୁ ଦିନ ଆହୁରି ଜଟିଳ ପରିସ୍ଥିତି ସୃଷ୍ଟି କରୁଥିବା ବେଳେ ଭିଟାମାଟିକୁ ଫେରିଆସିଥିବା ପ୍ରବାସୀ ଓଡ଼ିଆ ବା ଦାଦନ ଶ୍ରମିକ ପୁଣି ଥରେ ରାଜ୍ୟ ବାହାରକୁ ଫେରିବା ଆରମ୍ଭ କରିଦେଇଛନ୍ତି। ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ୍ ଅଂଚଳରୁ ଶନିବାର ତାମିଲନାଡୁରୁ ଆସିଥିବା ଏକ ବସ ନମ୍ବର ଟିଏନ ୩୦ ଏଇ-୪୩୪୭ରେ ଫେରୁଥିବା ଜଣାପଡିଛି। ଜିଲ୍ଲାର କଣ୍ଟାମାଳ ନିର୍ବାଚନ ମଣ୍ଡଳିର ୧ ନଂ ଜୋନ ଅଂଚଳର ତାଲବେଡା, ରେଘାମୁଣ୍ଡା, କୁଡିବାହାଲି ଗାଁରୁ ପ୍ରାୟ ୩୨ ଜଣ ଶ୍ରମିକ ଏକ ବସରେ ବାହାର ରାଜ୍ୟକୁ କାମ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ବୌଦ୍ଧ ବ୍ଲକ୍ ବାଉଁଶୁଣି ଅଂଚଳରୁ ମଧ୍ୟ ବାହାରୁ ଆସିଥିବା ଘରୋଇ ବସରେ ପ୍ରବାସି ଓଡିଆମାନେ ଫେରୁଥିବା ଜଣାପଡିଛି। ମାତ୍ର ଏସମ୍ପର୍କରେ ଜିଲ୍ଲା କିମ୍ବା ବ୍ଲକ୍ ପ୍ରଶାସନ ପାଖରେ ସୂଚନା ନଥିବା ବେଳେ ଜିଲ୍ଲା ଶ୍ରମ ବିଭାଗର ମଧ୍ୟ ଦୃଷ୍ଟି ନାହିଁ। କରୋନ ଭୁତାଣୁ ଯୋଗୁଁ ସରକାର ଦେଶ ବ୍ୟାପି ଲକଡାଉନ ଘୋଷଣା କଲେ। ସେମାନେ କାମ କରୁଥିବା ବାହାର ରାଜ୍ୟର ଶିଳ୍ପାନୁଷ୍ଠାନ ଗୁଡିକ ବନ୍ଦ ହୋଇଯିବାରୁ କାମ ଧନ୍ଦା ନପାଇ ଭୋକ ଉପାଶରେ ରହିବାକୁ ପଡିଥିଲା। ଜୀବନ ବିକଳରେ ଗାଁକୁ ଫେରିଥଲେ। ମାତ୍ର ଗତ ମାର୍ଚ୍ଚ ମାସରୁ ପାଞ୍ଚ ମାସ କାଳ ଗାଁରେ କିମ୍ବା ଜିଲ୍ଲାରେ କୌଣସି କାମ ନପାଇ ହାତ ବାନ୍ଧି ଘରେ ବସି ରହିଲେ। ପରିବାର ପ୍ରତିପୋଷଣ କରିବା ପୁଣି ମୁସ୍କିଲ ହୋଇପଡିବାରୁ ସେମାନେ କରୋନା ଭୁତାଣୁ ସଂକ୍ରମଣକୁ ଖାତିର ନକରି କର୍ମ ଅନ୍ୱେଷଣରେ ଫେରିଯାଉଥିବା ପ୍ରକାଶ କରୁଛନ୍ତି।

ସାରା ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ କଟକଣା ଲଗାଯାଇଥିଲା। ଫଳରେ ବିଭିନ୍ନ ରାଜ୍ୟରେ କାମ କରୁଥିବା ପଶ୍ଚିମ ଓଡିଶାର ଦାଦନ ଶ୍ରମିକ ହଜାର ହଜାର ସଂଖ୍ୟାରେ ଘରକୁ ଫେରି ଆସିଥିଲେ। ରାଜ୍ୟ ସରକାର ପ୍ରବାସୀ ଶ୍ରମିକମାନଙ୍କୁ ଫେରାଇ ଆଣିବା ପାଇଁ ସହଯୋଗ ଘୋଷଣା କରିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ବିଭିନ୍ନ ରାଜ୍ୟରେ ଫସି ରହିଥିବା ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ଲକ୍ଷାଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରାଯାଇଛି। କରୋନା ମୁକାବିଲା ନେଇ କଟକଣା ପରେ ଦେଶର ବିଭିନ୍ନ ସ୍ଥାନରେ କାମ କରୁଥିବା ଦାଦନ ଶ୍ରମିକ ଘରମୁହାଁ ହୋଇଥିଲେ। ଅଧିକ କରୋନା ସଂକ୍ରମିତ ଥିବା ଗୁଜୁରାଟ, ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ, କେରଳ ଆଦି ରାଜ୍ୟରୁ ପ୍ରତିଦିନ ଶହ ଶହ ଦାଦନ ଶ୍ରମିକ ଓଡିଶା ଫେରିଥିଲେ। ବୌଦ୍ଧ ଜିଲ୍ଲାକୁ ଗତ ମାର୍ଚ୍ଚ ମାସରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୦ହଜାରରୁ ଅଧିକ ପ୍ରବାସୀ ଶ୍ରମିକ ଜିଲ୍ଲାକୁ ଫେରିଥିବା ବେଳେ ଗତ ମେ ମାସରୁ ଅଗଷ୍ଟ ସୁଦ୍ଧା ମୋଟ ୪୪୮୦ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ ଫେରିଥିବା ହସ୍ତଗତ ସୂଚନାରୁ ଜଣାପଡିଛି। ଅପରପକ୍ଷେ ପ୍ରବାସୀ ମାନଙ୍କୁ କରୋନା ସଂକ୍ରମଣରୁ ସୁରକ୍ଷିତ ରଖିବା, ସଂକ୍ରମିତମାନଙ୍କୁ ଚିକିତ୍ସା ଯୋଗାଇବା ପାଇଁ ଜିଲ୍ଲାର ପ୍ରତ୍ୟେକ ପଂଚାୟତ ସ୍ତରରେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ବ୍ୟବସ୍ଥା , ସେମାନଂକୁ ଚିହ୍ନଟ କରିବା ପାଇଁ ଓ ସୁବିଧା ଯୋଗାଇବା ବାବଦରେ ମଧ୍ୟ ଲକ୍ଷାଧିକ ଟଙ୍କା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ମାତ୍ର ତାହା ପ୍ରବାସୀ ଓଡ଼ିଆଙ୍କୁ ଗାଁରେ ରଖିବା କୌଣସି କାମରେ ଆସିଲା ନାହିଁ। ସେମାନେ କରୋନା କାଳରେ ପୁଣି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଫେରିବା ସରକାର ତଥା ପ୍ରଶାସନର ସମସ୍ତ ଉଦ୍ୟମ ଫସର ଫାଟିଯାଇଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ।

ସାମ୍ପ୍ରତିକ କରୋନା ପରିସ୍ଥିତିରେ ଗରିବ ଲୋକମାନେ ଯେପରି ଭୋକିଲା ନରହିବେ ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଘୋଷଣା ଓ ସହାୟତା ସମେତ ମନରେଗା ଯୋଜନା କାର୍ଯ୍ୟକାରୀ କରିଥିଲେ। ରାଜ୍ୟ ସରକାର ମଧ୍ୟ ଏହି ମନରେଗା ଯୋଜନା ଉପରେ ଗୁରୁତ୍ୱ ଦେଇ ପ୍ରବାସୀଙ୍କୁ ମଧ୍ୟ ଗାଁରେ କାମ ଯୋଗାଇଦେବା ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ମାତ୍ର ଜିଲ୍ଲାକୁ ଫେରିଥିବା ଜଣେ ମଧ୍ୟ ପ୍ରବାସୀ ମନରେଗାରେ କାମ ପାଇ ନଥିବା ବେଳେ ସେମାନେ ମାଟି କାମକୁ ନା କରି ମନରେଗା କାମରୁ ଦୁରେଇ ରହିଲେ। ବର୍ତ୍ତମାନ ବାହାର ରାଜ୍ୟରେ ଶିଳ୍ପାନୁଷ୍ଠାନ ଗୁଡିକ ଖୋଲି ଯାଇଥିବା ବେଳେ ଶ୍ରମିକର ଅଵଶ୍ୟକତା ଥିବାରୁ ସେମାନେ ଗାଁକୁ ଫେରିଥିବା ପ୍ରବାସୀଙ୍କୁ ପୁଣି ଫେରାଇ ନେବା ପାଇଁ ଯୋଜନା ଆରମ୍ଭ କରିଛନ୍ତି। ଗାଁରେ ପୁଣି ଥରେ ଦାଦନ ଦଲାଲ ସକ୍ରିୟ ହୋଇ ଉଠିଛନ୍ତି। ଆଗକୁ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଥିବାରୁ ଅଗ୍ରୀମ ଟଙ୍କା ଦେଇ ଗ୍ରାମଞ୍ଚଳ ଲୋକଙ୍କୁ ଭୁତାଇବାକୁ ଆରମ୍ଭ କରିଥିବା ଜଣାପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟସରକାର ତଥା ଜିଲ୍ଲାପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆନଗଲେ ଦାଦନ ସ୍ଥିତି ପୁଣି ଅଣାୟତ ହେବା ଆଶଙ୍କା ଦେଖାଯାଇଛି।

ସମ୍ବନ୍ଧିତ ଖବର