ଗୋଆ ଫେରନ୍ତା ଅସୁସ୍ଥ ଶ୍ରମିକଙ୍କୁ କେହି ଛୁଇଁଲେନି, ଚିକିତ୍ସା‌ ଓ ଖାଦ୍ୟ ନ ପାଇ ଆଖି ବୁଜିଲେ

ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ସଙ୍ଗରୋଧ କେନ୍ଦ୍ର ଫେରାଇ ଦେଲା
ତରବରରେ ଶବ ଦାହ କରିଦେଲା ପ୍ରଶାସନ
କରୋନା ପରୀକ୍ଷା ନ ହେବାରୁ ଲୋକେ ଆତଙ୍କିତ

ସୁନ୍ଦରଗଡ଼ : ପ୍ରବାସୀ ଶ୍ରମିକ ସୁରକ୍ଷିତ ଘରକୁ ଫେରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ପଦକ୍ଷେପ ନେଇଛନ୍ତି। ସେମାନଙ୍କୁ ଖାଦ୍ୟପେୟ ସହ ସଙ୍ଗରୋଧ କେନ୍ଦ୍ରରେ ରଖି ଚିକିତ୍ସା ସହ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଜଣ ପିଛା ହଜାର ହଜାର ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ବାସ୍ତବରେ ଘରକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ଯତ୍ନ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ଠିକ୍‌ ଭାବେ ନେଉ ନଥିବା ସୁନ୍ଦରଗଡ଼ ଜିଲ୍ଲା ସବଡେଗା ବ୍ଲକ୍‌ ଯମୁନା ପଞ୍ଚାୟତର ଯମୁନା ଗାଁର ଏକ ଘଟଣାରୁ ସ୍ପଷ୍ଟ ହୋଇଛି । ଏହି ଗାଁକୁ ଫେରିଥିବା ଜଣେ ଗୋଆ ଫେରନ୍ତା ଅସୁସ୍ଥ ଶ୍ରମିକ ଚିକିତ୍ସା, ସେବା ଓ ଖାଦ୍ୟ ନ ପାଇ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି। ମୃତ ଶ୍ରମିକଙ୍କ କରୋନା ପରୀକ୍ଷା ନ କରି ପ୍ରଶାସନ ପକ୍ଷରୁ ତରବରିଆ ଭାବେ ଶବଦାହ କରାଯାଇ ଥିବାରୁ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

ଯମୁନା ଓ ମାୟାବାହାଲ ଗାଁର ୨ ଜଣ ଯୁବକ ୬ ମାସ ପୂର୍ବେ ରୋଜଗାର ପାଇଁ ଗୋଆ ଯାଇଥିଲେ। ତେବେ ମହାମାରୀ କରୋନା ପାଇଁ ତାଲାବନ୍ଦ ଯୋଗୁଁ ସେଠାରେ କାମଧନ୍ଦା ବନ୍ଦ ହୋଇଯାଇଥିଲା।

କିନ୍ତୁ ଗାଡ଼ିମୋଟର ଚଳାଚଳ କରୁ ନଥିବାରୁ ସେଠାରେ ଅଭାବ ଅସୁବିଧା ସ‌ତ୍ତ୍ବେ ସେମାନେ ପଡ଼ି ରହିଥିଲେ। ତେବେ ତାଲାବନ୍ଦ କୋହଳ ‌ହେବା ପରେ ରେଳ ଯୋଗେ ସେମାନେ ଗୋଆରୁ ଫେରି ଆଜି ସକାଳେ ଝାରସୁଗୁଡ଼ାରୁ ବସ୍‌ଯୋଗେ ସୁନ୍ଦରଗଡ଼କୁ ଆସିଥିଲେ। ସକାଳ ୯ଟାରେ ସୁନ୍ଦରଗଡ଼ ବସଷ୍ଟାଣ୍ଡ୍‌ରେ ପହଞ୍ଚିବା ପରେ ହଠାତ୍ ଜଣେ ଅସୁସ୍ଥ ଅନୁଭବ କରିଥିଲେ। ହାତରେ ପଇସା ନଥିଲା କି ଟ୍ରେନ୍‌ରେ ଖାଦ୍ୟ ମିଳି ନଥିଲା। ତେଣୁ ସେ ଦୁଇ ଦିନ ଧରି ଭୋକ ଉପାସରେ ଆସିଥିଲେ। ବସ୍‌ଷ୍ଟାଣ୍ଡରୁ ଘରକୁ ନେବାକୁ ଆସିଥିବା ପ୍ରବାସୀ ଶ୍ରମିକଙ୍କ ପୁତୁରା ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ସେମାନେ ଗୋଆରୁ ଫେରିଛନ୍ତି ବୋଲି ଜାଣିବା ପରେ ଡାକ୍ତରଖାନା ପକ୍ଷରୁ ତାଙ୍କୁ ପରୀକ୍ଷା କି ଚିକିତ୍ସା କରା ନଯାଇ ତୁରନ୍ତ ନିଜ ପଞ୍ଚାୟତ ସଂଗରୋଧ କେନ୍ଦ୍ରକୁ ଯିବାକୁ ପରାମର୍ଶ ଦିଆଯାଇଥିଲା। ଅସୁସ୍ଥ ପ୍ରବାସୀ ଶ୍ରମିକଙ୍କୁ ତାଙ୍କ ପୁତୁରା ଏକ ଅଟୋ ଯୋଗେ ସବଡେଗା ବ୍ଲକ୍‌ ମାୟାବାହାଲ ସରକାରୀ ଉଚ୍ଚ ବିଦ୍ୟାଳୟସ୍ଥିତ ସଂଗରୋଧ କେନ୍ଦ୍ରକୁ ନେଇଥିଲେ। ଠିକ୍‌ ଦିନ ୧୧ଟ‌ାରେ ସେଠାକୁ ପହଞ୍ଚିବା ପରେ କେନ୍ଦ୍ର ଦାୟିତ୍ବରେ ଥିବା କର୍ମଚାରୀ ପ୍ରବାସୀଙ୍କ ନାମ ପଞ୍ଜୀକରଣ ନ କରି ତାଙ୍କୁ ତୁରନ୍ତ ସବ୍‌ଡେଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (ସିଏଚ୍‌ସି)କୁ ନେଇଯିବାକୁ କହିଥିଲେ। ସେଠାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ତେବେ ସିଏଚ୍‌ସିରେ ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ନ ୩ଟାରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କର ମୃତ୍ୟୁ ହେବା କ୍ଷଣି ତରବର ଭାବେ ଶବକୁ ମହାପ୍ରୟାଣ ଗାଡ଼ିରେ ମଶାଣିକୁ ନେଇ ବ୍ଲକ୍‌, ଗ୍ରାମ ପଞ୍ଚାୟତ ଓ ସ୍ବାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ଦାହ କରାଯାଇଥିଲା। ଏପରିକି ପରିବାରବର୍ଗଙ୍କୁ ଯଥାବିଧି ଶବ ସତ୍କାର କରିବାକୁ ସୁଯୋଗ ଦିଆଯାଇ ନଥିବା ଅଭିଯୋଗ ହୋଇଛି।

କେଉଁ ପରିସ୍ଥିତିରେ ପ୍ରଶାସନ ଗୋଆ ଫେରନ୍ତା ଯୁବକଙ୍କ ଶବକୁ ତରବରିଆ ଭାବେ ସତ୍କାର କରିବାକୁ ନିଷ୍ପତ୍ତି ନେଲା ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାରଣ ଅସୁସ୍ଥ ଥିବା ବେଳେ କିମ୍ବା ପ୍ରାଣ ହରାଇବା ପରେ ପ୍ରବାସୀ ଶ୍ରମିକଙ୍କ କରୋନା ପରୀକ୍ଷା କରାଯାଇ ନଥିଲା। ଯଦି ଯୁବକଙ୍କୁ କରୋନା ହୋଇଯାଇଛି ଭାବି ପ୍ରଶାସନ ଶବ ସତ୍କାର କଲା, ତେବେ ଏ ନେଇ ଗାଁ ଶ୍ମଶାନରେ ନିର୍ଦ୍ଧାରିତ ସୁରକ୍ଷିତ ପଦକ୍ଷେପ ନିଆଗଲା ନାହିଁ କାହିଁକି ବୋଲି ଲୋକେ ପ୍ରଶ୍ନ କରୁଛନ୍ତି। ପ୍ରବାସୀ ଶ୍ରମିକ ଚିକିତ୍ସା ସୁବିଧା ପାଇ ନ ପାରି ଦୀର୍ଘ ୩ ଘଣ୍ଟା ଧରି ଏଣେତେଣେ ଘୂରି ବୁଲିବା ଏବଂ ସଙ୍ଗରୋଧ କେନ୍ଦ୍ରରେ ବି ଜାଗା ନ ମିଳିବା ଘଟଣାର ତଦନ୍ତ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର