ଧରାକୋଟ : ସଙ୍ଗରୋଧ ଗୃହରେ ଥିବା ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ

ଧରାକୋଟ : ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ଅଧୀନ ଝରପାରି ପଞ୍ଚାୟତର ମହୁଲପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ଥିବା ଜଣେ ସୁରତ ଫେରନ୍ତା ପ୍ରବାସୀ ଓଡ଼ିଆଙ୍କ ଅସୁସ୍ଥତାରୁ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ, ଜାନିବିଲି ଗ୍ରାମର ନାରୁଶୁ ଗୌଡ଼ (୩୫)। ଗତକାଲି ନାରୁଶୁ ହଠାତ୍ ଅସୁସ୍ଥ ‌ହୋଇ ପଡ଼ିଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ସରପଞ୍ଚ ଦିବାକର ଭୂୟାଁ ସଙ୍ଗେ ସଙ୍ଗେ ଏ ନେଇ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏକ ସ୍ବାସ୍ଥ୍ୟଟିମ୍ ପହଞ୍ଚି ନାରୁଶୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। କିନ୍ତୁ ଅବସ୍ଥା ଆହୁରି ବିଗିଡ଼ିବାରେ ଲାଗିଥିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର ପାଇଁ ପରାମର୍ଶ ଦିଆଯାଇଥିଲା। ହେଲେ ରାସ୍ତାରେ ନାରୁଶୁଙ୍କ ମୃତ୍ୟୁ ହୋଇଥିଲା।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ନାରୁଶୁଙ୍କ ପେଟ ରୋଗ ଥିଲା। ତାଙ୍କୁ ଝାଡ଼ା ଓ ପରିସ୍ରା ଠିକ୍ ଭାବେ ‌ହେଉ ନଥିଲା। ଶବକୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା‌ରେ ରଖାଯାଇଛି। ତାଙ୍କର କରୋନା ରିପୋର୍ଟ ବି ନେଗେଟିଭ୍ ଆସିଥିବା ଜଣାପଡ଼ିଛି। ଏହି ଘଟଣା ପରେ ଜାନିବିଲି ଗ୍ରାମ‌ରେ ଶୋକର ଛାୟା ଖେଳିଯାଇଛି। ନିଜ ପରିବାର ପ୍ରତିପୋଷଣ ପାଇଁ ସୁରତରେ ରହି କାମ କରୁଥିଲେ। ତାଙ୍କର ୨ ପୁଅ ଓ ଗୋଟିଏ ଝିଅ। ଶବକୁ ନେବାକୁ ପରିବାରବର୍ଗ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଅପେକ୍ଷା କରିଛନ୍ତି। ସରକାରୀ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର