ପ୍ରବାସୀ ଓଡ଼ିଆଙ୍କର ହେବ ଏଚ୍‌ଆଇଭି ସ୍କ୍ରିନିଂ

ସଙ୍ଗରୋଧ ଅବଧି ଶେଷ ହେବା ପରେ ସ୍କ୍ରିନିଂ ନିର୍ଦେଶ
ଜିଲ୍ଲାସ୍ତରରେ ମାଇକ୍ରୋ ପ୍ଲାନିଂ ପାଇଁ ଚାଲିଛି ପ୍ରସ୍ତୁତି
ଅଧିକ ସମ୍ବେଦନଶୀଳ ବ୍ୟକ୍ତି ଓ ଦେଶାନ୍ତର ଜିଲ୍ଲାକୁ ଅଧିକ ଗୁରୁତ୍ବ

ଭୁବନେଶ୍ବର : ଲକ୍‌ଡାଉନ୍‌ ସମୟରେ ଓଡ଼ିଶାକୁ ଫେରିଥିବା ପ୍ରବାସୀ ଓଡ଼ିଆଙ୍କ କରାଯିବ ଏଚ୍‌ଆଇଭି ସ୍କ୍ରିନିଂ। ଏଥିପାଇଁ ଓଡ଼ିଶା ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି (ଓସାକ୍ସ) ପକ୍ଷରୁ ଜିଲ୍ଲାଗୁଡ଼ିକୁ ଏଥିପାଇଁ ଚିଠି ଦିଆଯାଇଛି। କିଭଳି ଗୁପ୍ତ ଭାବେ ସ୍କ୍ରିନିଂ କରାଯିବ ତାହାର ଏକ ମାଇକ୍ରୋ ପ୍ଲାନିଂ ପ୍ରସ୍ତୁତ କରିବା ପାଇଁ କୁହାଯାଇଛି। ତେବେ କେବେଠାରୁ ସ୍କ୍ରିନିଂ ଆରମ୍ଭ ହେବ ତାହା ଏ ଯାଏ ସ୍ପଷ୍ଟ ହୋଇନାହିଁ।

କରୋନା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍ ହେବା ପରେ ଲକ୍ଷାଧିକ ଓଡ଼ିଆ ଏବେ ରାଜ୍ୟକୁ ଫେରିବାକୁ ଆରମ୍ଭ କରିଛନ୍ତି। ଆଜି ପ୍ରାୟ ୪୦ ହଜାର ଲୋକ ଓଡ଼ିଶା ଫେରିଥିବା ବେଳେ ଏ ପର୍ଯ୍ୟନ୍ତ ୩ଲକ୍ଷ ୭୭ହଜାର ଲୋକ ଓଡ଼ିଶାକୁ ଫେରି ସାରିଲେଣି। ରାଜ୍ୟରେ ଏବେ ୪୮ଟି ଟାର୍ଗେଟ୍ ଇଣ୍ଟରଭେନସନ୍‌ (ଟିଆଇ) ଓ ୬ଟି ଲିଙ୍କ ୱାର୍କର୍ସ ସ୍କିମ୍ (ଏଲଡବ୍ଲୁଏସ୍‌) ଏନ୍‌ଜିଓ ଏଚ୍‌ଆଇଭି ଆକ୍ରାନ୍ତଙ୍କ ପାଇଁ କାମ କରୁଛି। ୪୮ଟି ଟିଆଇ ମଧ୍ୟରୁ ୯ଟି କେବଳ ଦେଶାନ୍ତର ଲୋକଙ୍କ ଏଚ୍‌ଆଇଭି ପାଇଁ କାର୍ଯ୍ୟ କରୁଛି। ପୂର୍ବରୁ ଟିଆଇ ବିଭିନ୍ନ ଜିଲ୍ଲା‌ରେ ସ୍ବାସ୍ଥ୍ୟ କ୍ୟାମ୍ପ୍ ଜରିଆରେ ସ୍କ୍ରିନିଂ କରୁଥିବା ବେଳେ ବର୍ତମାନ ପରିସ୍ଥିତିରେ ସ୍ବାସ୍ଥ୍ୟ କ୍ୟାମ୍ପ ଆୟୋଜନ କରିବା ସମ୍ଭବ ନୁହେଁ। ତେଣୁ ଏଥିପାଇଁ ଏକ ମାଇକ୍ରୋ ପ୍ଲାନିଂ ପ୍ରସ୍ତୁତ କରାଯିବ। ଏଥିପାଇଁ ଟିଆଇ, ଆଇସିଟିସି କାଉନସେଲର, ଏଚ୍‌ଆଇଭି/ଏଡ୍‌ସର ନୋଡାଲ ଅଧିକାରୀ, ଏଡିପିଏଚ୍‌ଓ(ଯକ୍ଷ୍ମା) ଓ ଜିଲ୍ଲା ପ୍ରଶାସନ ଏକତ୍ର ଭାବେ ଏହି ମାଇକ୍ରୋ ପ୍ଲାନିଂ ପ୍ରସ୍ତୁତ କରି‌ ଓସାକ୍ସକୁ ପଠାଇବେ। ରାଜ୍ୟରେ ୧୧ଟି ଜିଲ୍ଲା ଦେଶାନ୍ତର ପ୍ରବଣ। ଏଥିରେ ବଲାଙ୍ଗୀର, ଗଞ୍ଜାମ, ନୂଆପଡ଼ା, କଳାହାଣ୍ଡି ଓ ଖୋର୍ଧା ଭଳି ଜିଲ୍ଲା ରହିଛି। ଏହାସହ ଅଧିକ ସମ୍ବେଦନଶୀଳ ଗ୍ରୁପ୍ ଯଥା ଯୌନ କର୍ମୀ, ଦେଶାନ୍ତର ବ୍ୟକ୍ତି, ଟ୍ରକ୍ ଡ୍ର‌ାଇଭର, ଆଇଡିୟୁ ବା ଇଞ୍ଜେକସନ୍ ଜରିଆରେ ଔଷଧ ନେଉଥିବା ବ୍ୟକ୍ତି ଓ ଏମ୍‌ଏସ୍‌ଏମ୍‌ ବା ସମଲିଙ୍ଗୀମାନଙ୍କୁ ହିଁ ସ୍କ୍ରିନିଂରେ ଅଧିକ ଗୁରୁତ୍ବ ଦିଆଯିବ।

ଓସାକ୍ସର ପ୍ରକଳ୍ପ ନିର୍ଦେଶିକା ଡା.ସଂଯୁକ୍ତା ସାହୁ କହିଛନ୍ତି, ପୂର୍ବ ନିର୍ଦେଶାବଳୀ ଅନୁଯାୟୀ ସଙ୍ଗରୋଧ ପାଇଁ ୨୮ଦିନ ଧାର୍ଯ୍ୟ କରିଥିବା ବେଳେ ଏବେ ନୂତନ ନିର୍ଦେଶାବଳୀ ଜାରି କରାଯିବ। ଏବେ ୭ଦିନ ପାଇଁ ସଙ୍ଗରୋଧ କେନ୍ଦ୍ରରେ ରହିବା ପାଇଁ ନିର୍ଦେଶ ରହିଛି। ତଥାପି ସ୍କ୍ରିନିଂ କରିବା ପାଇଁ ଅନେକ ଅନିଚ୍ଛା ପ୍ରକାଶ କରୁଛନ୍ତି। ସ୍କ୍ରିନିଂ କରୁଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ସୁରକ୍ଷାର ଆବଶ୍ୟକତା ରହିଛି। ତେଣୁ ଆଇସିଟିସି କାଉନସିଲର ଲୋକଙ୍କ ତାଲିକା ସଂଗ୍ରହ କରିବା ପରେ ସ୍କ୍ରିନିଂ କରାଯିବ। ତେବେ ରାଷ୍ଟ୍ରୀୟ ଏଡ୍‌ସ ନିୟନ୍ତ୍ରଣ ସମିତି (ନାକୋ) ସହିତ ଆଲୋଚନା ପ‌ରେ ହିଁ ପରବର୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ। କେବଳ ହାଇ ରିସ୍କ ଗ୍ରୁପ୍‌ଙ୍କ ହିଁ ଏଚ୍‌ଆଇଭି ସ୍କ୍ରିନିଂ କରାଯିବ। ଓସାକ୍ସ ପକ୍ଷରୁ ବିଭିନ୍ନ ଋତୁରେ ଫେରୁଥିବା ସମୟରେ ସ୍କ୍ରିନିଂ କରାଯାଇଥାଏ। ମାତ୍ର ହଠାତ୍ ଏତେ ସଂଖ୍ୟକ ଲୋକ ଏକକାଳୀନ ସମୟରେ ଫେରିଥିବାରୁ ଏହି ସମୟରେ ସ୍କ୍ରିନିଂ କରିବା ଏକପ୍ରକାର ସୁଯୋଗ ଆଣିଦେଇଛି। ଏବେ ପଞ୍ଚାୟତସ୍ତରରେ ପ୍ରବାସୀମାନଙ୍କ ତାଲିକା ରହିଥିବାରୁ ସେଠାରୁ ତଥ୍ୟ ସଂଗ୍ରହ କରାଯିବ। ଏହାସହ ଏଚ୍‌ଆଇଭି ସ୍କ୍ରିନିଂରେ ମଧ୍ୟ ଲୋକଙ୍କ ପରିଚୟ ଗୋପନ ରଖା ଯିବାର ନିୟମ ଥିବାରୁ ସବୁ ଲୋକମାନଙ୍କ ସ୍କ୍ରିନିଂ କରିବା ସମ୍ଭବ ନୁହେଁ ବୋଲି ଡା.ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର