ଭୁବନେଶ୍ବର : ଓଡ଼ିଶାର ୬୦ରୁ ୭୦ ପ୍ରତିଶତ ବିଜ୍ଞ ତଥା ପ୍ରତିଭାବାନ୍ ଲୋକ ପ୍ରବାସରେ ରହୁଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ଭଲ ପାଉଥିବା ସେହି ବିଜ୍ଞ ଲୋକମାନଙ୍କର ଓଡ଼ିଶା ପ୍ରତି ଥିବା ଦୃଷ୍ଟିଭଙ୍ଗୀକୁ ବୁଝିବାକୁ ପଡ଼ିବ। ବିଦେଶ ଓ ଓଡ଼ିଶାକୁ ନେଇ ସେମାନଙ୍କ ମନରେ ତିଆରି ହେଉଥିବା ତୁଳନାତ୍ମକ ଚିତ୍ରକୁ ଜାଣିବାର ଆବଶ୍ୟକତା ରହିଛି। ସେମାନେ ଯଦି ଆମ ସହ ଯୋଡ଼ି ହୋଇପାରନ୍ତେ, ତେବେ ଓଡ଼ିଶାର ବୌଦ୍ଧିକ ଦାରିଦ୍ର୍ୟ ବହୁ ପରିମାଣରେ ଦୂର ହୋଇପାରନ୍ତା। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ସଂଘମିତ୍ରା ଭଞ୍ଜଙ୍କ ସମ୍ପାଦିତ ପୁସ୍ତକ ‘ପ୍ରବାସୀ ଓଡ଼ିଆ ସାହିତ୍ୟ: ସୃଷ୍ଟି ଓ ସମୀକ୍ଷା’ ଉନ୍ମୋଚନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି।

Advertisment

ସମ୍ବାଦ ଭବନରେ ଆୟୋଜିତ ଏହି ଉନ୍ମୋଚନ ଉତ୍ସ‌ବରେ ଶ୍ରୀ ପଟ୍ଟନାୟକ ଆହୁରି କହିଲେ ଯେ ଏହି ବହିଟି ପ୍ରକାଶ କରିବା ପାଇଁ ଆଗ୍ରହ ଦେଖାଇଥିବା ‘ବ୍ଲାକ୍‌ ଇଗଲ୍‌ ବୁକ୍ସ’ର ପ୍ରକାଶକ ସତ୍ୟ ପଟ୍ଟନାୟକଙ୍କୁ ଯେତେ ଧନ୍ୟବାଦ ଦେଲେ ବି କମ୍ ହେବ। କାରଣ ପ୍ରବାସରେ ରହି ମଧ୍ୟ ସେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ସମ୍ପର୍କରେ ଚିନ୍ତା କରୁଛନ୍ତି। କାର୍ଯ୍ୟକ୍ରମର ବିଶିଷ୍ଟ ଅତିଥି ପ୍ରାବନ୍ଧିକ ରାଜେନ୍ଦ୍ର ନାରାୟଣ ଦାସ କହିଲେ ଯେ ଆମେ ପ୍ରବାସରେ ରହ‌ିଲେ ମଧ୍ୟ ଓଡ଼ିଶା ପ୍ରତି ସବୁବେଳେ ଆମର ବିଶେଷ ଦୃଷ୍ଟି ଓ ଆଗ୍ରହ ରହିଆସିଛି। ଏହି ସଂକଳିତ ବହି ପ୍ରବାସୀମାନଙ୍କ ପାଇଁ ଏକ ଖୁସିର କାରଣ। କାର୍ଯ୍ୟକ୍ରମର ଅନ୍ୟତମ ବିଶିଷ୍ଟ ଅତିଥି ଅନ୍ତର୍ଜାତୀୟ ଚିତ୍ରଶିଳ୍ପୀ ତଥା କେନ୍ଦ୍ର ସାହିତ୍ୟ ଅକାଦେମି ସଦସ୍ୟ ପ୍ରଫୁଲ୍ଲ ମହାନ୍ତି କହିଲେ ଯେ ସେ ସବୁବେଳେ ତାଙ୍କ ଗାଁକୁ ଭଲପାଆନ୍ତି। ତାଙ୍କ ଚିତ୍ର ଓ କବିତା ତାଙ୍କ ଗାଁରୁ ହିଁ ଆରମ୍ଭ କରିଥିଲେ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ତଥା ଆଲୋଚକ ବିଶିଷ୍ଟ କଥାକାର ଗୌରହରି ଦାସ କହିଲେ ଯେ ମଣିଷ ଯାହା ପାଏନା, ତାହାକୁ ବାରମ୍ବାର ଝୁ‌ରେ। ସେହିଭଳି ପ୍ରବାସୀମାନେ ଅନେକ କିଛି ହାସଲ କରିଛନ୍ତି, ଅନେକ କିଛି ହରାଇଛନ୍ତି। ସ୍ମୃତି ହିଁ ଜୀବନ। ତେଣୁ ଏଭଳି ବହିର ସୃଷ୍ଟି ପ୍ରବାସୀ ଓଡ଼ିଆମାନଙ୍କ ସ୍ମୃତିକୁ ଉଜ୍ଜୀବିତ କରିବ। ପ୍ରାଚୀନ ମଧ୍ୟଯୁଗୀୟ ସାହିତ୍ୟ ଓ ଅନେକ ବିଶିଷ୍ଟ ଲେଖକଙ୍କ ଲେଖାକୁ ବଜାରରେ ଉପଲବ୍ଧ କରାଇବା ପାଇଁ ପ୍ରବାସରେ ରହୁଥିବା ପ୍ରକାଶକ ସତ୍ୟ ପଟ୍ଟନାୟକଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଥିଲେ। ଅନ୍ୟତମ ଆଲୋଚକ ‘ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର’ର ନିର୍ଦ୍ଦେଶକ ପ୍ରଫେସର ବସନ୍ତ ପଣ୍ଡା କହିଲେ ଯେ ଓଡ଼ିଶାର କେତେ ପ୍ରବାସୀ ବାହାରେ ଅଛନ୍ତି, ତା’ର ଏକ ସମ୍ପୂର୍ଣ୍ଣ ତଥ୍ୟ ପ୍ରସ୍ତୁତ ହେବା ଆବଶ୍ୟକ। କାରଣ ଅନେକ ପ୍ରତିଭାବାନ ପ୍ରବାସୀ ଅଛନ୍ତି, ଯାହାଙ୍କ ବିଷୟରେ ଆମେମାନେ ଅଜ୍ଞ। ଏ ବହିରେ ପ୍ରଥମ ଥର ପାଇଁ ପ୍ରବାସୀମାନଙ୍କ ବିଷୟରେ ଆଲୋଚନା ହୋଇଥିବାରୁ ଅତ୍ୟନ୍ତ ଖୁସିର ବିଷୟ। ଅନ୍ୟତମ ଆଲୋଚିକା କବୀ ମମତା ଦାଶ କହିଲେ ଯେ ପ୍ରବାସୀ ଓଡ଼ିଆଙ୍କ ବିଷୟରେ ଏକ ପୁସ୍ତକ ସଂକଳିତ ହେବା ବେଶ୍‌ ଉତ୍ସାହଜନକ ବିଷୟ।

ଏହି ଅବସରରେ ଲେଖିକା ଶ୍ରୀମତୀ ଭଞ୍ଜ କହିଲେ ଯେ ଏ ବହିରେ ୧୨ଜଣ ପ୍ରବାସୀଙ୍କ ବିଷୟରେ ଆଲେଖ୍ୟ ସ୍ଥାନ ପାଇଛି। ସେମାନଙ୍କ ସହ ଆମ ଜୀବନ ଗୋଟିଏ ନାଡ଼ରେ ବନ୍ଧା ହୋଇଛି। ମାଟି ପାଇଁ ସମସ୍ତଙ୍କ ଭିତରେ ମମତାବୋଧ ଭରି ରହିଛି। କାର୍ଯ୍ୟକ୍ରମରେ ପ୍ରକାଶକ ସତ୍ୟ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଯୋଡ଼ିହୋଇ କହିଲେ ଯେ ଐତିହାସିକମାନେ ଦାୟିତ୍ବ ନେଇ ପ୍ରବାସୀ ଓଡ଼ିଆଙ୍କ ବିଷୟରେ ପାଠ୍ୟ ପୁସ୍ତକରେ ଲେଖିବା ଆବଶ୍ୟକ। ପ୍ରକାଶନୀ ସଂସ୍ଥା ପକ୍ଷରୁ ଅଶୋକ ପରିଡ଼ା ଅତିଥିମାନଙ୍କୁ ଉପହାର ସ୍ବରୂପ ପୁସ୍ତକ ପ୍ରଦାନ କରିଥିଲେ। ‘କଥ‌ା’ର ସହ ସମ୍ପାଦକ କ୍ଷେତ୍ରବାସୀ ନାଏକ ପ୍ରାରମ୍ଭିକ ସୂଚନା ଦେବା ସହ ଧନ୍ୟବାଦ ଦେଇଥିଲେ।