‘ସ୍ବାବ୍‌ ପରୀକ୍ଷା ନ କଲେ ଘରକୁ ଯିବୁନି’, ଟିଏମ୍‌ସି ସାମ୍ନା ରାସ୍ତା ଅବରୋଧ କଲେ ପ୍ରବାସୀ ଓଡ଼ିଆ

ତିଗିରିଆ : ‘ସ୍ବାବ୍‌ ପରୀକ୍ଷା କର ନ‌ହେଲେ ଘରକୁ ଫେରିବୁନି’। ଏହି ଦାବିରେ ଆଜି ୫୦ରୁ ଅଧିକ ପ୍ରବାସୀ ଓଡ଼ିଆ ରାସ୍ତା ଅବରୋଧ କରିଛନ୍ତି। ସ୍ଥାନୀୟ ପ୍ରଶାସନ ଓ ପୁଲିସର ହସ୍ତକ୍ଷେପ ତଥା ସ୍କ୍ରିନିଂ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଛି।

କଟକ ଜିଲ୍ଲା ତିଗିରିଆ ବ୍ଲକ ଜେମାଦେଇପୁର ପଞ୍ଚାୟତରେ ଏହି ଘଟଣା ଘଟିଛି।

ଜେମାଦେଇପୁର ପଞ୍ଚାୟତର କ୍ଷେତ୍ରମୋହନ ଚୌଧୁରୀ ବିଦ୍ୟାଳୟ ପରିସରରେ ଟିଏମ୍‌ସି (ଅସ୍ଥାୟୀ ମେଡିକାଲ ସେଣ୍ଟର୍‌) ଖୋଲାଯାଇଛି। ଏଠାରେ ବିଭିନ୍ନ ରାଜ୍ୟରୁ ଫେରିଥିବା ୫୦ରୁ ଅଧିକ ପ୍ରବାସୀ ରହୁଛନ୍ତି। ଏହାଭିତରେ ସେମାନେ ରହିବାକୁ ୧୫ଦିନ ବିତି ଯାଇଥିଲେ ବି କାହାରି କରୋନା ପାଇଁ ସ୍ବାବ୍‌ ପରୀକ୍ଷା କରାଯାଇନାହିଁ। ରାଜ୍ୟ ସରକାରଙ୍କ ନୂତନ ଗାଇଡ୍‌ଲାଇନ୍‌ ଅନୁସାରେ ଟିଏମସିରେ ଯେଉଁମାନେ ୭ଦିନ ଅଥବା ଅଧିକ ସମୟ ରହିଥିବେ ସେମାନଙ୍କଠାରେ ଥଣ୍ଡା, ଜ୍ଵର ପରି କୌଣସି ଲକ୍ଷଣ ଦେଖାଯାଉ ନଥିଲେ ବ୍ଲକ ପ୍ରଶାସନ ତରଫରୁ ସେମାନଙ୍କୁ ଏକ ସାର୍ଟିଫିକେଟ ପ୍ରଦାନ କରାଯାଇ ହୋମ କ୍ବାରାଣ୍ଟିନ୍‌ ପାଇଁ ଛଡ଼ାଯାଇପାରିବ। ଏହି ନିୟମକୁ ଏହି ଟିଏମ୍‌ସିର ପ୍ରବାସୀ ଓଡ଼ିଆମାନେ ବିରୋଧ କରିବା ସହ ବିନା ଟେଷ୍ଟ୍‌ରେ ଘରକୁ ନ ଯିବାକୁ ଅଡ଼ି ବସିଛନ୍ତି। ଟେଷ୍ଟ୍ ନ କରି ଘରକୁ ଗଲେ ନିଜ ଅଞ୍ଚଳବାସୀ ତାଙ୍କୁ ଗ୍ରହଣ କରିବେ ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ସମସ୍ତଙ୍କ ସ୍ବାବ୍‌ ପରୀକ୍ଷା ଦାବି ନେଇ ଆଜି ସକାଳେ ଏହି କେନ୍ଦ୍ରର ୫୦ରୁ ଅଧିକ ଅନ୍ତେବାସୀ ସେମାନେ ରହୁଥିବା ଟିଏମସି ସମ୍ମୁଖ କଟକ-ନରସିଂହପୁର ମୁଖ୍ୟ ରାଜରାସ୍ତାକୁ ଅବରୋଧ କରିଥିଲେ। ସେମାନେ ରାସ୍ତା ଉପରେ ବେଞ୍ଚ, ଟେବୁଲ ପକାଇ ଅବରୋଧ କରିବା ଫଳରେ ଏହି ରାସ୍ତାରେ ଗାଡ଼ି ମଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା।

ଖବର ପାଇ ତିଗିରିଆ ତିଗିରିଆ ବିଡିଓ ଦୀପ୍ତିମୟୀ ବେହେରା ଓ ଥାନା ଅଧିକାରୀ ରବୀନ୍ଦ୍ର ଭୁଜବଳ ଘଟଣାସ୍ଥଳରେ ପହଞ୍ଚି ପ୍ରବାସୀ ଓଡ଼ିଆମାନଙ୍କୁ ବୁଝାଶୁଝା କରିଥିଲେ। ଆସନ୍ତାକାଲି ସକାଳେ ଉକ୍ତ ଟିଏମସିରେ ରହୁଥିବା ସମସ୍ତ ପ୍ରବାସୀଙ୍କ ସ୍କ୍ରିନିଂ କରାଯିବା ସହିତ ଯେଉଁମାନଙ୍କଠାରେ କୌଣସି ଶାରୀରିକ ଅସୁସ୍ଥତା ଲକ୍ଷଣ ନଥିବ ସେମାନଙ୍କୁ ଘରକୁ ଛଡ଼ାଯିବା। ଯେଉଁମାନଙ୍କ ଠାରେ ଲକ୍ଷଣ ଦେଖାଯିବ ସେମାନଙ୍କର ଖୁବ୍‌ଶୀଘ୍ର କରୋନା ପରୀକ୍ଷା କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସେମାନେ ଧାରଣାରୁ ବିରତ ହୋଇଥିଲେ।

ସମ୍ବନ୍ଧିତ ଖବର