ବ୍ରହ୍ମପୁର/ଜଟଣୀ : ‘ଅପରେସନ୍ ଶୁଭଯାତ୍ରା’ରେ ସ୍ବତନ୍ତ୍ର ଟ୍ରେନ୍ ଯୋଗେ ରାଜ୍ୟ ବାହାରେ ଫସିଥିବା ଓଡ଼ିଆ ଶ୍ରମିକଙ୍କ ଘର ବାହୁଡ଼ା ଆରମ୍ଭ ହୋଇଛି। ଏଥିରେ ଆଜି ଗୋଟିଏ ଦିନରେ ୨ଟି ଟ୍ରେନ ଓଡ଼ିଶାରେ ପହଞ୍ଚିଛି। କେରଳର ଆଲୁଭା ଷ୍ଟେସନ୍ରୁ ବାହାରିଥିବା ଏକ ସ୍ୱତନ୍ତ୍ର ଟ୍ରେନ୍ ଆଜି ଭୋର୍ ୫ଟା ୧୭ମିନିଟ୍ରେ ବ୍ରହ୍ମପୁର ନିକଟସ୍ଥ ଜଗନ୍ନାଥପୁର ଷ୍ଟେସନ୍ରେ ଲାଗିଥିଲା। ବିଭିନ୍ନ ଜିଲ୍ଲାର ୫୫୨ ଜଣ ଏଠାରେ ଓହ୍ଲାଇଥିଲେ। ତେବେ ଏହି ଟ୍ରେନ୍ରୁ ଓହ୍ଲାଇବା ବେଳେ ୯ଜଣ ଯାତ୍ରୀ ଖସି ପଳାଇଥିଲେ। ସେମାନଙ୍କୁ ବ୍ରହ୍ମପୁର ଟାଉନ୍ ଥାନା ପୁଲିସ ସିଟି ହସ୍ପିଟାଲ୍ ନିକଟରୁ ଠାବ କରି ସ୍ବାସ୍ଥ୍ୟ ପରୀକ୍ଷା କରାଇ ସଙ୍ଗରୋଧ କେନ୍ଦ୍ରକୁ ପଠାଇଛି। ଟ୍ରେନ୍ଟି ସକାଳ ୯.୩୦ରେ ଖୋର୍ଦ୍ଧାରୋଡ଼ ଷ୍ଟେସନ୍ରେ ଲାଗିବା ପରେ ଏଠାରେ ୧୪ଟି ଜିଲ୍ଲାର ମୋଟ ୫୮୫ ଜଣ ପ୍ରବାସୀ ଓଡ଼ିଆ ଓହ୍ଲାଇଥିଲେ। ଏଥିରେ କେନ୍ଦ୍ରାପଡ଼ାର ସର୍ବାଧିକ ୨୬୮ ଜଣ ଥିଲେ।
କେରଳରୁ ଆସିଥିବା ଟ୍ରେନ୍ରେ ଗଞ୍ଜାମର ୧୨୨, କନ୍ଧମାଳର ୩୮୯, ରାୟଗଡ଼ାର ୨୭, ନବରଙ୍ଗପୁରର ୫, କୋରାପୁଟର ୧, ବୌଦ୍ଧର ୬ ଓ କଳାହାଣ୍ଡିର ୩ ଜଣ ଜଗନ୍ନାଥପୁର ଷ୍ଟେସନ୍ରେ ଓହ୍ଲାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ନାମ ପଞ୍ଜୀକରଣ କରାଯାଇଥିଲା। ଏହା ପରେ ସେମାନଙ୍କୁ ସ୍ୱତନ୍ତ୍ର ବସ୍ ଯୋଗେ ନିଜ ନିଜ ଜିଲ୍ଲାକୁ ପଠାଯିବା ସହ ଗଞ୍ଜାମର ୧୨୨ଜଣଙ୍କୁ ଜିଲ୍ଲାରେ ହିଁ ଏକ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା। ଏଥିମଧ୍ୟରୁ ତିନିଜଣ ଅସୁସ୍ଥ ଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଯାଇଥିଲା।
ଅନ୍ୟପକ୍ଷରେ ୧୨୦୨ ଜଣ ଯାତ୍ରୀଙ୍କୁ ନେଇ ଗତକାଲି ସନ୍ଧ୍ୟାରେ ସୁରତ ଛାଡ଼ିଥିବା ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍ ଆଜି ଅପରାହ୍ଣ ସାଢ଼େ ୫ଟାରେ ଜଗନ୍ନାଥପୁର ଷ୍ଟେସନ୍ରେ ପହଞ୍ଚିଥିଲା। ଏଠାରେ ଯାତ୍ରୀମାନେ ଓହ୍ଲାଇବା ପରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ସ୍ବତନ୍ତ୍ର ବସ୍ ଯୋଗେ ସମ୍ପୃକ୍ତ ଯାତ୍ରୀଙ୍କୁ ସେହି ଅଞ୍ଚଳର ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଥିଲା।
ଅନ୍ୟପକ୍ଷରେ ଆଜି କର୍ଣ୍ଣାଟକରୁ ପ୍ରଥମ ଶ୍ରମିକ ଟ୍ରେନ୍ ବେଙ୍ଗାଲୁରୁ ଛାଡ଼ିଛି। ୧୧୯୦ ଶ୍ରମିକଙ୍କୁ ଭୁବନେଶ୍ବର ଅଭିମୁଖେ ଆସୁଥିବା ଏହି ଟ୍ରେନ ଆସନ୍ତାକାଲି ସକାଳ ୯ଟାରେ ଲାଗିବ ବୋଲି ଜଣାପଡ଼ିଛି। ସୁରତରୁ ଆଜି ପୁଣି ଛାଡ଼ିଥିବା ଏକ ଟ୍ରେନ୍ ମଧ୍ୟ ଆସନ୍ତାକାଲି ସନ୍ଧ୍ୟାରେ ପହଞ୍ଚିବ ବୋଲି ଜଣାପଡ଼ିଛି। ସେହିପରି କେରଳରୁ ଛାଡ଼ିଥିବା ଅନ୍ୟ ଏକ ଟ୍ରେନ୍ ଆସନ୍ତାକାଲି ସକାଳ ୬ଟାରେ ଜଗନ୍ନାଥପୁରରେ ଲାଗିବ ବୋଲି ଜଣାପଡ଼ିଛି।