ପ୍ରବାସୀ ଓଡ଼ିଆ ଫେରିବା ପ୍ରସଙ୍ଗ : ସରକାରଙ୍କୁ ଘେରିଲା ବିଜେପି, ଆଇନମନ୍ତ୍ରୀଙ୍କ ବହିଷ୍କାର ଦାବି

ଭୁବନେଶ୍ବର : ପ୍ରବାସୀ ଓଡ଼ିଆ ଫେରିବା ପ୍ରସଙ୍ଗକୁ ନେଇ ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ଏହି ପ୍ରସଙ୍ଗକୁ ନେଇ ରାଜନୀତି ଜୋର ଧରିଲାଣି। ବିଜେଡିକୁ ଘେରିଲାଣି ବିେଜପି। ଆଜି ବିଜେପି ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଦାବି କରିଛି। ବିଜେପି ନେତା ଶାରଦା ପ୍ରଧାନ ଟ୍ବିଟ୍ କରି ମୁଖ୍ୟମନ୍ତ୍ରୀଙ୍କୁ ଏ ନେଇ ନିବେଦନ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି, ଗତକାଲି ହାଇକୋର୍ଟ କେଶ୍ ନଂ- ଡବ୍ଲୁ ପି ସି -୧୧୫୭୩ / ୨୦ ର ଶୁଣାଣି କରି କହିଛନ୍ତି ଯେ ପ୍ରବାସୀଙ୍କୁ ରାଜ୍ୟକୁ ଫେରାଇ ଆଣିବା ପୂର୍ବରୁ ପ୍ରଥମେ ଯେଉଁମାନେ ଯେଉଁଠାରେ ଅଛନ୍ତି, ସେଠାରେ ତାଙ୍କର କରୋନା ଭୁତାଣୁ ସଂକ୍ରମଣକୁ ନେଇ ପରୀକ୍ଷା ହେବ। ଯଦି ରିପୋର୍ଟ ନେଗେଟିଭ ରୁହେ ତେବେ ସେମାନଙ୍କୁ ରାଜ୍ୟକୁ ଆସିବା ପାଇଁ ଅନୁମତି ଦିଆଯିବ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଇବା ପରେ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଗତକାଲି ଠାରୁ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଏ ସଂପର୍କରେ ପଦକ୍ଷେପ ନେଲେଣି। ହେଲେ ରାଜ୍ୟର ଆଇନ ବିଭାଗର କ୍ୟାବିନେଟ ମନ୍ତ୍ରୀ ପ୍ରତାପ ଜେନା ଆଜି ଗଣମାଧ୍ୟମର ପ୍ରଶ୍ନର ଉତ୍ତର ରଖି କହିଛନ୍ତି ଯେ ହାଇକୋର୍ଟଙ୍କ ନିର୍ଦ୍ଦେଶ ସରକାରଙ୍କ ପାଖରେ ପହଞ୍ଚିନାହିଁ, ପହଞ୍ଚିଲେ ପଦକ୍ଷେପ ନେବୁ ।

ଶାରଦାଙ୍କ ଅଭିଯୋଗ ହେଉଛି, ଗତକାଲିଠାରୁ ରାଜ୍ୟ ସରକାରଙ୍କ ଗୃହ ବିଭାଗ ହାଇକୋର୍ଟ ଙ୍କ ନିର୍ଦ୍ଦେଶ ପାଇ ପ୍ରକ୍ରିୟା ଆରମ୍ଭ କରିସାରିଲେଣି ଅଥଚ ଆଇନ ମନ୍ତ୍ରୀ ଗଣମାଧ୍ୟମ କୁ ଦେଇଥିବା ବିବୃତି ଅତି ଦୁର୍ଭାଗ୍ୟଜନକ। ଏଭଳି ଏକ ସମ୍ବେଦନଶୀଳ ସମୟରେ ଦାୟିତ୍ୱହୀନ ମନ୍ତବ୍ୟ ଦେଇଥିବା ଶ୍ରୀ ଜେନାଙ୍କୁ ମୁଖ୍ୟମନ୍ତ୍ରୀ ତୁରନ୍ତ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର